ଗୁପ୍ତେଶ୍ୱର ଦର୍ଶନ ନୋହିଲା; ଗଛରେ ପିଟି ହୋଇ କାର୍ ଚାଳକଙ୍କ ମୃତ୍ୟୁ, ମରଣମୁହଁରୁ ବର୍ତ୍ତିଗଲେ ମା’ ଓ ଝିଅ

ବୈପାରିଗୁଡା: ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଏକ କାର୍‌ ରାମଗିରି ଛକରେ ଭାରସାମ୍ୟ ହରାଇଛି। କାର୍‌ଟି ଗଛରେ ପିଟି ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ମା’-ଝିଅ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ମୃତ କାର୍‌ ଚାଳକ ହେଲେ ସନ୍ତୋଷ କୁମାର ପ୍ରଧାନୀ।

ସୂଚନା ଅନୁଯାୟୀ, ଆଜି ସକାଳୁ ଜୟପୁର କେଲାନଗର ବାସିନ୍ଦା ଗୌରୀ ପ୍ରସାଦ ଦାସଙ୍କ ପତ୍ନୀ ସୁଜାତା ମହାପାତ୍ର (୫୬) ଏବଂ ଝିଅ ଶର୍ମିଷ୍ଠା ଦେବୀ ଦାସ (୨୩) କାର୍ ଯୋଗେ ଗୁପ୍ତେଶ୍ୱରଙ୍କ ଦର୍ଶନ ନିମନ୍ତେ ବାହାରିଥିଲେ। ଶ୍ରୀ ଦାସ ଜରୁରୀ କାମ ହେତୁ ନିଜେ ନଯାଇ ସମ୍ବାରତୋଟାର ସନ୍ତୋଷ କୁମାର ପ୍ରଧାନୀଙ୍କୁ କାର ଚଳାଇବା ପାଇଁ ପଠେଇ ଥିଲେ। ସନ୍ତୋଷ ମା’-ଝିଅଙ୍କୁ କାର୍ (ଓଆର୍ ୦୨ ଏନ୍ ୧୮୦୦) ନେଇକି ଗୁପ୍ତେଶ୍ବର ଅଭିମୁଖେ ଯାଉଥିବା ବେଳେ ରାମଗିରି ଛକରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ କାର୍‌ଟି ରାସ୍ତାକଡ଼ରେ ଥିବା ଏକ ବିଶାଳ ଗଛରେ ଯାଇ ପିଟି ହୋଇଥିଲା।

ଖବର ପାଇ ରାମଗିରି ଫାଣ୍ଡି ଏଏସାଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ରାମଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସନ୍ତୋଷଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇ ଦିଆଯାଇଥିଲା। ତେବେ ବୈପାରିଗୁଡାରେ ସନ୍ତୋଷଙ୍କ ମୃତ୍ୟୁ ହୋଇଯାଇଥିବା ଡ଼ାକ୍ତର ପ୍ରକାଶ କରିଥିଲେ। କାରରେ ଥିବା ସୁଜାତା ମହାପାତ୍ର ଏବଂ ଶର୍ମିଷ୍ଠା ଦେବୀ ଦାସ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁଜାତାଙ୍କ କାନ୍ଧରେ ଏବଂ ଶର୍ମିଷ୍ଠାଙ୍କ ଓଠରେ ଆଘାତ ଲାଗିଥିବା ପ୍ରକାଶ। ପୁଲିସ ଖବର ପାଇ ସନ୍ତୋଷଙ୍କ ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତହେଦ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର