ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଞ୍ଚାୟତ ଜାନିସାହି ଗ୍ରାମର କାର୍ଯ୍ୟରତ ଜଣେ ସହିଦ୍ ଯବାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ସହିଦ୍ ଯବାନ ଜଣଙ୍କ ହେଲେ ଗ୍ରାମର ସ୍ବର୍ଗତ ଅଜୁର୍ନ ପ୍ରଧାନଙ୍କ ପୁଅ ମହେଶ୍ବର ପ୍ରଧାନ (୫୬)। ସେ ବିଏସ୍ଏଫ୍‌ରେ ନିୟୋଜିତ ଥିବାବେଳେ ଜଟଣୀସ୍ଥିତ କ୍ୟାମ୍ପରେ ୱାର୍ସେଲ୍ ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ। ସେ ୧୯୮୯ ମସିହାରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍‌)ରେ ଯୋଗ ଦେଇଥିଲେ। ଡ୍ୟୁଟି ସମୟରେ ଗତ ଶୁକ୍ରବାର ଦିନ ତାଙ୍କର ମୁଣ୍ତ ବୁଲାଇଥିଲା। ତାଙ୍କୁ ଭୁବନେଶ୍ବର ନେଇ ଚିକିତ୍ସିତ କରାଯାଇଥିଲା। ମାତ୍ର ରବିବାର ଦିନ ରାତି ପ୍ରାୟ ସାଢେ ୧ଟାରେ ହଠାତ୍ ଗୁରୁତର ହୋଇ ପଡିବାରୁ ଭୁବନେଶ୍ବରର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଗତକାଲି ଭୋର ପ୍ରାୟ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି।

ମୃତ୍ୟୁପରେ ମର ଶରୀରରକୁ କ୍ୟାମ୍ପ ପରିସରକୁ ନିଆଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଗାଡି ଯୋଗେ ବିଏସ୍ଏଫ୍‌ ଅଧିକାରୀ ଏବଂ ଯବାନମାନେ ଧରି ଅପରାହ୍ଣରେ ଗ୍ରାମରେ ପହଁଚିଥିଲେ। ଗ୍ରାମରେ ଶତାଧିକ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀକୁମାର ରଥ, ଅତିରିକ୍ତ ତହସିଲଦାର କେ. ଭେଙ୍କଟେଶ୍ବର ରାଓ, ଥାନା ଅଧିକାରୀ ବସନ୍ତ କୁମାର ସାହୁ, ବିଧାୟକ ରମେଶ ଚନ୍ଦ୍ର ବେହେରା, ଏନ୍ଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦଶିର୍ନୀ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ପଂଚାୟତର ସମିତିସଭ୍ୟ ଧ୍ରୁବ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପାଥିର୍ବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସେହିଭଳି ପ୍ରେସ କ୍ଲବ ଦଶପଲ୍ଲା ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶେଷରେ ଗ୍ରାମ ଶ୍ମସାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଗାର୍ଡ ଅଫ ଅନର୍ ଦିଆଯାଇ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି। ତାଙ୍କର ଦୁଇପୁଅ ଅବିନାଶ ଏବଂ ଅଭିଷେକ ଉପସ୍ଥିତ ଥିବା ବେଳେ ବଡପୁଅ ଅବିନାଶ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର