ଚା‌ଷୀଙ୍କୁ କନ୍ଦେଇଲାଣି ଟମାଟୋ : କ୍ଷେତରେ ଦେଢ଼ ଟଙ୍କା, ଭୁବନେଶ୍ବରରେ ୧୦

ଅନୁଗୁଳ : କ୍ଷେତରେ ଅଭାବୀ ବିଲାତି ବାଇଗଣ (ଟମାଟୋ) ବିକ୍ରିର କୁପ୍ରଭାବ ଆଜି ପଡ଼ିଛି ଅନୁଗୁଳ ଗୁରୁବାର ହାଟରେ। ଆରମ୍ଭରୁ କେଜିକୁ ୫ଟଙ୍କାରେ ବିକ୍ରିବଟା ଚାଲିଥିଲା। ବେପାରି ମୂଳରୁ ଯାହା କିଛି ଲାଭ ଗୋଟାଇଥିଲେ। କିନ୍ତୁ ମଝିରେ ହଠାତ୍ ମାର୍କେଟ୍‌ରେ ଗଦେଇ ହୋଇଥିଲା ଟ୍ରେ ଟ୍ରେ ବିଲାତି। ଫଳତଃ ଚାହିଦାଠୁ ଯୋଗାଣ ବହୁ ଗୁଣ ଅଧିକ ହୋଇ ପଡ଼ିଥିଲା। ଯଚାଯଚି ସ୍ଥିତି ଉପୁଜିଥିଲା। ୫ଟଙ୍କାର ଦାମ୍‌ ସିଧା ଖସିଥିଲା ତଳକୁ। ୧୦ଟଙ୍କାରେ ଦେଢ଼ କିଲୋରୁ ତିନି କିଲୋ, ଶେଷରେ ୩ଟଙ୍କାର ହାତ ଟେକା ଦର ସତ୍ତ୍ବେ ମୁହଁ ଫେରାଇଥିଲେ ଖାଉଟି।

ଏ ସ୍ଥିତି ଆଜିର ନୁହେଁ, ବିଗତ କିଛି ଦିନ ହେଲାଣି ଅନୁଗୁଳ ଜିଲ୍ଲାର ବିଲାତି ଚାଷୀ ଏମିତି କ୍ଷତିକୁ ଅଙ୍ଗେ ନିଭାଉଛନ୍ତି। ଚାଷୀଙ୍କୁ ବିଲାତି ଏବେ କନ୍ଦାଉଥିବା ବେଳେ ରାଜଧାନୀ ଭୁବନେଶ୍ବର ଏବଂ କଳିଙ୍ଗ ନଗର ଭଳି ମା‌ର୍କେଟ୍‌ରେ ବିଲାତିକୁ ଭଲ ନ୍ୟାୟ ମିଳିଛି। ଅନୁଗୁଳ ହାଟରେ ଯେଉଁଠି ବିଲାତି କେଜି ୩ଟଙ୍କାରେ ଯଚାଯଚି, ସେଇଠି ଭୁବନେଶ୍ବର ୧ନମ୍ବର ନମ୍ବର ମାର୍କେଟ୍‌ରେ କେଜିକୁ ୧୦ରୁ ୧୫ଟଙ୍କା ଦରଦାମ୍‌ କେବଳ ଓଡ଼ିଶାର ଗାଁ ଓ ସହର ମଧ୍ୟରେ ଥିବା ଚାହିଦା ବୈଷମ୍ୟତାକୁ ପଦାରେ ପକାଉ ନାହିଁ, ବରଂ ରାଜଧାନୀରେ ଅନୁଗୁଳ ମାଲ୍‌ର ଅପହଞ୍ଚ ପାଇଁ ଅନୁଗୁଳ ଜିଲ୍ଲାର ଶହ ଶହ ଚାଷୀଙ୍କୁ କେତେ କ୍ଷତି ସହିବାକୁ ପଡ଼ୁଛି ତାହା ଉଭୟ ମାର୍କେଟ୍‌ର ତୁଳନାତ୍ମକ ଦର ପ୍ରମାଣିତ କରି ଦେଉଛି।

ଅପରପକ୍ଷେ ବିଲାତି ବାଇଗଣର ଏଭଳି ଗୁରୁତର ସ୍ଥିତିକୁ ଅନୁଗୁଳ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦେଶକ ପଦ୍ମଲୋଚନ ସାହୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ବିଲାତି ବାଇଗଣ କେଜିକୁ ୨/୩ଟଙ୍କାରେ ବିକ୍ରି ହେବା ଖବର ସେ ପାଇଛନ୍ତି। ଏମିତିକି, ଅଭାବୀ ବିକ୍ରି ପାଇଁ ବନ୍ତଳା ଅଞ୍ଚଳର ଚାଷୀ କ୍ଷେତରୁ ବିଲାତି ତୋଳୁ ନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର