ପତ୍ନୀଙ୍କୁ ହତ୍ୟାକରି ସ୍ବାମୀର ଆତ୍ମହତ୍ୟା

ବାରିପଦା : ଘରୋଇ ଝଗଡ଼ାର ପରିଣତି ଏମିତି ବି କରୁଣ ହୋଇପାରେ! ଜଣେ ସ୍ବାମୀ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ସ୍ୱରୂପଭିଲା ପାତ୍ରସାହିରେ ଘଟିଛି ସେହିପରି ଏକ ଅଭାବନୀୟ ଘଟଣା।

ଉମାକାନ୍ତ ପାତ୍ର (୬୫) ଓ ସୁବୁନି ପାତ୍ର (୬୦)ଙ୍କ ପୁଅ ରଞ୍ଜନ ପାତ୍ର ହାର୍ଣ୍ଣିଆ ରୋଗରେ ପୀଡ଼ିତ ଥିଲେ। ସେ ଅସ୍ତ୍ରୋପଚ‌ାର ପାଇଁ କିଛିଦିନ ହେବ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ରହି ପତ୍ନୀ ରଞ୍ଜନଙ୍କ ଦେଖାଶୁଣା କରୁଥିଲେ। ବାପା ଉମାକାନ୍ତ ଓ ମାଆ ସୁବୁନି ସବୁଦିନ ପୁଅବୋହୂଙ୍କ ପାଇଁ ଖାଦ୍ୟ ନେଇ ଡାକ୍ତରଖାନାକୁ ଯାଉଥିଲେ। ତେବେ ଗତକାଲି ସେମାନେ ଡାକ୍ତରଖାନା ଯାଇ ନଥିଲେ। ଫଳରେ ଗୁରୁବାର ସକାଳେ ବୋହୂ ଘରକୁ ଯାଇଥିଲେ। ହେଲେ ଘର କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ସାହିବାସୀଙ୍କ ସହାୟତାରେ କବାଟ ଭଙ୍ଗାଯାଇଥିଲା। ଏହି ସମୟରେ ସୁବୁନିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘର ଅଗଣାରେ ପଡ଼ିଥିବା ବେଳେ ଉମାକାନ୍ତଙ୍କ ମୃତଶରୀର ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣା ସଂପର୍କରେ ପୁଅ ରଞ୍ଜନ ବାରିପଦା ସଦର ଥାନାକୁ ଜଣାଇଥିଲେ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର