ଫସଲ ବୀମା ଦାବି: ଟିଟିଲାଗଡ଼ରେ ଚାଷୀଙ୍କ ସହ ପୁଲିସର ଧସ୍ତାଧସ୍ତି

ରେଳ ରୋକ, ଟ୍ରେନ୍‌ ଚଳଚଳ ପ୍ରଭାବିତ

ଟିଟିଲାଗଡ଼: ଗତ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ଦାବିରେ ଶୁକ୍ରବାର ଟିଟିଲାଗଡ଼ଠାରେ ଗର୍ଜିଥିଲା ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଗଠନ। ହଜାର ହଜାର ଚାଷୀ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରେଳ ଷ୍ଟେସନକୁ ଧସେଇ ପଶିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ପୁଲିସ ସହ ଧସ୍ତାଧସ୍ତି ସମୟରେ ଚାଷୀନେତା ଓ ରେଳ ସୁରକ୍ଷା ବଳ କର୍ମଚାରୀ ତଳେ ପଡ଼ି ଯାଇଥିଲେ।

ସୂଚନା‌ ଅନୁସାରେ, ୨୦୨୧ ମସିହାରେ ଜିଲ୍ଲାର ୧୪ଟି ଯାକ ବ୍ଲକ୍‌ର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ। ଜିଲ୍ଲାର ୯୫ଟି ପଞ୍ଚାୟତ ବୀମା ପାଇବାର ହକ୍‌ଦାର ଥିବା ବେଳେ ଗତ ଏକବର୍ଷ ଧରି ବୀମା କମ୍ପାନି ବୀମା ରାଶି ପଇଠ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଚାଷୀ ସଂଗଠନ ଅଭିଯୋଗ କରିଛି। ବୀମା ରାଶି ତୁରନ୍ତ ପଇଠ କରିବା ନେଇ ଅନେକଥର ଦାବି କରି ଆନ୍ଦୋଳନ କରିଛି ଜିଲ୍ଲା କୃଷକ ମହାସଂଗଠନ। ସବୁ ସମୟରେ ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିଲା। କୌଣସି ସୁଫଳ ମିଳୁ ନଥିବାରୁ କୃଷକ ମହାସଂଗଠନ ଚଳିତ ମାସ ୧୩ ତାରିଖ ଯାଏ ମହଲତ ଦେଇଥିଲା। ତଥାପି କୌଣସି ପଦକ୍ଷେପ ନିଆ ନଯିବାରୁ ଶୁକ୍ରବାର ଟିଟିଲାଗଡ଼ ସହରରେ ରେଳରୋକ ଆନ୍ଦୋଳନ କରିଛି। ଟିଟିଲାଗଡ଼ ହାଇସ୍କୁଲ ଖେଳପଡ଼ିଆରୁ କୃଷକ ସଂଗଠନ ଜିଲ୍ଲା ସଭାପତି ଯତୀ ପ୍ରଧାନ, ସମ୍ପାଦକ ଚଗଲା ପରିଚ୍ଛା, ଯୁଗ୍ମସମ୍ପାଦକ ଗଗନ ନାଥ, ସଂଯୋଜକ ବୀରେନ୍ଦ୍ର ବାଗ, ମଧୁସୂଦନ କ୍ଷେତି, ମଦନ ମୋହନ କୁମ୍ଭାର, କୃଷ୍ଣ ବଗର୍ତ୍ତି, କ୍ଷମାନିଧି ଭୋଇ, କୃଷ୍ଣ ନାୟକଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ କେନ୍ଦ୍ର ଏବଂ ରାଜ୍ୟ ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଷ୍ଟେସନକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଷ୍ଟେସନରେ ଅଟକିଥିବା ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଆଗରେ ଧାରଣା ଦେବା ସହ ଟ୍ରେନ୍‌କୁ ବହୁ ସମୟ ଧରି ଅଟକ ରଖିଥିଲେ।

ଷ୍ଟେସନର ପାଞ୍ଚ ଗୋଟି ପ୍ଲାଟ୍‌ଫର୍ମକୁ ଚାଷୀମାନେ କବ୍‌ଜା କରିଥିଲେ। ଉପସ୍ଥିତ ରେଳବାଇ ସୁରକ୍ଷା ବଳ, ଜିଆର୍‌ପି ଏବଂ ଟିଟିଲାଗଡ଼ ପୁଲିସ ସହ ଚାଷୀମାନଙ୍କ ଧସ୍ତାଧସ୍ତି ହୋଇଥିଲା। ରେଳରୋକ ଯୋଗୁଁ ଟ୍ରେନ୍‌ ଚାଳଚଳ ବାଧାପ୍ରାପ୍ତ ହୋଇଥିଲା। ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆସି ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଜିଦ୍‌ରେ ଅଟଳ ରହିଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନିତିନ କୁଶଲକର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଚାଷୀମାନେ ଦୁଇଗୋଟି ମୁଖ୍ୟ ଦାବି ପ୍ରଶାସନ ଆଗରେ ରଖିଥିଲେ। ବୀମା କମ୍ପାନିର ଓଡ଼ିଶା ମୁଖ୍ୟଙ୍କୁ ଏବଂ ବୀମା କମ୍ପାନିର ନିର୍ଦେଶକଙ୍କୁ ଗିରଫ କରି ବୀମା ଟଙ୍କା ନଦେବା ଯାଏ ଜିଲ୍ଲା ପୁଲିସ ଅଟକ ରଖିବା ସହ ବୀମା ଟଙ୍କା ଫେରାଇବା ପାଇଁ ଚାପ ପ୍ରୟୋଗ କରିବାକୁ ଦାବି କରିଥିଲେ। ଚାଷୀମାନଙ୍କ ପ୍ରଥମ ଦାବୀକୁ ଜିଲ୍ଲା ପ୍ରଶାସନ ସ୍ୱୀକାର କରିବା ସହ ବୀମା କମ୍ପାନି ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନ ସାମୟିକ ଭାବେ ପ୍ରତ୍ୟାହାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣ ନାୟକ, ସୁଧାଂଶୁ ଦାସ, କ୍ଷମାନିଧି ଦଳପତି, ରମେଶ ବେହେରା, ଫକିର ବେହେରା, ନିତ୍ୟାନନ୍ଦ ବେହେରା, କନ୍ଦର୍ପ ଦନ୍ତା, ଇନ୍ଦ୍ରମଣି ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ହଜାର ହଜାର ଚାଷୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର