ପ୍ରଥମ ଶ୍ରେଣୀର ମୁକ ଛାତ୍ରୀଙ୍କୁ ବିଦ୍ୟାଳୟରେ ତାଲା ପକାଇ ଦେଲେ ପ୍ରଧାନଶିକ୍ଷକ, ୪ଘଣ୍ଟା ପରେ ଉଦ୍ଧାର

ଗୋଷାଣି: ପ୍ରଥମ ଶ୍ରେଣୀର ମୁକ ଛାତ୍ରୀଙ୍କୁ ବିଦ୍ୟାଳୟ ଭିତରେ ତାଲା ପକାଇ ପ୍ରଧାନଶିକ୍ଷକ ଓ ଅନ୍ୟମାନେ ପଳାଇଛନ୍ତି। ସ୍କୁଲ ଛୁଟି ହେବାର ସମୟ ଅତିକ୍ରାନ୍ତ ହେବା ପରେ ପରିବାର ଲୋକେ ଝିଅକୁ ନପାଇ ବ୍ୟସ୍ତ ହୋଇପଡ଼ିଛନ୍ତି। ଶେଷରେ ୪ ଘଣ୍ଟା ପରେ ଛାତ୍ରୀ ଜଣକ ବିଦ୍ୟାଳୟରୁ ଉଦ୍ଧାର ହେବା ଘଟଣା ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବୋମିକା ପଞ୍ଚାୟତ ଅନ୍ତର୍ଗତ ବଡଦେଉଳା ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‌ସୋମବାର ଦିନ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଏହି ଭୁଲକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ ଆଉ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତି ହେବ ନାହିଁ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତ ସୋମବାର ଦିନ ବିଦ୍ୟାଳୟରେ ପାଠପଢା ସରିଯିବା ପରେ ପ୍ରଥମ ଶ୍ରେଣୀ ଛାତ୍ରୀ ଜଣକ ଭୁଲବଶତଃ ଅନ୍ୟ ଏକ ଶ୍ରେଣୀ କକ୍ଷକୁ ଚାଲିଯାଇ ଟେବୁଲ ବେଞ୍ଚର ଶେଷ ଭାଗରେ ଶୋଇପଡ଼ିଥିଲା ବୋଲି ଗ୍ରାମବାସୀ ଓ ଛାତ୍ରୀଙ୍କ ପରିବାର ବର୍ଗ କହିଛନ୍ତି। ଅପରାହ୍ନ ୪ଟା ପରେ ବିଦ୍ୟାଳୟର ଶ୍ରେଣୀ କକ୍ଷଗୁଡିକର ଝରକା-କବାଟ ବନ୍ଦ କରାଯାଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମସ୍ତ ଝରକା କବାଟ ବନ୍ଦ କରି ତାଲା ପକାଇ ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତିଙ୍କୁ ଚାବି ହସ୍ତାନ୍ତର କରି ଚାଲିଯାଇଥିଲେ। ଇତି ମଧ୍ୟରେ ପ୍ରବଳ ବର୍ଷିଥିଲା। ଛାତ୍ରୀଙ୍କ ପରିବାର ଲୋକେ ବର୍ଷା ଛାଡିବା ପରେ ଖୋଜାଖୋଜି ଆରମ୍ଭ କରିଥିଲେ। ଭାବିଥିଲେ ଯେ, ବର୍ଷା ଯୋଗୁଁ ପିଲାଟି ଗ୍ରାମର କାହାଘରେ ରହିଯାଇଥିବ। ହେଲେ କୌଣସି ସନ୍ଧାନ ନ ମିଳିବାରୁ ଉଭୟ ପରିବାରବର୍ଗ ଓ ଗ୍ରାମବାସୀ ମିଳିତ ଭାବେ ବହୁ ଖୋଜାଖୋଜି କରିଥିଲେ। ରାତି ୮ଟାରେ ସନ୍ଦେହ କରି ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତିଙ୍କ ଠାରୁ ଚାବି ଆଣି ବିଦ୍ୟାଳୟ ଖୋଲିଥିଲେ। ଖୋଜାଖୋଜି ପରେ ଛାତ୍ରୀକୁ ଶୋଇବା ଅବସ୍ଥାରେ ଉଦ୍ଧାର କରିଥିଲେ।
ପ୍ରକାଶ ଯେ, ଛାତ୍ରୀ ଜଣକ ମୁକ ଅଟନ୍ତି। ସେ କଥା କହିପାରୁ ନଥିବାର ଜଣାପଡିଛି। ମଙ୍ଗଳବାର ଖବର ପ୍ରଚାରିତ ହେବାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୁରାଣ୍ଡିସ୍ଥିତ ଗୋଷ୍ଠୀ ଚିକିତ୍ସାଳୟରେ ଛାତ୍ରୀ ଜଣକ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା। ଛାତ୍ରୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଡାକ୍ତର କହିବା ପରେ ନିଜ ଘରକୁ ଫେରାଇ ନେଇଥିଲେ ମଧ୍ୟ ଆଜି ପୁଣି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକା ଚିକିତ୍ସା ନିମନ୍ତେ ନିଆଯାଉଥିବାର ଛାତ୍ରୀଙ୍କ ପରିବାର ବର୍ଗଙ୍କ ସୂତ୍ରରୁ ପ୍ରକାଶ। ଏହି ଘଟଣା ଆଜି ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡି.କାମେୟାଙ୍କୁ ପଚରା ଯିବାରେ କହିଛନ୍ତି ଯେ, ଭୁଲବଶତଃ ଛାତ୍ରୀ ଜଣକ ଶ୍ରେଣୀ କକ୍ଷରେ ରହିଯାଇଥିଲେ। ବିଦ୍ୟାଳୟରେ ତାଲାପକାଇବା ପୂର୍ବରୁ ସମସ୍ତ ଯାଞ୍ଚ କରିବାର ଥିଲା ହେଲେ ବର୍ଷା କାରଣରୁ ଟିକେ ତରବର ହୋଇଗଲୁ। ଯାହାକି ସମ୍ପୂର୍ଣ୍ଣ ଭାବେ ଭୁଲ ହୋଇଛି । ଏପରି ଆଉ ଭବିଷ୍ୟତରେ ଭୁଲ ହେବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସେହିପରି ଗ୍ରାମବାସୀ ଓ ଛାତ୍ରୀଙ୍କ ପରିବାରବର୍ଗ କହିଛନ୍ତି ଯେ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ତମ ଶିକ୍ଷାଦାନ କରନ୍ତି।କିନ୍ତୁ ଦୁର୍ଭଗ୍ୟବଶତଃ ସୋମବାର ଦିନ ଏପରି ଘଟଣା ଘଟିଯାଇଛି।
ସମ୍ବନ୍ଧିତ ଖବର