କଷ୍ଟ ଦେଉଛି ମହାପ୍ରସାଦ ଦର, ଆନନ୍ଦବଜାରରେ ରହୁନି ଶୃଙ୍ଖଳା

ପୁରୀ : କାର୍ତ୍ତିକରେ କଷ୍ଟ ଦେଉଛି ମହାପ୍ରଭୁଙ୍କ ମହାପ୍ରସାଦ ଦର। ଦର ଏତେ ହୋଇଛି ଯେ ଶହେ ଦେଢ଼ଶହ ଟଙ୍କା ଦେଲେ ପେଟ ପୂରୁନି। ଯେଉଁମାନେ ପୂରା ପରିବାର ପାଇଁ ମହାପ୍ରସାଦ ନେବାକୁ ଆସୁଛନ୍ତି, ସେମାନେ ଅଳ୍ପ ମହାପ୍ରସାଦରେ ମନ ବୁଝାଇବା ସହ ମନଦୁଃଖରେ ଘରକୁ ଫେରୁଛନ୍ତି। ମହାପ୍ରସାଦ ବିକ୍ରିରେ ଦଣ୍ଡିଆ(ଦଲାଲ)ମାନେ ପଶି ଏହାର ଦରକୁ ଦେଢ଼ାରୁ ଦୁଇଗୁଣା ବଢ଼ାଇ ଦେଉଥିବା ଅଭିଯୋଗ ହେଉଛି। କାର୍ତ୍ତିକ ମାସରେ ମହାପ୍ରସାଦ ଦରର ଏହି ଯନ୍ତ୍ରଣା ଭକ୍ତଙ୍କ ଭକ୍ତିଭାବକୁ ଆଘାତ ଦେଉଥିବାବେଳେ ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନର ନିରବତା ଭକ୍ତ ମହଲରେ ଅସନ୍ତୋଷ ଭରି ଦେଇଛି।

ସେପଟେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଫଳରେ ଭକ୍ତଙ୍କୁ ଶୋଷଣ ଦିନକୁ ଦିନ ବଢ଼ିଚାଲିଛି। କେବଳ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ପାଇଁ ସ୍ଥିର ହୋଇଥିବାବେଳେ କୋଇଲି ବୈକୁଣ୍ଠ ଓ ଅନ୍ୟାନ୍ୟ ସ୍ଥାନରେ ମହାପ୍ରସାଦ ବିକ୍ରି ହେଉଥିଲେ ବି ସେ ଦିଗରେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।

୨୦୧୮ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଥିଲେ। ସେଥିରେ ଆନନ୍ଦବଜାର ଶୃଙ୍ଖଳା ପ୍ରମୁଖ ପ୍ରସଙ୍ଗ ରହିଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କୁ ଶୋଷଣରୁ ମୁକ୍ତ ପାଇଁ ମହାପ୍ରଭୁଙ୍କ ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଏହି ଦର ତାଲିକା ଲଗାଇବାକୁ ନିଷ୍ପତ୍ତି ନେଇଥିଲା। ସେହି ଅନୁଯାୟୀ କୋଠଭୋଗରେ ଦର ନିର୍ଦ୍ଧାରଣ ପାଇଁ ସ୍ବତନ୍ତ୍ର ଅବଢ଼ା ପ୍ରସ୍ତୁତ ହେଲା। ଦର ତାଲିକା ବି ତିଆରି ହେଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଦର ତାଲିକା ଲାଗି ପାରିଲାନି। ଅନ୍ୟପଟେ କେବଳ ମହାପ୍ରସାଦ ବିକ୍ରି କରୁଥିବା ସ୍ବୀକୃତିପ୍ରାପ୍ତ ସୁଆର ମହାସୁଆରମାନଙ୍କୁ ଛାଡ଼ିଦେଲେ, ଅନ୍ୟମାନଙ୍କୁ ବିତାଡ଼ିତ କରିବାକୁ ବି ନିଷ୍ପତ୍ତି ହେଲା। ସେହି ଅନୁଯାୟୀ କେଉଁ ସୁଆର ମହାସୁଆରଙ୍କ ସହ କେତେଜଣ ସହଯୋଗୀ ରହିବେ, ମହାପ୍ରସାଦ ବିକ୍ରି କରିବେ, ତାର ବି ତାଲିକା ପ୍ରସ୍ତୁତ ହେଲା। ଆନନ୍ଦବଜାର ବିନା ଅନ୍ୟ କେଉଁଠି ମହାପ୍ରସାଦ ବିକ୍ରିରେ ଲଗାମ ଲଗାଗଲା। କିନ୍ତୁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ଓ କେଉଁମାନେ ମହାପ୍ରସାଦ ବିକ୍ରି କରିବେ, ତାର ତାଲିକା ପ୍ରସ୍ତୁତ ସରିଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରୁନି।

ଫଳରେ ଦଣ୍ଡିଆମାନେ ପଶି ଭକ୍ତଙ୍କୁ ଶୋଷଣ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ ବରିଷ୍ଠ ସୁଆର ସେବକଙ୍କ ମତରେ, କିଛି ନିର୍ଦ୍ଦିଷ୍ଟ ସୁଆର ମହାସୁଆରଙ୍କ ସହ ସଂପର୍କ ରଖି ଏହି ଦଣ୍ଡିଆମାନେ ଆନନ୍ଦବଜାର, ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ରହି ଭକ୍ତଙ୍କୁ ଶୋଷଣ ଆରମ୍ଭ କରି ଦେଇଛନ୍ତି। ଉତ୍ତର ଦ୍ବାର ଅବା ଦକ୍ଷିଣଦ୍ବାରକୁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କିଣି ଆଣିବାକୁ କହି ୫ଶହ ଟଙ୍କାର ମହାପ୍ରସାଦ ହଜାରରୁ ୧୨ଶହ ଟଙ୍କା କହି ଲୁଟୁଛନ୍ତି। ସେହିଭଳି ଆନନ୍ଦବଜାରରେ ଭକ୍ତଙ୍କୁ କଦଳୀ ପତ୍ରରେ ଖାଇବାକୁ ଦେବାକୁ କହି ସୁଆର ମହାସୁଆରଙ୍କଠାରୁ ଯେଉଁ ମହାପ୍ରସାଦ ୫୦ରୁ ୬୦ ଟଙ୍କାରେ କିଣୁଛନ୍ତି, ତାକୁ ୧୨୦ରୁ ୧୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏମାନଙ୍କୁ କୌଣସି ପରିଚୟପତ୍ର ମିଳିନଥିଲେ ବି ଜେଟିପି, ସେବାୟତ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ହାତ କରି ଏଭଳି ଲୁଟ୍‌ର ବାଟ ତିଆରି କରିଛନ୍ତି। ଏଥିପାଇଁ ସବୁ ସୁଆର ମହାସୁଆର ବଦନାମ ହେଉଛନ୍ତି ବୋଲି ସଂପୃକ୍ତ ସେବକ କହିଛନ୍ତି।
ଅନ୍ୟପଟେ ଯେଉଁ ମହାପ୍ରସାଦ କୁଡ଼ୁଆ ଭକ୍ତ ଅଢ଼େଇ ଶହ ଟଙ୍କାରେ କିଣୁଥିଲା, ତାହା ଏବେ ୭ଶହରୁ ୧୨ଶହ ଟଙ୍କା ଦେଇ କିଣୁଛି। ଫଳରେ ଭକ୍ତମାନେ ଶ୍ରୀମନ୍ଦିରରୁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।

ଧର୍ମମାସ କାର୍ତ୍ତିକରେ ଏହି ଯନ୍ତ୍ରଣା ଦ୍ବିଗୁଣିତ ହୋଇଯାଇଛି। ମହାପ୍ରସାଦ ଟିକେ ପାଇବା ପାଇଁ ଆତୁର ଗରିବ ଭକ୍ତ ମହାପ୍ରସାଦ ନ କିଣି ପାରି ମନ କଷ୍ଟରେ ଘରକୁ ଫେରୁଛି। ସମାନ ସ୍ଥିତି ହବିଷ୍ୟାଳୀଙ୍କର। ଯେଉଁମାନେ ହବିଷ୍ୟାଳୀ ଶିବିରରେ ରହୁଛନ୍ତି ସେମାନଙ୍କ କଥା ଭିନ୍ନ, କିନ୍ତୁ ଯେଉଁମାନେ ବାହାରେ ଭଡ଼ାରେ ରହି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ଓ ହବିଷ୍ୟାନ୍ନ ସେବନ କରୁଛନ୍ତି, ସେମାନଙ୍କ ପାଇଁ ଏହା କଷ୍ଟ ଦେଉଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ନେତୃତ୍ବରେ ଏହାର ତର୍ଜମା ପାଇଁ ସ୍ବତନ୍ତ୍ର କମିଟି ବି ଗଠନ ହୋଇଛି। ଆନନ୍ଦବଜାର ଶୃଙ୍ଖଳା ଦାୟିତ୍ବ ସୁଆର ମହାସୁଆର ନିଯୋଗ ମୁଣ୍ଡାଇଛି। ତଥାପି ଭକ୍ତମାନେ ଶୋଷଣର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର