ଆନ୍ଧ୍ର ବିରୋଧରେ ଜୋରଦାର ହେବ ଲଢ଼େଇ, ସବୁ ଦଳର ସହଯୋଗ ଲୋଡ଼ିଲେ ସଞ୍ଜୟ

କୋରାପୁଟ : କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ସଂପୂର୍ଣ୍ଣ ବେଆଇନ। ଏବେ ସବୁ ଦଳ ଏକାଠି ହେବାର ସମୟ ଆସିଛି। ଆଗକୁ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ବିରୋଧରେ ଲଢ଼େଇ ଜୋରଦାର ହେବ ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା।

ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା ଆନ୍ଧ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆନ୍ଧ୍ର ବିରୋଧରେ ସ୍ବରକୁ ଶାଣିତ କରିବାକୁ ସବୁ ଦଳମତ ନିର୍ବିଶେଷରେ ଆଗକୁ ଆସନ୍ତୁ ବୋଲି ଆହ୍ବାନ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ଗଠନ ହେବା ପୂର୍ବରୁ ଓଡ଼ିଶା ଭାଷା ଭିତ୍ତିରେ ୧୯୩୬ ମସିହାରେ ଗଠିତ ହୋଇଥିଲା। ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡ଼ିଶାର କୋରାପୁଟ ଲୋକସଭା ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଦେଇ ଆସୁଛନ୍ତି। ୧୯୫୩ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହେବାପରେ ଓଡ଼ିଶାର ଏହି ୨୧ଟି ଗ୍ରାମପୁଞ୍ଜକୁ ଅକ୍ତିଆର କରିବାକୁ ରୀତିମତ ପ୍ରୟାସ କରୁଛି। କୋଟିଆ ଆମର ଥିଲା, ଭବିଷ୍ୟତରେ ମଧ୍ୟ ଆମର ରହିବ। ଏଭଳି ବିସ୍ତାରବାଦୀ ନୀତିରୁ ଆନ୍ଧ୍ର ତୁରନ୍ତ ନିବୃତ୍ତ ରହିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଶ୍ରୀ ଦାସବର୍ମା। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାଜ୍ୟ ସରକାର ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନକୁ ତୁରନ୍ତ ବାତିଲ କରିବା ସହ ଆନ୍ଧ୍ର ସରକାର ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟ ଶାସନ ସଚିବ, ମୁଖ୍ୟ ନିର୍ବାଚନ କମିସନର ଓ ବିଜୟନଗର ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତା ଅବମାନନା ମାମଲା ଦାୟର କରିବାକୁ ପିଟିସନ ଦାଖଲ କରିଛନ୍ତି। ଆସନ୍ତାକାଲି ଏହି ମାମଲାର ଶୁଣାଣି ରହିଥିବାବେଳେ ଓଡ଼ିଶା ପକ୍ଷରୁ କଠୋର ତଥ୍ୟ ଉପସ୍ଥାପନା କରାଯାଇଥିବାରୁ ଏହି ରାୟ ରାଜ୍ୟ ସରକାରଙ୍କ ସପକ୍ଷରେ ଉଚ୍ଚତମ ନ୍ୟାୟାଳୟ ଦେବେ ବୋଲି ସେ କହିଛନ୍ତି।୧୩ ତାରିଖରେ ନିର୍ବାଚନ ରହିଥିବାରୁ ଏ ନେଇ ଓଡ଼ିଶା ସରକାର ଗୁରୁତ୍ବ ଦେଇ ସୁପ୍ରିମକୋର୍ଟରେ ପିଟିସନ ଦେଇଛନ୍ତି ବୋଲି ସେ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଇଂ. ଈଶ୍ବର ପାଣିଗ୍ରାହୀ, ତୁଳସୀ କିର୍ସାନୀ, ଅଶ୍ବିନ ସାହୁ, ସୂର୍ଯ୍ୟ ନାରାୟଣ ରଥ ଓ ଦୁର୍ଗା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର