ଅଢ଼େଇ ସପ୍ତାହ ହେଲା ବର୍ଷା ଗାଏବ୍‌: ଥୋଡ଼ ବାହାରିବା ସମୟରେ ଜମିରେ ପାଣି ନାହିଁ

ଜିଲ୍ଲାବ୍ୟାପୀ ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ, ଅକ୍ଟୋବରରେ ୧୩୪.୫ ବଦଳରେ ୫୩.୯ ମିମି ବର୍ଷିଛି

ନୟାଗଡ଼: ଚଳିତ ବର୍ଷ ବର୍ଷା ଅଭାବ ଚାଷୀର ପିଛା ଛାଡ଼ୁନାହିଁ। ଚଳିତ ବର୍ଷ ଶ୍ରାବଣ (ଜୁଲାଇ, ଅଗଷ୍ଟ) ମାସରେ ବି ବୈଶାଖ ଭଳି ଖରାର ପ୍ରଭାବ ଦେଖିବାକୁ ମିଳିଥିବା ‌ବେଳେ, ବର୍ତ୍ତମାନ ବି ସେଇଭଳି ସ୍ଥିତି ରହିଛି। ଗତ ସେପ୍ଟେମ୍ବର ବର୍ଷା ଅଭାବ ଦୂର ହୋଇଥିବା ବେଳେ, ଚାଷୀ ଚାଷ କାର୍ଯ୍ୟ ଆଗେଇ ନେଇଥିଲା। ଅକ୍ଟୋବର ମାସରେ ଅଢ଼େଇ ସପ୍ତାହ ହେବ ନୟାଗଡ଼ ଜିଲ୍ଲାରୁ ବର୍ଷା ଗାଏବ ହୋଇଯାଇଛି। ଫଳରେ ଚାଷୀ ଚିନ୍ତାରେ ପଡ଼ିଯାଇଛି। ପାର୍ବଣ ଋତୁରେ ମା’ଙ୍କ ଆଗମନ ନେଇ ସଭିଏଁ ଉତ୍ସବର ମାହୋଲରେ ହଜିଯାଇଥିବା ବେଳେ, ଚାଷୀ ମନରେ କିନ୍ତୁ ସରାଗ ନାହିଁ। ଠିକ୍‌ ଧାନ ଥୋଡ଼ ବାହାରିବା ସମୟରେ ଜମି ଶୁଖିଗଲାଣି। ଧାନ ଫଳିବା ନେଇ ଚାଷୀମାନଙ୍କ ନିକଟରେ ଆଶଙ୍କା ସୃଷ୍ଟି ହୋଇଛି। ଖାଲ ଜମିରେ କିଛି ପାଣି ରହିଥିବା ବେଳେ ଉଚ୍ଚ ଜମିରେ ଜିଲ୍ଲାବ୍ୟାପୀ ସଙ୍କଟଜନକ ସ୍ଥିତି ଦେଖାଯାଇଛି।

ନୟାଗଡ଼ ବ୍ଲକ୍‌ ନବଘନପୁର ପଞ୍ଚାୟତର ଲଡ଼ୁକେଶ୍ବରପୁର, ଗୋପୀନାଥପୁର, ହରିହରପୁର ଅଞ୍ଚଳରେ ଜମି ସବୁ ଶୁଖି ଫାଟିଗଲାଣି। ନଡ଼ିଆଳି ପଞ୍ଚାୟତର ବାଲିପାଟଣା, ବରିଆସାହି, ଗବନଳରେ ସମାନ ସ୍ଥିତି। ନଡ଼ିଆଳି ପଞ୍ଚାୟତର ଚାଷୀ ଦୟାନିଧି ପ୍ରଧାନ, ନାଥ ପ୍ରଧାନ ପ୍ରମୁଖ କହିଛନ୍ତି, ଆମ ଅଞ୍ଚଳରେ ଜଳସେଚନର ସୁବିଧା ନଥିବା ବେଳେ, ବର୍ଷା ମଧ୍ୟ ଗାଏବ୍‌ ହୋଇଯାଇଛି। ଏବର୍ଷ କେମିତି ଧାନ ଫଳିବ, ଅମଳ ହେବ ବୋଲି ଚିନ୍ତା ଘାରିଲାଣି। ଓଡ଼ଗାଁ ବ୍ଲକ୍‌ ସୋଲପଟା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି। ପଦ୍ମାଦେଇପୁରର ଚାଷୀ ରବୀନ୍ଦ୍ରନାଥ ପ୍ରଧାନ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ନୂଆଗାଁ ବ୍ଲକ୍‌ର ଚାହାଳିଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ ଜମି ଫାଟିଛି।

ନୟାଗଡ଼ ଜିଲ୍ଲାରେ ଅକ୍ଟୋବର ମାସରେ ସାଧାରଣତଃ ୧୩୪.୫ ମିଲିମିଟର(ମିମି) ବର୍ଷା ହୋଇଥାଏ, ଯାହା ଚାଷ ପାଇଁ ଯଥେଷ୍ଟ, କିନ୍ତୁ ଅକ୍ଟୋବର ଶେଷ ହେବାକୁ ଆଉ ୮ ଦିନ ବାକି ଥିବା ବେଳେ, ଅଧା ପରିମାଣର ବର୍ଷ‌ା ମଧ୍ୟ ଜିଲ୍ଲାରେ ହୋଇନାହିଁ। ଅକ୍ଟୋବର ୪ ପରଠୁ ଆଉ ବର୍ଷା ନାହିଁ। ଜିଲ୍ଲା‌ରେ ଚଳିତ ମାସ ହାରାହାରି ୫୩.୯ ମିମି ବର୍ଷା ହୋଇଥିବା ଓଡବ୍ଲ୍ୟୁଏମ୍‌ଏସ୍‌ ସାଇଟ୍‌ରୁ ଜଣାପଡ଼ିଛି। ଜିଲ୍ଲାରେ ଅଗଷ୍ଟରେ ୨୮୮.୮ ମିମି ସାଧାରଣତଃ ବର୍ଷୁଥିବା ବେ‌ଳେ, ୨୨୨.୬୮ ମିମି ବର୍ଷା ‌ହୋଇଥିଲା। ଜୁନ୍‌ରେ ୨୦୩.୫ ସ୍ଥାନରେ ହାରାହାରି ୧୨୩.୫ ମିମି ବର୍ଷା ହୋଇଥିଲା। ସେପ୍ଟେମ୍ବରରେ ୨୨୬.୮ ମିମି ସ୍ଥାନରେ ହାରାହାରି ୩୪୧.୫୭ ମିମି ବର୍ଷା ହୋଇଥିଲା, ଯାହା ବର୍ଷାଭାବକୁ ଦୂର କରିଥିଲା, କିନ୍ତୁ ବର୍ତ୍ତମାନ ପ୍ରାୟ ଅଢ଼େଇ ସପ୍ତାହ ହେବ ବର୍ଷା ନ ଥିବାରୁ ଜମି ଶୁଖିଲାପଡ଼ିଲାଣି। ଜିଲ୍ଲାରେ ଜଳସେଚନଠାରୁ ଆରମ୍ଭ କରି କ୍ଷୁଦ୍ର ଉଠାଜଳସେଚନ ବିଭାଗର ପ୍ରକଳ୍ପ ସବୁ କାଁଭାଁ କାମରେ ଲାଗୁଛି। ଅନେକ କ୍ଷେତ୍ରରେ ଆବଶ୍ୟକସ୍ଥଳରେ ପ୍ରକଳ୍ପ ନ ଥିବା ମଧ୍ୟ ଦେଖାଯାଉଛି। ବଙ୍ଗୋପସାଗରରେ ସଦ୍ୟ ସୃଷ୍ଟି ହୋଇଥିବା ଲଘୁଚାପରେ ୨୩, ୨୪ ତାରିଖରେ ଓଡ଼ିଶାରେ ହାଲ୍‌କା ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଥିବା ବେଳେ, ବର୍ଷାକୁ ଚାଷୀ ଅନାଇ ବସିଛି।

ସମ୍ବନ୍ଧିତ ଖବର