ଯୁଦ୍ଧ ଆଳରେ ଖାଇବା ତେଲ ଦର ଲଗାମଛଡ଼ା: ଲିଟର ପିଛା ୪୦ରୁ ୫୦ ଟଙ୍କା ବୃଦ୍ଧି

ଖାଉଟିଙ୍କୁ ଲୁଟୁଛନ୍ତି ମୁନଫାଖୋର ବ୍ୟବସାୟୀ, ଯାଞ୍ଚ୍‌ ନିର୍ଦ୍ଦେଶ ସତ୍ତ୍ବେ ଯୋଗାଣ ବିଭାଗ ଚୁପ୍‌

ବାରିପଦା: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଯୁଦ୍ଧ। ଏଥି ଯୋଗୁ ଦୁଇ ଦେଶରୁ ଆସୁଥିବା ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍‌ ତେଲ ଆମଦାନି ବାଧାପ୍ରାପ୍ତ ହୋଇଛି। ଫଳରେ ସବୁ ଆଡ଼େ ଖାଇବା ତେଲଦର ହଠାତ୍‌ ହୁହୁ ହୋଇ ବଢି ଚାଲିଛି। ଏହାର ସୁଯୋଗରେ କିଛି ମୁନଫାଖୋର ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ତେଲର କଳାବଜାର ଆରମ୍ଭ କରିଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସପ୍ତାହ ହେଲା ତେଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏପରି ବହୁ ଅଭିଯୋଗ ଆସିବା ପରେ ଦର ନିୟନ୍ତ୍ରଣ କରିବା ଓ ଚଢଉ କରିବାକୁ ଜିଲ୍ଲାପାଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଯୋଗାଣ ବିଭାଗ ଚୁପ୍ ରହୁଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ରିଫାଇନ୍ ଏବଂ ସୋରିଷ ତେଲ ଲିଟର୍‌ ପିଛା ୪୦ରୁ ୫୦ ଟଙ୍କା ଯାଏଁ ବଢିଛି। ସପ୍ତାହ ପୂର୍ବେ ରିଫାଇନ୍ ତେଲ ଲିଟର୍‌ ପିଛା ୧୪୦ ଟଙ୍କା ଥିଲା। ଏବେ ୧୭୫ ଟଙ୍କାରେ ପହଞ୍ଚିଛି। ସେହିପରି ସୋରିଷ ତେଲ ପୂର୍ବରୁ ଲିଟର ପିଛା‌ ୧୭୦ରୁ ୧୮୦ ଟଙ୍କା ଥିଲା। ଏବେ ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି। ଯୁଦ୍ଧ ଘୋଷଣା ହେବା ପରଠୁ ବ୍ୟବସାୟୀମାନେ ପ୍ରଚୁର ମାତ୍ରାରେ ତେଲ ଷ୍ଟକ୍‌ ରଖିଥିଲେ। ଏବେ ସେସବୁ ତେଲ ଚଢ଼ା ଦରରେ ବିକ୍ରି କରୁଛନ୍ତି। ତେଲ ପାଉଚ୍‌ କିମ୍ବା ବୋତଲରେ ଏମ୍‌ଆର୍‌ପି ମୂଲ୍ୟ କମ୍‌ ରହୁଛି। ହେଲେ ଉପାୟ ନପାଇ ଚଢା ଦରରେ ଗ୍ରାହକ କିଣିବାକୁ ବାଧ୍ୟ ହେଉଛନ୍ତି। ଆଗକୁ ଆହୁରି ଦର ବଢ଼ିବ, ସେହି ଆଶଂକାରେ ଲୋକମାନେ ଆବଶ୍ୟତାଠାରୁ ଅଧିକ ତେଲ ଚଢା ଦରରେ କିଣି ଘରେ ଗଚ୍ଛିତ ରଖୁଥିବା ବି ଦେଖିବାକୁ ମିଳୁଛି।

‌ହେଲେ ମୁନଫାଖୋର ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇ ଯୋଗାଣ ବିଭାଗ ଚୁପ୍ ରହୁଥିବା ଅଭିଯୋଗ ହେଉଛି। ତେବେ ପୁରୁଣା ଷ୍ଟକ୍‌ ମହଜୁଦ୍ ଥିବା ବେଳେ ଯୁଦ୍ଧ ଆଳ ଦେଖାଇ ବ୍ୟବସାୟୀମାନେ ଚଢା ଦରରେ ତେଲ ବିକ୍ରି କରିବା ଠିକ୍ ନୁହେଁ ବୋଲି କହନ୍ତି ଖାଉଟି ଦେବରାଜ ଅଗ୍ରୱାଲ, ନିମାଇଁ ମହନ୍ତ, ସନ୍ତୋଷ ମହନ୍ତ ଓ ମନୋଜ କୁମାର ମହାନ୍ତି ପ୍ରମୁଖ। ତେବେ କିଛି ବ୍ୟବସାୟୀଙ୍କ କହିବା କଥା ହେଲା ଯୁଦ୍ଧ ଯୋଗୁ ତେଲ ଆମଦାନି ବାଧାପ୍ରାପ୍ତ ହୋଇଛି। ଏଥି ଯୋଗୁ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଛନ୍ତି। ତାମାନେ ନୁହେଁ ସବୁ ବ୍ୟବସାୟୀ ଏଭଳି କରୁଛନ୍ତି। ଚଢା ଦରରେ ତେଲ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେମାନେ କହିଛନ୍ତି। ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏ ଦିଗ‌ରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର