‘ଓଡ଼ିଆ ସାହିତ୍ୟର ଇତିହାସ’ ଲୋକାର୍ପିତ: ଇତିହାସ ବି ଭାଷା ଓ ସାହିତ୍ୟ ବିକାଶର ଭାବାବେଗ

ଭୁବନେଶ୍ୱର: ଗୋଟିଏ ଜାତିର ଇତିହାସ କେବଳ କୌଣସି କାଳଖଣ୍ଡର ଘଟଣାବଳି ନୁହେଁ, ଭାଷା ଓ ସାହିତ୍ୟ ବିକାଶର ଭାବାବେଗ ମଧ୍ୟ। କାଳଖଣ୍ଡର ଘଟଣାବଳି ସହିତ ଭାଷା ଓ ସାହିତ୍ୟର ଭାବାବେଗକୁ ଏକାଠି କରିଥିବାରୁ ସ୍ୱର୍ଗତ ନଟବର ସାମନ୍ତରାୟ ଓଡ଼ିଆ ଜାତି ପାଇଁ ଚିରସ୍ମରଣୀୟ ହୋଇରହିବେ। ଜଗନ୍ନାଥ ରଥ ପ୍ରକାଶନ ସଂସ୍ଥା ପକ୍ଷରୁ ସ୍ବର୍ଗତ ନଟବର ସାମନ୍ତରାୟଙ୍କ ଲିଖିତ ପୁସ୍ତକ ‘ଓଡ଼ିଆ ସାହିତ୍ୟର ଇତିହାସ’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ଯୁବପି଼ଢ଼ି ଭାଷା ଓ ସାହିତ୍ୟରୁ ଦୂରେଇ ଯାଉଛନ୍ତି। ଯଦି ଏଭଳି ତଥ୍ୟ, ପ୍ରମାଣଯୁକ୍ତ ସାହିତ୍ୟ ପ୍ରକାଶିତ ହେବ, ଯୁବପିଢ଼ି ସେସବୁକୁ ପଢ଼ିବାର ସୁଯୋଗ ସୃଷ୍ଟି କରାଯିବ, ସେମାନେ ନିଜ ଜାତିର ଗୌରବମୟ ଗାଥା ବୁଝିବେ ଏବଂ ନିଜକୁ ଓଡ଼ିଆ ବୋଲି କହି ଗର୍ବ କରିବେ। ତେଣୁ ଏହି ପୁସ୍ତକ ପ୍ରକାଶନ କରିଥିବା ସଂସ୍ଥାକୁ ସେ ଧନ୍ୟବାଦ ଦେଇଥିଲେ। ନିକଟରେ ଓଡ଼ିଆ ଭାଷାର ମହାକୁମ୍ଭ ସରିଥିବା ବେଳେ ଏହି ପୁସ୍ତକ ଉନ୍ମୋଚନ ଓଡ଼ିଆ ଭାଷା ବିକାଶରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ବିଶିଷ୍ଟ କଥାକାର ଗୌରହରି ଦାସ କହିଥିଲେ, ଲେଖକମାନେ ନିଜର ଲେଖା ପ୍ରତି ଦାୟିତ୍ୱସମ୍ପନ୍ନ ହେବା ଉଚିତ। ସ୍ବର୍ଗତ ସାମନ୍ତରାୟ ଆମ ସମସ୍ତଙ୍କ ଆଦର୍ଶ। ଗବେଷକମାନେ ତାଙ୍କୁ ବୁଝିବା‌କୁ ଚେଷ୍ଟାକରିବା ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଲେଖକ ତଥା ଗବେଷକ ଅସିତ ମହାନ୍ତି କହି‌ଲେ, ୬୦ ବର୍ଷ ପରେ ମଧ୍ୟ ଏହି ପୁସ୍ତକ ଲୋକପ୍ରିୟତା ହରାଇନାହିଁ। ଏହା ଆଗାମୀ ପିଢ଼ିଙ୍କ ସାହିତ୍ୟ ଜ୍ଞାନର ବିକାଶ କରିବ। ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ବିଜୟାନନ୍ଦ ସିଂହ ସଭାପତିତ୍ୱ କରିଥିଲେ। ଓଡ଼ିଆ ସାହିତ୍ୟର ଇତିହାସ ଜାଣିବା ପାଇଁ ଏହି ପୁସ୍ତକ ଶ୍ରେଷ୍ଠ ମାଧ୍ୟମ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଗତ ସାମନ୍ତରାୟଙ୍କ ପୁତ୍ର ଶମ୍ଭୁପ୍ରସାଦ ସାମନ୍ତରାୟ ଓ କନ୍ୟା ସୁଲେଖା ସାମନ୍ତରାୟ ଉପସ୍ଥିତ ଥିଲେ। ଗବେଷକ ସ୍ମରଣ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ପ୍ରକାଶନ ସଂସ୍ଥାର ଶୁଭାନ୍ୱେଷ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର