ରାଜ୍ୟରେ ‌୧୧ ହଜାର ମୁହାଁ ଦୈନିକ ସଂକ୍ରମଣ

ଭାଇରାଲ ଫ୍ଲୁ ପାଇଁ ଆଣ୍ଟି ବାଇଓଟିକ୍ ଜରୁରୀ ନୁହେଁ : ଜନସ୍ବାସ୍ଥ୍ୟ ନିର୍ଦେଶକ
ଆଉ ୩୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୦୧ ଛୁଇଁଲା

ଭୁବନେଶ୍ବର : ରାଜ୍ୟରେ ‌କରୋନା ଗ୍ରାଫ୍‌ ୧୧ହଜାର ମୁହାଁ ହୋଇଛି। ଗତ ୨୪ଘଣ୍ଟାରେ ଦୈନିକ ସଂକ୍ରମଣରେ ୫ ପ୍ରତିଶତ ବୃଦ୍ଧି ହେବା ସହିତ ସଂଖ୍ୟା ୧୦ ହଜାର ୮୫୬ରେ ପହଞ୍ଚିଛି। ଚଳିତବର୍ଷର ଏହା ସର୍ବାଧିକ ଦୈନିକ ସଂକ୍ରମଣ। ଖୋର୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ୩ ହଜାର ଉପରେ ରହୁଛି। କିଛି ହାତଗଣତି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି। ଯାହାଫଳ‌ରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୦ହଜାର ନିକଟତର ହୋଇଛି।

ସେପଟେ ଓମିକ୍ରନ୍ ଜନିତ କରୋନାର ତୃତୀୟ ଲହରରେ ସଂକ୍ରମଣ ନିଆଁ ଭଳି ମାଡ଼ି ଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଚଳିତମାସ ଶେଷ ସପ୍ତାହ ଆଡ଼କୁ ରାଜ୍ୟରେ ଦୈନିକ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେଣୁ ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଜାରି ରହିବା ସ୍ପଷ୍ଟ ହୋଇଛି। ଗତ ୨୪ଘଣ୍ଟାରେ ଖୋର୍ଧା ଜିଲ୍ଲାରୁ ୩୦୮୭, ସୁନ୍ଦରଗଡ଼ ୧୯୪୩, କଟକ ୯୦୯, ବାଲେଶ୍ବର ୩୨୬, ବଲାଙ୍ଗୀର ୨୫୯, ମୟୂରଭଞ୍ଜ ୩୭୬, ସମ୍ବଲପୁର ୫୦୦, ଜଗତସିଂହପୁର ୨୨୨, ଯାଜପୁର ୨୧୦, ଝାରସୁଗୁଡ଼ା ୨୧୧, ପୁରୀ ୧୯୮, ରାୟଗଡ଼ା ୧୫୬, କୋରାପୁଟ ୧୬୫, କଳାହାଣ୍ଡି ୧୪୪, ଗଜପତି ୧୩୫, ଗଞ୍ଜାମ ୧୩୯ ଓ ଷ୍ଟେଟ୍‌ ପୁଲରୁ ୭୧୨ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୨୨ହଜାର ୭୩୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ବର୍ତମାନ ସୁଦ୍ଧା ୮୪୭୮ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ଆଜି ୩୨୨୦ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳ‌ରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୮,୫୮୯କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ରାଜ୍ୟରେ ୧୦,୫୫,୬୧୫ କୋଭିଡ ରୋଗୀ ସୁସ୍ଥ ହୋଇସାରିଲେଣି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏବେ ସୁଦ୍ଧା ଯେତିକି ଚିକିତ୍ସାଧୀନ ରୋଗୀ ରହିଛନ୍ତି ତହିଁରୁ ୧୧ଶହ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯାହାକି ସମୁଦାୟ ସଂଖ୍ୟାର ୨ ପ୍ରତିଶତ। ୩ଶହ ରୋଗୀ ଆଇସିୟୁରେ ରହିଛନ୍ତି। ଗାଇଡଲାଇନ୍ ଅନୁଯାୟୀ ବୃଦ୍ଧ ବ୍ୟକ୍ତିଙ୍କ ବି ଲକ୍ଷଣ କମ୍ ଥିଲେ ଆଇସୋଲେସନ୍‌ରେ ରହିବା ଭଲ। ଲକ୍ଷଣ ନ ଥିଲେ କିମ୍ବା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରିବା ଉଚିତ୍ ନୁହେଁ। ଏହାସହ ଅନାବଶ୍ୟକ ଭାବେ ଔଷଧ ବ୍ୟବହାର କରିବା ଉଚିତ୍ ନୁହେଁ। ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାଇଓଟିକ୍‌ର ଆବଶ୍ୟକତା ନାହିଁ। ତେଣୁ ଅଯଥା ମେଡିସିନ୍ ବ୍ୟବହାର କରିବା ଦରକାର ନାହିଁ ବୋଲି ଡା.ମିଶ୍ର କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ ଆଉ ୩୨ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍‌)ରେ ୪୨ଟି ନମୁନାର ଜିନୋମ ସିକ୍ବେନ୍ସିଂ କରାଯାଇଥିଲା। ଆକ୍ରାନ୍ତମାନେ ହେଉଛନ୍ତି ଭିମସାର ବୁର୍ଲା ୧୪, ଜଗତସିଂହପୁର ୪, ପୁରୀ ୩, ଖୋର୍ଧା ୧୦, ସୋନପୁରରୁ ଜଣେ ଆକ୍ରାନ୍ତ ବାହାରିଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ରାଜ୍ୟରେ ବର୍ତମାନ ସୁଦ୍ଧା ୨୦୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ରାଜ୍ୟରେ କରୋନା ଚିହ୍ନଟ ହେଉଥିବା ଅଧିକାଂଶ କ୍ଲଷ୍ଟରରେ ଓମିକ୍ରନ୍ ଜନିତ ସଂକ୍ରମିତ ହେଉଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର