ପୁରୀ : ୧୮୬୯ ମସିହାର ରଥଯାତ୍ରା ସୁରୁଖୁରୁରେ ସମ୍ପାଦନ ହୋଇଥିଲା। ମାତ୍ର ୩ ଦିନରେ ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଏହାର ଠିକ୍ ବର୍ଷେ ପୂର୍ବରୁ ନଈବଢ଼ିରେ ଅନେକ ଲୋକ ଭାସିଯାଇ ପ୍ରାଣ ହରାଇଥିଲେ। ତେଣୁ ଭକ୍ତଙ୍କ ସମାଗମ ଉତ୍ସାହଜନକ ନଥିଲା। ମାତ୍ର ୧୧୫୦୦ ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ସିନା ଭଲରେ ସମ୍ପାଦନ ହୋଇଗଲା, କିନ୍ତୁ ବାହୁଡ଼ା ଦଶମୀ ଦିନ ଗୁଣ୍ଡିଚା ମନ୍ଦିର ନିକଟରେ ବଡ଼ ଅଘଟଣ ଘଟିଲା। ଗୁଣ୍ଡିଚା ମନ୍ଦିର ଦ୍ବାର ଫିଟିବାରେ ବିଳମ୍ବ ହୋଇଥିଲା। ଭକ୍ତମାନେ ଉତ୍କଣ୍ଠାର ସହ ମହାପ୍ରଭୁଙ୍କ ରଥ ଉପରକୁ ବାହୁଡ଼ା ପହଣ୍ଡି ବିଜେ ଦେଖିବାକୁ ଅପଲକ ନୟନରେ ଚାହିଁ ବସିଥିଲେ। ଗୁଣ୍ଡିଚା ମନ୍ଦିରର ଦ୍ବାର ଫିଟିବା କ୍ଷଣି ଠେଲାପେଲା ଆରମ୍ଭ ହୋଇଗଲା। ରଥ ଦଉଡ଼ି ରଖାଯାଇଥିବା ସ୍ଥାନରେ ଠେଲାପେଲାରେ ପ୍ରାୟ ୧୦୦ ଜଣ ଲୋକ ପଡ଼ିଯାଇଥିଲେ। ଦଳାଚକଟା ସ୍ଥିତି ଉପୁଜିଥିଲା। ୮ ଜଣ ଲୋକ ଚେତା ହରାଇଲେ। ସେମାନଙ୍କ ମଧ୍ୟରୁ ଜଣେ ସେଇଠି ଟଳି ପଡ଼ିଲେ। ୭ ଜଣଙ୍କୁ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ବେଳେ ଆଉ ଜଣେ ଭକ୍ତଙ୍କ ପ୍ରାଣ ଚାଲିଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଡ଼ମ୍ବନା ହେଉଛି, ଏତେ ବଡ଼ ଅଘଟଣ ସତ୍ତ୍ବେ ସେଠାରେ ସେ ସମୟରେ ରାଜାଙ୍କର କର୍ମଚାରୀ କିମ୍ବା ପୁଲିସ୍ ବାହିନୀରୁ କେହି ଉପସ୍ଥିତ ନଥିଲେ। ବରଂ ପୁଲିସ କର୍ମଚାରୀମାନେ ରଥ ନିକଟରେ ଉପସ୍ଥିତ ଥିଲେ। ଗୁଣ୍ଡିଚା ଦ୍ବାର ରକ୍ଷା ନିମନ୍ତେ ସ୍ବତନ୍ତ୍ର ବ୍ୟକ୍ତିବିଶେଷ ନିଯୁକ୍ତ ହୋଇଥିଲେ। ଘଟଣାର ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଦୁଇଜଣ ଦ୍ବାରୀ ଭୁଜା ଓ ପଇସା ଲୋଭରେ ଦ୍ବାର ଫିଟାଇ ଦେଇ ଏଭଳି ଦୁର୍ଘଟଣା ଘଟାଇବାର କାରଣ ସାଜିଛନ୍ତି। ସେମାନଙ୍କ ଯୋଗୁ ଭକ୍ତମାନଙ୍କର ଏଭଳି ଅବସ୍ଥା ହେବାରୁ ଦ୍ବାରୀ ଦ୍ବୟଙ୍କୁ ୩୩୮ ଦଫା ଅପରାଧରେ ଗିରଫ କରାଗଲା। ତତ୍କାଳୀନ ମାଜିଷ୍ଟ୍ରେଟ ସରଜମିନ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
୧୮୫୩ ମସିହାରେ ଦେଉଳରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସେସମୟରେ ୧୦୦ ଜଣ ବରକନ୍ଦାଜ(ମନ୍ଦିର ପୁଲିସ) ଓ ୪ ଜଣ ଜମାଦାର ପୁଲିସ ମନ୍ଦିରରେ ରହିବାରୁ ମହାରାଜାଙ୍କୁ ବିସ୍ତର ଦରମା ପଡ଼ିଥିଲା। ମନ୍ଦିର ଅଧୀକ୍ଷକ ଏଥିପାଇଁ ଉତ୍ତରଦାୟୀ ରହୁଥିଲେ। ମାତ୍ର ୧୮୬୯ ମସିହାରେ ମହାରାଜାଙ୍କର କେହି ବି ବରକନ୍ଦାଜ ଦ୍ବାର ନିକଟରେ ନଥିଲେ। ଯଦି କେହି ବରକନ୍ଦାଜ ଥାଆନ୍ତେ, ତେବେ ଦ୍ବାରୀମାନେ କଦାପି ଗୁଣ୍ଡିଚା ମନ୍ଦିରର ଦ୍ବାର ଖୋଲିନଥାଆନ୍ତେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘଟଣା ଘଟିବା ବେଳେ ପୁଲିସ କନେଷ୍ଟବଳ ଓ ସବ୍ଇନ୍ସପେକ୍ଟରଙ୍କ ଉପସ୍ଥିତ ହୋଇଥିଲେ ସୁଦ୍ଧା ମହାରାଜା ଓ ତାଙ୍କ କର୍ମଚାରୀମାନେ ସେଠାରୁ ଚାଲିଯାଇଥିଲେ। ଯଦିଓ ରାଜା ସେତେବେଳେ ନାବାଳକ ଥିଲେ, କିନ୍ତୁ କର୍ମଚାରୀମାନେ ଚାଲିଯିବାରୁ ସେମାନଙ୍କର ଦୋଷ ବୋଲି ବ୍ରିଟିସ ରିପୋର୍ଟରେ ଉଲ୍ଲେଖ ରହିଛି।
ବାହୁଡ଼ା ଦଶମୀରେ ଏଭଳି ଦୁର୍ଘଟଣା ଯୋଗୁ ଚକ୍ରବୁଲା ଏକାଦଶୀ ଦିନ ସୁଦର୍ଶନ ଚକ୍ର ପୁରୀ ସହରର ସାଇ ଗଳି କନ୍ଦି ବୁଲିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ବାହୁଡ଼ାରେ ଦୁର୍ଘଟଣା ଯୋଗୁ ମନ୍ଦିର ଅଧୀକ୍ଷକ ଏଥିପ୍ରତି ମନଯୋଗ ଦେଇନଥିଲେ। ରଥ ଟାଣିବା ନିମନ୍ତେ କେହି କଳାବେଠିଆ ମଧ୍ୟ ସେ ବର୍ଷ ଆସିନଥିଲେ।