ବାର୍‌ହା ମାରିବାକୁ ଯାଇଥିଲେ: ଶିକାରୀ ଗୁଳିରେ ସାଥୀ ମୃତ

ଜମନକିରା: ପତ୍ରା ଜଙ୍ଗଲରେ ଗୋଡେଇ ଗୋଡ଼େଇ ବାର୍‌ହା ମାରିବା କାଳ ହୋଇଛି। ଗୋଟିଏ ପଟକୁ ଗୋଡ଼େଇ ବାର୍‌ହାକୁ ଲକ୍ଷ୍ୟ କରି ଶିକାରୀ ଗୁଳି କରୁଥିବା ବେଳେ ଉକ୍ତ ଗୁଳି ବାଜି ସାଥୀ ଶିକାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ରବିବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ପଣ୍ଡିବାହାଲ ଗାଁ’ରେ। ପ୍ରାପ୍ତ ସୂଚନାନୁସାରେ ୨ ବର୍ଷ ହେଲା ଜମନକିରା ବ୍ଲକ୍ ସିରିଡ଼ ବାସିନ୍ଦା ରାଜେନ୍ଦ୍ର କିଷାନ (୩୦) ଓରଫ ରାଜୁ ଶ୍ୱଶୁର ଘରେ ପଣ୍ଡିବାହାଲ ଗାଁ’ରେ ରହୁଥିଲେ।

ରବିବାର ସନ୍ଧ୍ୟାରେ ରାଜେନ୍ଦ୍ର ସହିତ ତାଙ୍କ ସଡ଼ୁ ଚୂଡ଼ାମଣି କିଷାନ ଓ ଗ୍ରାମର ଅନ୍ୟ ୩ ଜଣ ମିଶି ଫୁଟବଲ୍ ପଡ଼ିଆ ପାଖ ପତ୍ରା ଜଙ୍ଗଲକୁ ବାର୍‌ହା ମାରିବାକୁ ଯାଇଥିଲେ। ସଭିଏଁ ଗୋଟିଏ ପଟକୁ ବାର୍‌ହାକୁ ଗୋଡ଼େଇ ନେଉଥିଲେ। ଶିକାରୀ ଦେଶୀ ବନ୍ଧୁକ ଧରି ପତ୍ରା ଜଙ୍ଗଲରେ ଛକି ରହିଥିଲେ। ବୁଦା ଆଢୁଆଳେ ବାର୍‌ହାକୁ ଲକ୍ଷ୍ୟ କରି ଚଳାଇଥିବା ଗୁଳି ବାର୍‌ହା ପରିବର୍ତ୍ତେ ରାଜୁଙ୍କୁ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ବାର୍‌ହା ଶିକାର କରି ନ ପାରି ସଭିଏଁ ଗାଁ’କୁ ଫେରିଥି​ବା ବେଳେ ରାଜୁ ନ ଫେରିବାରୁ ସନ୍ଦେହ ଉପୁଜିଥିଲା। ରାତିରେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିବାରେ ସେଠାରେ ରାଜୁ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ଗୌଡ଼ପାଲି ଫାଣ୍ଡି ଅଧିକାରୀ ସୁଧୀର ମହାକୁଡ଼ ଜଙ୍ଗଲରୁ ଶବ ଉଦ୍ଧାର କରି ଗାଁ’କୁ ଆଥିଲେ। ସୋମବାର ସକାଳେ ଆଇଆଇସି ପ୍ରେମଜିତ ଦାସଙ୍କ ନେତୃତ୍ୱରେ ପୁଲିସ ଦଳ ପଣ୍ଡିବାହାଲ ଗାଁକୁ ଯାଇ ତଦନ୍ତ କରିଥିଲେ। ଏଥିରେ ସଂପୃକ୍ତ ଚୂଡ଼ାମଣିଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଧରି ପୁଲିସ ଜେରା କରୁଛି। ଖବର ପାଇ ଏସ୍‌ଡିପିଓ ରାଜକିଶୋର ମିଶ୍ର ଥାନାରେ ପହଞ୍ଚି ତନାଘନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର