କୁଳମଣି ବରାଳ ହତ୍ୟା ମାମଲା: ୧୨ ଜଣଙ୍କ ନାଁରେ ଏତଲା, ୫ଟି ଟିମ କରିବ ଘଟଣାର ତଦନ୍ତ

କଟକ: ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ହତ୍ୟା ମାମଲା ଏବେ ଥାନାରେ ପହଞ୍ଚିଛି । କୁଳମଣିଙ୍କ ପୁଅ ଉମାକାନ୍ତ ବରାଳ ମାହାଙ୍ଗା ଥାନାରେ ୧୨ ଜଣଙ୍କ ବିରୋଧରେ ଦେଇଛନ୍ତି । ନୃତଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ, ପ୍ରଫୁଲ୍ଲ କୁମାର ବିଶ୍ବାଳ, ପୂର୍ବତନ ବ୍ଲକ ଅଧକ୍ଷ ଭିକାରୀ ଚରଣ ସ୍ବାଇଁ, ପ୍ରମୋଦ ବିଶ୍ବାଳ, ଲଳିତ ମୋହନ ବରାଳ,  ବିଜୟ କୁମାର ବରାଳ, ଉମାକାନ୍ତ ସ୍ବାଇଁ, କ୍ଷୀତିଶ କୁମାର ଆଚାର୍ଯ୍ୟ, ମଳୟ କୁମାର ବାରିକ, ସନ୍ତୋଷ ରଂଜନ ପାଣି, ପଂଚାନନ ସେଠୀ, ଚୈତନ୍ୟ ସେଠୀ ଓ ‌‌କୈଳାଶ ଖଟୁଆଙ୍କ ନାମ ଏତଲାରେ ସାମିଲ ରହିଛି ।

ହତ୍ୟାକାଣ୍ଡର ତଦନ୍ତ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ୫ଟି ଟିମ ଗଠନ ହୋଇଛି। ଜଣେ ଡିଏସପି ଓ ଦୁଇ ଜଣ ଅତିରିକ୍ତ ଏସପି ଏହି ଟିମର ନେତୃତ୍ବ ନେବେ। ବର୍ତ୍ତମାନ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମୁତୟନ ରହିଛି। ଦୁର୍ବୃତ୍ତଙ୍କ ନାମରେ ଅଭିଯୋଗ ପରେ ବର୍ତ୍ତମାନ ସେମାନଙ୍କ ବିରୋଧରେ ପ୍ରମାଣ ଖୋଜା ଚାଲିଛି ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ପୁଲିସ ଏସପି। ଧାରା ୩୦୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ଜିଲ୍ଲା ପୁଲିସ ପକ୍ଷରୁ ଗଠିତ ହୋଇଥିବା ୫ଟି ଟିମରେ ଜଣେ ଲେଖାଏଁ ଇନସ୍ପେକ୍ଟର ରହିଛନ୍ତି, ଯେଉଁମାନଙ୍କ ବିରୋଧରେ ଅଭିଯୋଗ ହୋଇଛି ସେମାନଙ୍କ ସହ ଅନ୍ୟ କେତେଜଣଙ୍କୁ ସନ୍ଦେହ ଘେରକୁ ନିଆଯାଇଛି। ସାଇଣ୍ଟିଫିକ ତଥ୍ୟ ଆସିବା ପରେ ତଦନ୍ତ ପ୍ରକ୍ରିୟା ଜୋରଦାର ହେବା ନେଇ କଟକ ଗ୍ରାମାଞ୍ଚଳ ପୋଲିସ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତକାଲି(ଶନିବାର) ବିଜେପି ନେତା କୂଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ମାହାଙ୍ଗା ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ପୁଲିସ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସେପଟେ ଶାସକ ଦଳ ବିଜେଡି କର୍ମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଅଭିଯୋଗ କରିଛନ୍ତି କୁଳମଣିଙ୍କ ନାତି। ଯଥାଶୀଘ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ। କୁଳମଣି ସ୍ଥାନୀୟ ଅଞ୍ଚଳରେ ଟାଣୁଆ ନେତା ଭାବରେ ପରିଚିତ ଥିଲେ। ଗତ କିଛି ଦିନ ପୂର୍ବେ ସେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ l

ସମ୍ବନ୍ଧିତ ଖବର