ଅଭାବୀ ବିକ୍ରିର ଶିକାର କନ୍ଧମାଳ ଅଦାଚାଷୀ

୨୫ ଟଙ୍କାରେ ବିକିଥିଲେ, ଏବେ ୨୪୦ରେ କିଣୁଛନ୍ତି

ଘୁ.ଉଦୟଗିରି : କନ୍ଧମାଳ ଭଳି ଜିଲ୍ଲାରେ ଏବେ ଅଦା ଦର କିଲୋ ୨୨୦ରୁ ୨୪୦ ଟଙ୍କା। ଯେଉଁଠି ଅମଳ ବେଳେ ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ କିଲୋ ପିଛା ମାତ୍ର ୨୦ରୁ ୨୫ଟଙ୍କାରେ ବିକିଥିଲେ , ସେହି ଚାଷୀ ନିଜ ଉତ୍ପାଦିତ ଅଦା ୧୦ଗୁଣା ଅଧିକ ଦରରେ କିଣୁଛନ୍ତି । ଏପରିକି ଗାଁ ଗହଳରେ ଶହେ ଗ୍ରାମ ଅଦା ମାଗିଲେ ୨୫ରୁ ୩୦ ଟଙ୍କା ନେଉଛନ୍ତି ଦୋକାନୀ।

କନ୍ଧମାଳର ୨୫୦୦ ହେକ୍ଟର ଜମିରେ ପାଖାପାଖି ୫ ହଜାର ଚାଷୀ ଅଦା ଚାଷ କରିଥିଲେ। ଚଳିତ ୨୦୨୨-୨୩ କୃଷି ବର୍ଷରେ ଅଦିନିଆ ବର୍ଷା ସତ୍ତ୍ବେ ପାଖାପାଖି ୩,୫୦୦ ମେଟ୍ରିକ୍‌ ଟନ୍‌ ଅଦା ଅମଳ ହୋଇଥିଲା। ଏତେ ପରିପାଣର ଅଦା ଅମଳ କରି ମଧ୍ୟ ସବୁତକ ଅଦା ଅତି କମ୍‌ ଦରରେ ବାହାର ବେପାରୀଙ୍କୁ ଫେବ୍ରୁଆରି-ମାର୍ଚ୍ଚ ବେଳକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ସ୍ଥାନୀୟ ଚାଷୀ। କାହିଁକି ନା ଅମଳ ପରବର୍ତ୍ତୀ ସଂରକ୍ଷଣ ନିମନ୍ତେ ଜିଲ୍ଲାରେ ନା ଅଛି ଶୀତଳଭଣ୍ଡାର, ନା ପ୍ରକ୍ରିୟାକରଣ ବ୍ୟବସ୍ଥା। ଏଭଳିକି ବିକ୍ରିବଟା ସକାଶେ ସ୍ବତନ୍ତ୍ର ବଜାର କି ମଣ୍ଡି ବ୍ୟବସ୍ଥା ନାହିଁ। ତେଣୁ ଅମଳ ହେବା ପରେ ଚାଷୀ ଭୟରେ ଉତ୍ପାଦିତ ଅଦାକୁ କମ୍‌ ଦରରେ ବିକି ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ ହେଉଛି।

ଅଦା ସେମିତି ଗଚ୍ଛିତ ରଖିଲେ ଶୁଖିଯିବା‌ ଓ ଫିମ୍ପି ଲାଗିବାର ଭୟ ରହିଛି। ତେଣୁ ଅମଳ ହେଲାପରେ କୌଣସି ପ୍ରକାର ଭରସା କରିନପାରି କିଲୋ ପିଛା ୨୦ରୁ ୨୫ ଟଙ୍କାରେ ପଡ଼ୋଶୀ ରାଜ୍ୟ ବ୍ୟବସାୟୀଙ୍କ ହାତରେ ଟେକି ଦେବାକୁ ବାଧ୍ୟ ହେଉଛି। ଅନ୍ୟପଟେ, ବାହାର ରାଜ୍ୟର ବ୍ୟବସାୟୀ ଏହି ଅଦାକୁ ନେଇ ତାଙ୍କ ରାଜ୍ୟ ଶୀତଳଭଣ୍ଡାରରେ ରଖି ମାସ ମାସ ଧରି ମହଜୁଦ ରଖି ପାରୁଛନ୍ତି। ସଂକଟ ସମୟରେ ପୁଣି ଏହାକୁ ବଜାରକୁ ଛାଡ଼ିବା ସହ ବହୁ ଅଧିକ ଦରରେ ବିକ୍ରିକରି ଫାଇଦା ପାଉଛନ୍ତି, ବର୍ତ୍ତମାନ ଅଦା ଦର ବୃଦ୍ଧି ଏହାର ଜ୍ବଳନ୍ତ ଉଦାହରଣ। ପଡ଼ୋଶୀ ଆନ୍ଧ୍ରରେ ବର୍ଷା ଯୋଗୁ ଅଦା ଅମଳ ହ୍ରାସ ପାଇଥିବାରୁ ଆମ ରାଜ୍ୟରେ ଅଦା ମୂଲ୍ୟ ଏବେ ଚାରିଗୁଣା ବଢ଼ିଯାଇଛି।

ସମ୍ବନ୍ଧିତ ଖବର