କଟକ ଭସାଣ ଶୋଭାଯାତ୍ରାରେ ଅଘଟଣ: ପତାକା ଦଣ୍ଡାରେ ବିଦ୍ୟୁତ୍‌ କରେଣ୍ଟ ଲାଗି ଜଳିଗଲେ ଶ୍ରମିକ

କଟକ: କଟକରେ ଭସାଣ ଶୋଭାଯାତ୍ରା ଚାଲିଥିବା ସମୟରେ ସିଡିଏ ସେକ୍ଟର-୧୧ ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଶୋଭାଯାତ୍ରାରେ ସାମିଲ ହୋଇଥିବା ଜଣେ ଶ୍ରମିକ ବିଦ୍ୟୁତ୍‌ କରେଣ୍ଟରେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଉଛନ୍ତି ସ୍ଥାନୀୟ ବସ୍ତିରେ ରହୁଥିବା ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ମୂଳବାସିନ୍ଦା। ସୂଚନା ଅନୁଯାୟୀ, ସିଡିଏ ସେକ୍ଟର ଦୀପିକା ଛକ ଦେଇ ସେକ୍ଟର ୧୧ ମେଢ଼ ଦେବୀଗଡ଼ା ଆଡ଼କୁ ବୁଧବାର ସନ୍ଧ୍ୟାରେ ଯାଉଥିଲା। ଏହି ସମୟରେ ଶୋଭାଯାତ୍ରାରେ ସେକ୍ଟର ୧୧ର ସଂପୃକ୍ତ ବ୍ୟକ୍ତି ପତକା ଧରି ଯାଉଥିଲେ।

ଏହି ପତକା ଦଣ୍ଡାଟି ଲୁହାରେ ତିଆରି। ତେବେ ଦୀପିକା ଛକ ନିକଟରେ ସେ ଏକ ଟ୍ରାନସଫର୍ମର ନିକଟରେ ବିଶ୍ରାମ ନେବାକୁ ବସି ପଡ଼ିଥିଲେ। ସାଙ୍ଗରେ ଆଣିଥିବା ପତକାକୁ ସେଠାରେ ଡେରି ଦେଇଥିଲେ। ଦଣ୍ଡାଟି ଲୁହାରେ ତିଆରି ହୋଇଥିବାରୁ ଟ୍ରାନସଫର୍ମର ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ବ୍ୟକ୍ତିଙ୍କ ପିଠି ପଟ ପୋଡ଼ିଯାଇଥିଲା। ସେ ତଳେ ପଡ଼ି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ସିଡିଏର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆସନ୍ତାକାଲି କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର