ବେଲଗାମ ଛତିଶଗଡ଼, ଶୁଖିଯାଉଛି ମହାନଦୀ: ମାଛ, ଚାଷ ସବୁ ଉଜୁଡ଼ିଗଲା
କେଲୋ ଅବବାହିକାରେ ମରୁଭୂମିର ଭ୍ରମ, ବୌଦ୍ଧକୁ ମାଛ ଯୋଗାଉଛି ଆନ୍ଧ୍ର
ଝାରସୁଗୁଡ଼ା/ବୌଦ୍ଧ : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଛି ବିବାଦ। ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଛି ଛତିଶଗଡ଼। ଛତିଶଗଡ଼ ପଟେ ମହାନଦୀରେ ନୀଳ ଜଳରାଶି ଲହଡ଼ି ମାରୁଥିବା ବେଳେ ଓଡ଼ିଶା ପଟ ଶୁଖିଲା। ଏହାକୁ ନେଇ ଚାଲିଥିବା ରାଜନୀତି ଓ ଟ୍ରିବ୍ୟୁନାଲ୍ ମାମଲା ମଧ୍ୟରେ ପେଷିହେଉଛନ୍ତି ନଦୀକୂଳିଆବାସୀ। ଯେଉଁ ଅଞ୍ଚଳ ଦିନେ ମା’ ଲକ୍ଷ୍ମୀଙ୍କ ବିଜେସ୍ଥଳୀ ତଥା ଶସ୍ୟଶ୍ୟାମଳାରେ ଭରିଥିଲା ତାହା ଆଜି ଟାଙ୍ଗରା ଓ ମରୁଭୂମିର ଭ୍ରମ ସୃଷ୍ଟି କରୁଛି। ମହାନଦୀର ମାଛ ଓଡ଼ିଶାର ବହୁ ନଦୀକୂଳିଆ ଲୋକଙ୍କ ପାଇଁ ଆଜି ଯେ ଜନଶ୍ରୁତି, ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଣମୌସୁମୀ ସମୟରେ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାଂଘାତିକ ଭାବେ ହ୍ରାସ ପାଇବା ଛନକା ସୃଷ୍ଟି କଲାଣି। ମହାନଦୀ ଭଳି ଦଶା ଭୋଗୁଛି ଏହାର ଶାଖା ନଦୀ କେଲୋ। ଏପ୍ରିଲ ମାସରୁ ଶୁଖିଗଲାଣି କେଲୋ ନଦୀର ପାଣି। କେଲୋ ପ୍ରବାହିତ ଅଞ୍ଚଳକୁ ଗଲେ ମରୁଭୂମିର ଭ୍ରମ ସୃଷ୍ଟି ହେଉଛି। ଯେଉଁଆଡ଼େ ଚାହିଁଲେ ଦେଖାଯାଉଛି ଶୁଖିଲା ନଦୀ ପଠାରୁ ବିସ୍ତୀର୍ଣ୍ଣ ବାଲୁକା ରାଶି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତରେ ରହିଛି ଲୁହାବଗା ଗାଁ। କେଲୋ ନଦୀ କୂଳରେ ଥିବା ଏହି ଗାଁରେ ଉଠା ଜଳସେଚନ ପ୍ରକଳ୍ପ ଅଛି। କିନ୍ତୁ ଉକ୍ତ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି। ନଈକୂଳିଆ ଗାଁ ହୋଇଥିଲେ ବି ଜଳସଙ୍କଟ ଲାଗି ରହିଥିବାରୁ ଶହ ଶହ ଏକର ଜମି ପଡ଼ିଆ ପଡ଼ିଛି। ଛତିଶଗଡ଼ ସରକାର ଏକଚାଟିଆ ଭାବେ ମହାନଦୀରେ ଯେ କେବଳ ବ୍ୟାରେଜ୍ ପରେ ବ୍ୟାରେଜ୍ ନିର୍ମାଣ କରିନାହାନ୍ତି ବରଂ ଏହାର ଶାଖା ନଦୀ କେଲୋକୁ ବି ଛତିଶଗଡ଼ କବ୍ଜା କରିନେଇଛି।
ରାୟଗଡ଼ ନିକଟରେ ୨୦୧୪-୧୫ ମସିହାରେ ଛତିଶଗଡ଼ ସରକାର କେଲୋ ନଦୀ ଉପରେ ଡ୍ୟାମ୍ ନିର୍ମାଣ କରିବା ପରଠାରୁ ଏହି ନଦୀର ତଳମୁଣ୍ଡରେ ରହୁଥିବା ଲୋକେ ବିଶେଷକରି ଅଣମୌସୁମୀ ଋତୁରେ ଝାରସୁଗୁଡା ଜିଲ୍ଲାର କନକତୋରା, ଲୁହାବଗା, ଅମାପାଲି, ବଡ଼ଧରା, କୁଶମେଲ ଆଦି ଅଞ୍ଚଳର ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସ୍ଥିତି ଏପରି ହେଲାଣି ଯେ ଅନେକ ଲୋକ ଚାଷ କରିବା ବି ଛାଡ଼ି ସାରିଲେଣି। ଏକଦା ଧାନ ସାଙ୍ଗକୁ ସୂର୍ଯ୍ୟମୁଖୀ, ଅଦା ଓ ଅନ୍ୟାନ୍ୟ ପନିପରିବା ଚାଷ କରି ଏହି ଅଞ୍ଚଳର ଚାଷୀ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଆଜିର ଚିତ୍ର କିଛି ଭିନ୍ନ ରହିଛି। କନକତୋରା ସହ ବାଦିମାଲ, ପିଥିଣ୍ଡା ସମେତ ଛତିଶଗଡ଼ ଆଖପାଖରେ ଥିବା ଅନ୍ୟୁନ ୬ଟି ପଞ୍ଚାୟତର ଲୋକେ ଖରାଦିନେ କେଲୋ ନଦୀ ଉପରେ ନିର୍ଭର କରିଥାନ୍ତି। ଉପରମୁଣ୍ଡରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଲାଖାଠାରେ କେଲୋ ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିବାରୁ କିଛି ବର୍ଷ ହେବ ଅଣମୌସୁମୀ ସମୟରେ ତଳ ମୁଣ୍ଡକୁ ପାଣି ଆସୁ ନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ରହିଛି। ମାତ୍ର ପାଣି ନଥିବାରୁ ପ୍ରକଳ୍ପ ବି କାମରେ ଲାଗିପାରୁ ନଥିବା କନକତୋରା ସରପଞ୍ଚ ତଥା ଚାଷୀ ସୁଶାନ୍ତ ଚଇନି ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ କେଲୋ ନଦୀ ଉପରେ କେବଳ ଚାଷବାସ ପାଇଁ ନୁହେଁ ବରଂ ଦୈନନ୍ଦିନ କାର୍ଯ୍ୟ ପାଇଁ ବି ନିର୍ଭରଶୀଳ। ଏଭଳି ସ୍ଥିତିରେ କେଲୋ ନଦୀ ଶୁଖିଯିବା ପରେ କେବଳ ଯେ ଚାଷୀ ନୁହନ୍ତି ବରଂ ସାଧାରଣ ଲୋକ ବି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଛତିଶଗଡ଼ର ମନମାନୀ ପାଇଁ ଓଡ଼ିଶାରେ ଖାଦ୍ୟଶସ୍ୟ ପରେ ମାଛ ଉତ୍ପାଦନ ମଧ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି। ଏକଦା ବୌଦ୍ଧ ମହାନଦୀ ମାଛର ଖୁବ୍ ଚାହିଦା ଥିଲା। ଏବେ ବି ଚାହିଦା ରହିଛି, ହେଲେ ମାଛ ନାହିଁ। ମହାନଦୀରେ ଜଳ ପ୍ରବାହ ବନ୍ଦ ହେବା ପରେ ଏଭଳି ସ୍ଥିତି ଉପୁଜିଛି। ବିଭିନ୍ନ ଗାଡ଼ିଆ, ପୋଖରୀ ମାଛ ଓ ବିଭିନ୍ନ ଜିଲ୍ଲାରୁ ଆସୁଥିବା ମାଛ ଲୋକଙ୍କ ପାଇଁ ନିଅଣ୍ଟ ହେଉଛି। ଶେଷରେ ଆନ୍ଧ୍ରର ମାଛ ଜିଲ୍ଲାର ଆବଶ୍ୟକତା ପୂରଣ କରୁଛି। ଆନ୍ଧ୍ରପ୍ରଦେଶରୁ ଜିଲ୍ଲାକୁ ବାର୍ଷିକ ୪୧.୩ ମାଟ୍ରିକ ଟନ ମାଛ ସିଧାସଳଖ ଆମଦାନୀ କରାଯାଉଛି। ବୌଦ୍ଧ ଜିଲ୍ଲାରେ ଶତାଧିକ କିମି ଅତିକ୍ରମ କରିଛି ମହାନଦୀ। ନଦୀ କୂଳରେ ଥିବା ଗ୍ରାମଗୁଡ଼ିକର ଲୋକଙ୍କୁ ଜୀବିକା ଦେଇଛି ମହାନଦୀ ମାଛ। କେଉଟ ଜାତି ସହ ଅନ୍ୟ ଜାତିର ଲୋକେ ପିଢ଼ି ପରେ ପିଢ଼ି ମାଛ ଧରି ଜୀବିକା ନିର୍ବାହ କରି ଆସୁଥିଲେ। ଦିନ ଥିଲା ମହାନଦୀ ମାଛ କନ୍ଧମାଳ, ନୟାଗଡ଼ ଏପରିକି ଭୁବନେଶ୍ବରରେ ଢେର ଚାହିଦା ଥିଲା। ଏବେ ତାହା କେବଳ ଜନଶ୍ରୁତିରେ ରହିଯାଇଛି। ମହାନଦୀ ଏବେ କେବଳ ବାଲୁକାଶଯ୍ୟା ରୂପରେ ରହିଛି। ନଦୀର ଉପର ମୁଣ୍ଡରେ ଛତିଶଗଡ଼ର ଏକାଧିକ ବ୍ୟାରେଜ ପାଣି ଅଟକାଇ ରଖିଛି। ଫଳରେ କେବଳ ବର୍ଷା ସମୟରେ ମହାନଦୀରେ ଦଳ ପ୍ରବାହିତ ହେଉଛି। ଅନ୍ୟ ସମୟରେ କିଛି ସ୍ଥାନରେ ସାମାନ୍ୟ ଜଳ ଧାର ରହିଥିବା ବେଳେ ଅଧିକାଂଶ ସ୍ଥାନ ମରୁଭୂମିର ଭ୍ରମ ସୃଷ୍ଟି କରୁଛି।