ରଥଯାତ୍ରାରେ ମନେ ପଡ଼ନ୍ତି ‘ଗଙ୍ଗାରାମ’,‘ଲକ୍ଷ୍ମୀ’ ହାତୀ

ମସ୍ତିଷ୍କ ବିକୃତି ପାଇଁ ମରାଯାଇଥିଲା ଗଙ୍ଗାରାମ, ବାଟରେ ଟଳି ପଡ଼ିଥିଲା ଲକ୍ଷ୍ମୀ

ପୁରୀ : ରଥଯାତ୍ରା ପରମ୍ପରାରେ ଆକର୍ଷଣ ସାଜିଥିଲା ହାତୀ। କଥିତ ଅଛି ରଥକୁ ହାତୀ ପଛରୁ ମୁଣ୍ଡ ଦେଇ ଠେଲିବାରେ ସହଯୋଗ କରୁଥିଲା। ମାତ୍ର ଗବେଷକଙ୍କ ମତରେ ଗଜପତି ମହାରାଜ ରଥରେ ଛେରାପହଁରା ସେବା କରିବା ବେଳେ ସୁସଜ୍ଜିତ ହାତୀ ଶୋଭାଯାତ୍ରାରେ ସର୍ବାଗ୍ରେ ରହୁଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ଭକ୍ତମାନେ ଉତ୍କଣ୍ଠାର ସହ ପ୍ରତୀକ୍ଷା କରୁଥିଲେ। ମାତ୍ର ଧୀରେଧୀରେ ଏହି ପରମ୍ପରା ବନ୍ଦ ହେଲା। ଗଙ୍ଗାରାମ ନାମକ ଏକ ହାତୀକୁ ମାରି ଦିଆଗଲା ଓ ଉତ୍ତରପ୍ରଦେଶରୁ ଆସିଥିବା ହାତୀ ‘ଲକ୍ଷ୍ମୀ’ ଫେରିବା ବାଟରେ ମୃତ୍ୟୁବରଣ କରିଥିଲା। ଏହାପରଠୁ ଆଉ ରଥଯାତ୍ରାରେ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳିନାହିଁ।

ରଥଯାତ୍ରାରେ ହାତୀ ସୁସଜ୍ଜିତ ହୋଇ ଛେରାପହଁରା ଶୋଭାଯାତ୍ରାରେ ଗଜପତିଙ୍କ ଆଗେଆଗେ ଚାଲୁଥିଲା। ଏହି ପରମ୍ପରାକୁ ବଜାୟ ରଖିବା ଲାଗି ପୁରୀ ଗଜପତି ମହାରାଜଙ୍କ ଦ୍ବାରା ୫ଟି ହାତୀ ପାଳିତ ହେଉଥିଲେ। ମାତ୍ର ଶେଷରେ ଆଉ ୨ଟି ହାତୀ ଜୀବିତ ଥିଲେ। ସେମାନଙ୍କ ମଧ୍ୟରେ ‘ଗଙ୍ଗାରାମ’ ହାତୀ ଥିଲା ବେଶ୍‌ ଜଣାଶୁଣା। ଏବେ ବି ରଥଯାତ୍ରାରେ ହାତୀ କଥା ଆଲୋଚନା ପରିସରକୁ ଆସିଲେ ପୁରୀବାସୀଙ୍କ ତୁଣ୍ଡକୁ ଚାଲି ଆସେ ‘ଗଙ୍ଗାରାମ’। ଗଙ୍ଗାରାମ ହାତୀ ଶୋଭାଯାତ୍ରାରେ ଭକ୍ତଙ୍କୁ ବାନ୍ଧି ରଖୁଥିଲା। ତେଣୁ ହାତୀ ଆସିବା କ୍ଷଣି ଗଙ୍ଗାରାମ ନାମରେ ହୁରି ପଡ଼ୁଥିଲା। ମାତ୍ର ଧୀରେଧୀରେ ଗଙ୍ଗାରାମର ମସ୍ତିଷ୍କ ବିକୃତି ଦେଖାଗଲା। ତେଣୁ ଏହି ହାତୀକୁ ଗଜପତି ମହାରାଜ ବୀରକିଶୋର ଦେବଙ୍କ ରାଜତ୍ବ ସମୟ (୧୯୫୬-୧୯୭୦)ରେ ମାରି ଦିଆଯାଇଥିଲା। ରାଜାଙ୍କର ଶେଷ ହାତୀର ନାଁ ଥିଲା ‘ମୋତି’। ମାତ୍ର ଏକ ଆକସ୍ମିକ ଦୁର୍ଘଟଣାରେ ୧୯୭୭ ମସିହାରେ ତା’ର ମୃତ୍ୟୁ ହୋଇଯାଇଥିଲା। ହାତୀ ପାଳନ ବହୁ ବ୍ୟୟସାପେକ୍ଷ ହେଉଥିବାରୁ ଗଜପତିଙ୍କ ବଂଶରେ ହାତୀ ପାଳନ ପରମ୍ପରାର ପୂର୍ଣ୍ଣଛେଦ ପଡ଼ିଲା।

ରାଜାମାନେ ସିନା ହାତୀ ପାଳିଲେ ନାହିଁ, କିନ୍ତୁ ରଥ ପରମ୍ପରାରେ ହାତୀର ସମ୍ପୃକ୍ତି ପାଇଁ ଉଦ୍ୟମ ଅବ୍ୟାହତ ଥିଲା। ୨୦୦୧ ଓ ୨୦୦୨ ମସିହାରେ ଉତ୍ତରପ୍ରଦେଶର ବାରଣାସୀର ଜଈେ ହାତୀ ବ୍ୟବସାୟୀ ଦୁଇଟି ହାତୀ ପୁରୀକୁ ଆଣି ରଥଯାତ୍ରା ପରେ ଫେରାଇ ନେଉଥିଲେ। ୨୦୦୨ ମସିହାରେ ଶେଷଥର ପାଇ ‘ଲକ୍ଷ୍ମୀ’ ନାମକ ହାତୀ ସୁଦୂର ଉତ୍ତରପ୍ରଦେଶରୁ ଶ୍ରୀକ୍ଷେତ୍ର ଆସିଥିଲା। ରଥ ଟଣା ସରିଗଲା ପରେ ଲକ୍ଷ୍ମୀ ସହ ଅନ୍ୟ ଦୁଇ ହାତୀ ବି ଉତ୍ତରପ୍ରଦେଶ ଅଭିମୁଖେ ପ୍ରସ୍ଥାନ କରିଥିଲେ। କିନ୍ତୁ ବୀରନରସିଂହପୁର ବାଲିଗୋରଡ଼ି ଗାଁ ବିରିବାଡ଼ିଆ ନିକଟରେ ବିଶ୍ରାମ ନେବା ପାଇଁ ମାହୁନ୍ତ ହାତୀମାନଙ୍କୁ ଅଟକାଇବା ମାତ୍ରେ ଟଳିପଡ଼ିଥିଲା ଲକ୍ଷ୍ମୀ। ପାଦରେ ଏକ କାଚ ବୋତଲ ପଶି ପ୍ରବଳ ରକ୍ତସ୍ରାବ ହେଉଥିଲା। ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ ଲକ୍ଷ୍ମୀ ଅପେକ୍ଷା କରିଥିଲା ମାହୁନ୍ତର ନିର୍ଦ୍ଦେଶକୁ। ଲକ୍ଷ୍ମୀର ଏଭଳି ଅବସ୍ଥା କଥା ସଙ୍ଗେସଙ୍ଗେ ପ୍ରଘଟ ହୋଇଗଲା। ସରକାର କେରଳରୁ ଡାକ୍ତର ଡକାଇ ଚିକିତ୍ସା ଆରମ୍ଭ କଲେ। ଲକ୍ଷ୍ମୀ ସୁସ୍ଥ ହୋଇଯିବା ମନାସୀ ଲୋକେ ଦୀପ ଜାଳିଲେ। ଯେମିତି ଲକ୍ଷ୍ମୀ ଥିଲା ବାଲିଗୋରଡ଼ି ଗ୍ରାମବାସୀଙ୍କ ପରିବାରର ସଦସ୍ୟ। ହେଲେ କମ୍‌ ଦିନ ମଧ୍ୟରେ ମାୟା ଲଗେଇ ଦେଇଥିବା ଲକ୍ଷ୍ମୀ ଆରପାରିକୁ ଚାଲିଗଲା। ରଥଟଣା ପରମ୍ପରାର ବାହକ ସାଜି ଆସିଥିବା ଶେଷ ହାତୀ ଶେଷରେ ମୃତ୍ୟୁକୁ ଆଦରିନେଲା। ୨୦୦୨ ମସିହାର ସେ ଘଟଣାର ମୁକସାକ୍ଷୀ ଭାବେ ଆଜି ବି ତିଷ୍ଠି ରହିଛି ଲକ୍ଷ୍ମୀର ସ୍ମୃତି। ଗାଁ’ରେ କୌଣସି ଲୋକକୁ ହୁଏତ କିଏ ଚିହ୍ନି ନଥାଇପାରେ, କିନ୍ତୁ ଲକ୍ଷ୍ମୀ ହାତୀର ଇତିହାସ ସମସ୍ତଙ୍କର ମୁଖସ୍ଥ। ରଥଯାତ୍ରା ଆସିଲେ ଲକ୍ଷ୍ମୀ ଭାରି ମନେପଡ଼େ।

ସମ୍ବନ୍ଧିତ ଖବର