ସୁନ୍ଦରଗଡ଼/ସବଡେଗା: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା ଘୁଟୁପଡାରେ ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତାଙ୍କ ନାମ ପ୍ରମିଳା ସୋରେଙ୍ଗ (୩୫)। ପୁଲିସ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ହତ୍ଯାର ସଠିକ କାରଣ ଜଣା ପଡି ନଥିଲେ ବି
ଅନୈତିକ ସମ୍ପର୍କ ସନ୍ଦେହ କରି ତାଙ୍କ ସ୍ବାମୀ ମହିଳାଙ୍କ ତଣ୍ଟି ଚିପି ହତ୍ଯା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ପରେ ସ୍ବାମୀ ଅଲୀ ଫେରାର ହୋଇଯାଇଥିବାରୁ ହତ୍ଯା ସନ୍ଦେହ ଅଧିକ ଘନୀଭୂତ ହୋଇଛି। ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଘୁଟୁପଡା ରୁନି କାହାଲିଙ୍କ ଘରେ କିଛି ଦିନ ହେଲା ଅଲୀ, ପତ୍ନୀ ପ୍ରମିଳା ଓ ୭ ବର୍ଷର ପୁଅ ସହ ଭଡାରେ ରହୁଥିଲେ। ଅଲୀ ସବଡେଗା ବଂଶଲ ଟ୍ରେଡର୍ସରେ ଶ୍ରମିକ ଭାବେ କାମ କରୁଥିଲେ। ସବୁ ଠିକଠାକ୍ ଥିବାବେଳେ ଗତ ୧୬ ତାରିଖରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଝଗଡା କରିଥିଲା।।ଉଭୟଙ୍କ ମଧ୍ଯରେ ବହୁତ ପାଟିତୁଣ୍ଡ ହୋଇଥିଲା। ଘଟଣାର ୩ ଦିନ ପରେ ଭଡା ଘରୁ ଦୁର୍ଗନ୍ଧ ହେବା ଓ ଭଡାଟିଆ ପରିବାରର ଦେଖା ନଥିବାରୁ ଲୋକେ ତଳସରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସିଥିଲେ ବି ଘରେ ତାଲା ପଡିଥିବାରୁ ମାଜିଷ୍ଟ୍ରେଟଙ୍କ ଆବଶ୍ଯକ ପଡିଥିଲା। ପରେ ମାଜିଷ୍ଟ୍ରେଟ୍ ତହସିଲଦାର ସୁମନ ମିଞ୍ଜ ଓ ସାଇଣ୍ଟିଫିକ ଟିମ୍ ର ଉପସ୍ଥିତିରେ ପୁଲିସ ତାଲା ଭାଙ୍ଗି ମୃତଦେହକୁ ବାହାର କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା। ସ୍ବାମୀ ଓ ପୁଅ ନଥିବାରୁ ପ୍ରମିଳାକୁ ହତ୍ଯା କରିବା ପରେ ପୁଅକୁ ନେଇ ଅଲୀ ଫେରାର ହୋଇଯାଇଥିବା କୁହାଯାଉଛି।। ୧୭ ତାରିଖ ସକାଳେ ଅଲୀ ବଂଶଲ ଟ୍ରେଡର୍ସ ମାଲିକଙ୍କୁ ଭେଟି କୁଆଡେ ଘୁଟୁପଡାର ଜଣେ ମଦ ବେପାରୀ ସହ ସ୍ତ୍ରୀର ଖରାପ ସମ୍ପର୍କ ଥିବା ଓ ପୁଅ ସମ୍ମୁଖରେ ସେମାନେ ଶାରୀରିକ ସମ୍ପର୍କ ରଖିଥିବା କହି କାନ୍ଦି ପକାଇଥିଲେ। ବସରେ ବାପପୁଅ ଚାଲି ଯାଇଥିବା ସୂଚନା ମିଳିଛି।