ବୋହୂର ଠେଙ୍ଗା ମାଡ଼ରେ ଶ୍ବଶୁର ମୃତ

ଯଶିପୁର: ପାରିବାରିକ କଳହରୁ ଶ୍ବଶୁରଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ  ଜିଲ୍ଲା ଯଶିପୁର ଠାରୁ ୭୦ କିମି ଦୂର ଶିମିଳିପାଳ ଅଭୟାରଣ୍ୟ ଅସ୍ତକୁମାର ପଞ୍ଚାୟତ ଶେଷ ସୀମାନ୍ତ କୁକୁରଭୁକା ଗ୍ରାମରେ। ପୁଅର ଉପସ୍ଥିତିରେ ବାପାଙ୍କୁ ବୋହୂ ରକ୍ତମୁଖା ହୋଇ ପିଟି ଚାଲିଥିବା ବେଳେ ପୁଅ ନାଚାର ହୋଇ ପଡ଼ିଥିଲା। ଶେଷରେ ଘର ଅଗଣାରେ ବାପାଙ୍କ ଜୀବନ ଚାଲିଗଲା।

ଅଭିଯୋଗ ଅନୁସାରେ, ଯଶିପୁର ଥାନା କୁକୁରଭୁକା ଗାଁରେ ଗୋପାଳ ନାଗ(୪୫), ପୁଅ ମାସ୍କାଲ ନାଗ(୨୫), ବୋହୂ ଧାର୍ମିତା ସୁଣ୍ଡି(୨୦) ଓ ତାଙ୍କର ଦୁଇ ପୁଅଝିଅ ଏକାଠି ରହୁଥିଲେ। ଗତକାଲି ରାତିରେ କୌଣସି କାରଣରୁ ଶ୍ବଶୁର ଓ ବୋହୂ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବୋହୂ ଉତ୍ତ୍ୟକ୍ତ ହୋଇ ଘର ଅଗଣାରେ ପଡ଼ିଥିବା ଠେଙ୍ଗାରେ ଶ୍ୱଶୁରଙ୍କ ମୁଣ୍ଡକୁ ବାରମ୍ବାର ପ୍ରହାର କରିଥିଲା। ପୁଅ ମାସ୍କାଲ ଦୁଇଜଣଙ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ ହେଁ ଠେଙ୍ଗା ମାଡ଼ରେ ବାପା ଅଚେତ ହୋଇ ପଡ଼ିଥିଲେ। ଗୋପାଳଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହିତ କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଆଜି ସକାଳେ ଯଶିପୁର ଥାନାରେ ଖବର ପହଞ୍ଚିବା ପରେ ଆଇଆଇସି କ୍ଷମାସାଗର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏ ନେଇ ୬୨/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ।

ଅଭିଯୁକ୍ତ ବୋହୂ ଦୁଇ ସନ୍ତାନର ଜନନୀ ହୋଇଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର