ପୁଣି ତାଗିଦ କଲା ଅର୍ଥ ବିଭାଗ: ନିର୍ଧାରିତ ସମୟ ପୂର୍ବରୁ କାମ ସାର

ଠିକ୍ ସମୟରେ ଟ୍ରେଜେରିରେ ବିଲ୍‌ ଦାଖଲ କର, ପାଖରେ କିମ୍ବା ଆକାଉଣ୍ଟରେ ଟଙ୍କା ରଖନାହିଁ

ଭୁବନେଶ୍ବର: ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨୫ ଦିନ ସମୟ ଅଛି। ବିଭାଗଗୁଡ଼ିକ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ବିତ୍ତୀୟ ଶୃଙ୍ଖଳା ଦୃଷ୍ଟିରୁ ଆର୍ଥିକ କାର୍ଯ୍ୟଗୁଡ଼ିକୁ ନିର୍ଧାରିତ ସମୟ ପୂର୍ବରୁ ଶେଷ ‌କରିବା ଉପରେ ଅର୍ଥ ବିଭାଗ ଗୁରୁତ୍ବ ଦେଇ ଆସୁଛି। ଏନେଇ ବିଭାଗଗୁଡ଼ିକୁ ଅର୍ଥ ବିଭାଗ ପକ୍ଷରୁ ବାରମ୍ବାର ଚିଠି ଲେଖାଯାଉଛି। ପୂର୍ବରୁ ଫେବ୍ରୁଆରି ୮ ତାରିଖ ଓ ୨୬ ତାରିଖରେ ଅର୍ଥ ବିଭାଗ ଚିଠି ଲେଖିଥିବାବେଳେ ପୁଣି ୨୯ ତାରିଖରେ ଆଉ ଏକ ଚିଠି ଲେଖିଛି। ଆର୍ଥିକବର୍ଷର ଶେଷ ଦିନଗୁଡ଼ିକରେ ଯେଭଳି ଖର୍ଚ୍ଚର ଭିଡ଼ ଦେଖିବାକୁ ନମିଳିବ ସେ ନେଇ ତାଗିଦ କରାଯାଇଛି। ଆର୍ଥିକ ମଞ୍ଜୁରି, ଅର୍ଥ ଆବଣ୍ଟନ, ପୁନର୍ବିନିଯୋଜନ ଏବଂ ପାଣ୍ଠି ସମର୍ପଣ, କୋଷାଗାରରେ ବିଲ୍‌ ଦାଖଲ, ପାଣ୍ଠି ପ୍ରଦାନ ପାଇଁ ଅର୍ଥ ବିଭାଗ ନିକଟରେ ପ୍ରସ୍ତାବ ଦାଖଲ ଆଦିର ସମୟସୀମା ପୂର୍ବରୁ ଗତମାସ ୮ ତାରିଖରେ ସ୍ଥିର ହୋଇଥିଲା। ତେବେ ବିଭିନ୍ନ ବିଭାଗର ଅସୁବିଧାକୁ ଦୃଷ୍ଟିରେ ରଖି ସେହି ସମୟ ସୀମାରେ ପରେ ପରିବର୍ତ୍ତନ ଅଣାଯାଇଥିଲା। ଏହାପରେ ଗତ ୨୯ ତାରିଖରେ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଟ୍ରେଜେରିରେ ବିଲ୍‌ ଦାଖଲ ଓ ଅନ୍ୟାନ୍ୟ କାର୍ଯ୍ୟ ସଂପାଦନ ନେଇ ତାରିଖ ଓ ସମୟ ଧାର୍ଯ୍ୟ କରି ବିଭିନ୍ନ ବିଭାଗକୁ ଚିଠି ଲେଖିଛନ୍ତି। ଅନ୍ୟ ଆକସ୍ମିକ ପାଣ୍ଠି (ଅଦର କଣ୍ଟିଜେନ୍ସିଜ୍‌) ଅଧୀନରେ ଦାବି ସଂକ୍ରାନ୍ତ ସମସ୍ତ ବିଲ୍‌ ଏବଂ ଯନ୍ତ୍ରାଂଶ, ଉପକରଣ, ଗାଡ଼ି, ସେୟାର କ୍ୟାପି‌ଟାଲ ନିବେଶ; ସମବାୟ ସଂସ୍ଥା, ଶିଳ୍ପୋଦ୍ୟୋଗ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଋଣ କିମ୍ବା ସେୟାର କ୍ୟାପିଟାଲ ନିବେଶ କିମ୍ବା ସବସିଡି ଆକାରରେ ପ୍ରଦାନ କରାଯିବାକୁ ଥିବା ବଜେଟ୍‌ ସହାୟତା ସଂକ୍ରାନ୍ତ ବିଲ୍‌ ଚଳିତମାସ ୧୧ ତାରିଖ ସୁଦ୍ଧା ଟ୍ରେଜେରିରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦାଖଲ ହୋଇଥିବା ଉପରୋକ୍ତ ବିଲ୍‌ଗୁଡ଼ିକ ମଧ୍ୟରୁ ଯାହା ଉପରେ ଅଭିଯୋଗ ଉଠାଯାଇଛି ତାହାକୁ ଠିକ୍‌ କରିବା ପରେ ଆସନ୍ତା ୧୬ ତାରିଖ ସୁଦ୍ଧା ସେହି ବିଲ୍‌ ପୁନର୍ବାର ଦାଖଲ କରିବାକୁ କୁହାଯାଇଛି। ଉପରୋକ୍ତ ବର୍ଗ ବ୍ୟତୀତ ଅନ୍ୟସବୁ ବିଲ୍ ଆସନ୍ତା ୧୫ ତାରିଖ ସୁଦ୍ଧା ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉପରୋକ୍ତ କ୍ଷେତ୍ର ବ୍ୟତୀତ ଅନ୍ୟ ଯେଉଁ ବିଲ୍‌ ଉପରେ ଅଭିଯୋଗ ଆସିଛି ତାହାକୁ ଠିକ୍ କରିବା ପରେ ଆସନ୍ତା ୨୧ ତାରିଖ ସୁଦ୍ଧା ଟ୍ରେଜେରିରେ ପୁନଃଦାଖଲ କରିବାକୁ କୁହାଯାଇଛି।

ରିଲିଫ୍‌ ବା ପ୍ରାକୃତିକ ବିପର୍ଯ୍ୟୟ ସଂକ୍ରାନ୍ତ ଖର୍ଚ୍ଚ, ବିଜୁଳି ଚାର୍ଜ, ଟେଲିଫୋନ ଚାର୍ଜ, ଭଡ଼ା, ଟିକସ, ଗୃହନିର୍ମାଣ, ଗାଡ଼ି, ମେଡିକାଲ ଆଡଭାନ୍ସ, ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ପେନସନ, ବିଧବା ଭତ୍ତା, ମାଟ୍ରିକ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ମେଧାବୃତ୍ତି, ନୂଆ ଓ ମେଧାବୃତ୍ତି, ମଧ୍ୟାହ୍ନ ଭୋଜନ, ପୁଲିସ, ଅଗ୍ନିଶମ ସେବା, ଜେଲ୍‌, ଗୃହ ବିଭାଗ (ନିର୍ବାଚନ), ରାଜ୍ୟ ନିର୍ବାଚନ କମିସନ ଏବଂ ଅନ୍ୟ ନିର୍ବାଚନ ସଂକ୍ରାନ୍ତ ବିଲ୍, ଏନପିଏସ୍‌ ବାବଦ ଦେୟ ଆଦି ସଂକ୍ରାନ୍ତ ବିଲ୍‌ ଆସନ୍ତା ୨୨ ତାରିଖ ସୁଦ୍ଧା ଦାଖଲ କରିବାକୁ ଧାର୍ଯ୍ୟ କରାଯାଇଛି। ସେହଭଳି କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଏବଂ କେନ୍ଦ୍ରୀୟ ସହାୟତା ଯାହା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ମିଳିଛି ତାହାର ବିଲ୍ ମଧ୍ୟ ୨୨ ତାରିଖ ସୁଦ୍ଧା ଦାଖଲ କରିବାକୁ ହେବ। ଉକ୍ତ ବିଲ୍‌ ଦାଖଲ ନିୟମ କଡ଼ାକଡ଼ି ପାଳନ ହେବ ବୋଲି ଅର୍ଥ ବିଭାଗ କହିଛି।
ଏଥିସହିତ ବଜେଟ୍‌ ପାଣ୍ଠିକୁ ସିଭିଲ ଡିପୋଜିଟ୍‌କୁ ସ୍ଥାନାନ୍ତର ହେବନାହିଁ। ଯଦି ଉଠାଯିବାକୁ ଥିବା ଟଙ୍କା ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ କରାଯାଇ ପାରିବ ନାହିଁ ତା’ହେଲେ ତତ୍‌ସଂକ୍ରାନ୍ତ କୌଣସି ବିଲ୍ ବା ଦାବି ଟ୍ରେଜେରି, ସବ୍‌ ଡ୍ରେଜେରି, ସ୍ପେସାଲ ଟ୍ରେଜେରିରେ ଦାଖଲ କରାଯିବ ନାହିଁ। ଯେଉଁ ରାଶି ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ ହେବାର ସମ୍ଭାବନା ନାହିଁ ଅର୍ଥ ବିଭାଗକୁ ସୂଚନା ଦେଇ ତାହାକୁ ଧାର୍ଯ୍ୟ ସମୟ‌ରେ ଦାଖଲ କରିବାକୁ ହେବ। ବିଜୁଳି ଚାର୍ଜ, ରିଲିଫ ଖର୍ଚ୍ଚ, ବାହ୍ୟ ସହାୟତାରେ ଚାଲିଥିବା ପ୍ରକଳ୍ପ, ବିଜୁ ଗ୍ରାମ ଜ୍ୟୋତି ଯୋଜନା, ବିଜୁ ସହରାଞ୍ଚଳ ବିଦ୍ୟୁତୀକରଣ ଯୋଜନା, ଜେଲ୍ ଏବଂ ଡାକ୍ତରଖାନାର ଖାଦ୍ୟ ବାବଦ ଖର୍ଚ୍ଚ, ବୃଦ୍ଧାବସ୍ଥା ପେନସନ ବିଲ୍‌ ଧାର୍ଯ୍ୟ ସମୟ ପୂର୍ବରୁ ଦାଖଲ କରିବା ସମୟରେ ଯ‌ଥେଷ୍ଟ ସତର୍କତା ଅବଲମ୍ବନ କରାଯିବାକୁ ପରାମର୍ଶ ଦିଆଯାଇଛି। ମାର୍ଚ୍ଚ ୩୧ ତାରିଖ ରବିବାର ହୋଇଥିଲେ ମଧ୍ୟ ସରକାରୀ କାରବାର ପାଇଁ ରିଜର୍ଭ ବ୍ୟାଙ୍କର ଇ-କୁବେର ବ୍ୟବସ୍ଥାରେ କାର୍ଯ୍ୟ ସଂପାଦିତ ହେବ। ଶେଷ ମୁହୂର୍ତ୍ତରେ ହେଉଥିବା କାରବାରକୁ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ଏଜେନ୍ସି ବ୍ୟାଙ୍କର ସିବିଏସ୍‌ ବ୍ୟବସ୍ଥା ଗ୍ରହଣ କରି ନପାରେ। ତେଣୁ ଶେଷ ମୂହୂର୍ତ୍ତକୁ ଅପେକ୍ଷା ନକରି ଆଗୁଆ ଏସବୁ କାର୍ଯ୍ୟ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ କଣ୍ଟ୍ରୋଲିଂ ଅଫିସର ଓ ଡିଡିଓମାନଙ୍କୁ କୁହାଯାଇଛି। ଚେକ୍‌ ଉଠାଣ କରୁଥିବା ଜଙ୍ଗଲ ଓ ଇଞ୍ଜିନିୟରିଂ ବିଭାଗର ଡିଡିଓମାନେ ଇଲେକ୍ଟ୍ରୋନିକ ଚେକ୍‌କୁ ଯଥେଷ୍ଟ ଆଗୁଆ ଜାରି କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର