ଢିପିସାହି ଗ୍ରାମକୁ ରାସ୍ତା ନିର୍ମାଣ ନହେବା ଘଟଣା: ଗାଁ ରାସ୍ତାରେ ପଡ଼ିଛି କଣ୍ଟାବାଡ଼

ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଲାଗିବ ଡୋର, ଥାନାର ଦ୍ବାରସ୍ଥ ହେଲେ ଢିପିସାହି ଗ୍ରାମବାସୀ

ନୂଆଗାଁ: ଢିପିସାହି ଗ୍ରାମକୁ ରାସ୍ତା ନାହିଁ ତ ଭୋଟ୍‌ ନାହିଁ। ଏଭଳି କିଛି ମନ୍ତବ୍ୟ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ମାଇଛେଳି ପଞ୍ଚାୟତ ଢିପିସାହି (ସଂପଡ଼ା) ଗ୍ରାମର ଗ୍ରାମବାସୀମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ସେମାନଙ୍କର ନିଷ୍ପତ୍ତି ଜଣାଇ ସାରିଛନ୍ତି। ହେଲେ ଏନେଇ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଯେଉଁଠାରେ ଗ୍ରାମକୁ ସାଧାରଣତଃ ରାସ୍ତାଟିଏ ନାହିଁ ସେହି ବ୍ଲକ୍‌ରେ ପ୍ରଶାସନ ଏବଂ ଜନପ୍ରତିନିଧିମାନେ କିଭଳି ଭାବେ ବିକାଶ କରୁଛନ୍ତି ତାହା ଏଥିରୁ ଅନୁମେୟ।

ସୂଚନା ଅନୁଯାୟୀ, ଢିପିସାହି (ସଂପଡ଼ା) ଗ୍ରାମଟି ନୂଆଗାଁ ବ୍ଲକ୍‌ କାର୍ଯ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ। ଏହି ଗ୍ରାମରେ ୩୫ ପରିବାର ବସବାସ କରନ୍ତି। ଲୋକମାନେ ଦିନମଜୁରିଆ ଭାବେ ଯାହା କିଛି ରୋଜଗାର କରନ୍ତି ସେଥିରେ ପରିବାର ଚଳିଯାଏ। ଏଠାରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ସବୁଠାରୁ ବଡ଼ ସମସ୍ୟା ହେଉଛି ଏହି ଗ୍ରାମକୁ ଗମନାଗମନ। ଯାହାଦ୍ବାରା କି ବର୍ଷସାରା ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜାତୀୟ ରାଜପଥଠାରୁ ଏହି ଗ୍ରାମର ଦୂରତା ଦେଢ଼ କିଲୋମିଟର ହୋଇଥିବା ବେଳେ ଏଠାକୁ ଥିବା ରାସ୍ତାଟି ପକ୍କା ଓ କଚ୍ଚା ରାସ୍ତା। ଏହି ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ନିକଟରେ ବାରମ୍ବାର ଗୁହାରି କରିଆସୁଥିଲେ ମଧ୍ୟ ଲୋକଙ୍କ ସମସ୍ୟାକୁ ଦୂର କରିବାରେ ସେମାନେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ପ୍ରତ୍ୟେକ ନିର୍ବାଚନ ସମୟରେ ନେତାମାନେ ଭୋଟ୍‌ ହାତେଇବା ପାଇଁ ଏହି ଗ୍ରାମକୁ ଆସିଥାନ୍ତି। ଭୋଟ୍‌ ଶେଷ ହୋଇଯିବା ପରେ ଆଉ ଦିନକ ପାଇଁ ନେତାମାନଙ୍କର ଦେଖାଦର୍ଶନ ମିଳିନଥାଏ ଏବଂ କାଦୁଅ ପଚପଚ ରାସ୍ତାରେ ଏହି ଗ୍ରାମକୁ ଯିବା ପାଇଁ ନେତାମାନେ ନାକ ଟେକିଥାନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ସେମାନେ ଭୋଟ୍‌ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କିଛିଦିନ ଧରି ଏହି ଗ୍ରାମକୁ ଯିବା ରାସ୍ତାରେ ଦୁଇଟି ଜାଗାରେ କଣ୍ଟାବାଡ଼ ଦିଆଯାଇଥିବା ଦେଖିବାକୁ ମିଳିଛି। ଯାହାଦ୍ବାରା କି ଲୋକମାନେ ଗାଡ଼ିମଟର କିମ୍ବା ସାଇକେଲରେ ଯିବା ତ ଦୂରର କଥା ପାଦରେ ଚାଲିକି ଯିବାଆସିବା କରିବା ମଧ୍ୟ ସମ୍ଭବପର ହେଉନାହିଁ। ମେଡିକାଲ୍‌ ଭଳି ଜରୁରୀକାଳୀନ ସେବା ଏଠାରେ ଅପହଞ୍ଚ ହୋଇପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋର ଲାଗିବା ଭଳି ସ୍ଥିତି ଉପୁଜିଲାଣି। ଏନେଇ ଗତ ମଙ୍ଗଳବାର ଦିନ ଗ୍ରାମବାସୀମାନେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେଠାରୁ ପ୍ରତିଶ୍ରୁତି ପାଇ ଫେରିଥିଲେ। ଆଜି ପୁଣି ଗ୍ରାମବାସୀମାନେ ଅସହାୟ ମନେକରି ଏକତ୍ର ହୋଇ ନୂଆଗାଁ ଥାନାରେ ଅଭିଯୋଗ କରିଥିବା ବେଳେ ନୂଆଗାଁ ପୁଲିସ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି। ତେବେ ଏ ସମସ୍ୟା ସମାଧାନ ଦିଗରେ ପ୍ରଶାସନ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର