ଚନ୍ଦ୍ରଭାଗା ପୀଠ ଚଳଚଞ୍ଚଳ: ମାଘ ସପ୍ତମୀରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ

କୋଣାର୍କ: ରାତି ପାହିଲେ ମାଘ ସପ୍ତମୀ। ଏଥି ପାଇଁ ଚନ୍ଦ୍ରଭାଗା ପୀଠ ଚଳଚଞ୍ଚଳ ହୋଇଉଠିଛି। ଶୁକ୍ରବାର ଭୋର୍‌ ସକାଳୁ ଚନ୍ଦ୍ରଭାଗା ବୁଡ଼ ହେବ। ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ସାଧୁସନ୍ଥ ଓ ଭକ୍ତମନେ ବୁଡ଼ ପକାଇବେ। ଏଥି ପାଇଁ ଗୁରୁବାର ସନ୍ଧ୍ୟା ପର ଠାରୁ କୋଣାର୍କରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇସାରିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ବୁଡ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପରମ୍ପରା ଅନୁଯାୟୀ ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ୩ ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥ ଓ ଭକ୍ତ ବୁଡ ପକାଇବେ । ପୌରାଣିକ ମତାନୁସାରେ ମାଘ ସପ୍ତମୀ ଦିନ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି ।

ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଡକୁ ଶୃଙ୍ଖଳିତ କରିବା ପାଇଁ ତୀର୍ଥ ପୁଷ୍କରଣୀ ଖନନ କରାଯାଇଛି । ଏଥିସହ କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ମଧ୍ଯ ପକାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ଵ ଏବଂ ପାର୍କିଂ ସ୍ଥାନରେ ବ୍ଯାରିକେଡ ନିର୍ମାଣ କରାଯାଇଛି । ପରିମଳ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡିଆ ଓ କୋଣାର୍କ ବସ ଷ୍ଟାଣ୍ଡରେ ୧୦୦ରୁ ଊର୍ଦ୍ଧ୍ଵ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି । ନିରବିଚ୍ଛିନ୍ନ ବିଦ୍ଯୁତ ସରବରାହ ପାଇଁ ୩ଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଜେନେରେଟର ବ୍ୟବସ୍ଥା କରାଯାଇଛି । ମାଘ ବୁଡ଼ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ପୁରୀ ଜିଲ୍ଲାପାଳ ମେଳା ପଡ଼ିଆ ଓ ତୀର୍ଥ ପୁଷ୍କରଣୀର ସ୍ଥିତି ସମୀକ୍ଷା କରିଛନ୍ତି ।

ସମ୍ବନ୍ଧିତ ଖବର