ଗଞ୍ଜାମରେ ପୁରୁଷ ବନ୍ଧ୍ୟାକରଣ ନଗଣ୍ୟ, ଆଗରେ ମହିଳା

ଦୁଇ ବର୍ଷରେ ଟାର୍ଗେଟ ୪୨୦୪, ମାତ୍ର ୭୯ ଅସ୍ତ୍ରୋପଚାର

ବ୍ରହ୍ମପୁର : ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରତିବର୍ଷ ଟାର୍ଗେଟ ଧାର୍ଯ୍ୟ ହେଉଛି। ଏହି କାର୍ଯ୍ୟକ୍ରମରେ ଉଭୟ ମହିଳା ଓ ପୁରୁଷଙ୍କୁ ସାମିଲ କରିବାକୁ ଗୁରୁତ୍ବାରୋପ କରାଯାଉଛି। ମହିଳାମାନେ ସ୍ବଇଚ୍ଛାରେ ବନ୍ଧ୍ୟାକରଣ ପାଇଁ ଆଗେଇ ଆସୁଛନ୍ତି। ହେଲେ ପୁରୁଷଙ୍କ କ୍ଷେତ୍ରରେ ସେତେଟା ଆଗ୍ରହ ଦେଖିବାକୁ ମିଳୁ ନାହିଁ। ଫଳସ୍ବରୂପ ଗଞ୍ଜାମ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ ସମ୍ପୂର୍ଣ୍ଣ ଧିମେଇ ଯାଇଛି। କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ସାରା ରାଜ୍ୟରେ ସମାନ ଚିତ୍ର ରହିଛି। ଗଞ୍ଜାମ ଜିଲ୍ଲାରେ ଗତ ୨୦୨୦ରୁ ୨୦୨୨ ୨ବର୍ଷରେ ମାତ୍ର ୭୯ ପୁରୁଷଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇପାରିଛି। ଏହି ସଂଖ୍ୟା ତୁଳନାରେ ମହିଳାଙ୍କ ସଂଖ୍ୟା ଢେର୍‌ ଅଧିକ ରହିଛି।

ଏଣୁ ବନ୍ଧ୍ୟାକରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାରେ ମହିଳା ଆଗରେ ରହିଥିବା ବେଳେ ପୁରୁଷ ପଛରେ ପଡ଼ି ଯାଇଛନ୍ତି। ପୁରୁଷ ବନ୍ଧ୍ୟାକରଣ ଦିଗରେ କିଛି ସ୍ବତନ୍ତ୍ର ଯୋଜନା କରି ପ୍ରଥମେ ଶିକ୍ଷିତ ବର୍ଗଙ୍କୁ ଏଥିରେ ସାମିଲ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ପୁରୁଷ ବନ୍ଧ୍ୟାକରଣ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରତିବର୍ଷ ବନ୍ଧ୍ୟାକରଣ ପକ୍ଷ ପାଳନ ହେଉଛି। ଏହି ୧୫ଦିନ ମଧୢରେ ବନ୍ଧ୍ୟାକରଣ ଜରିଆରେ ପରିବାର ନିୟୋଜନ ଯୋଜନାରେ ସାମିଲ ହେବାକୁ କୁହାଯାଉଛି। ହେଲେ ଏହା ଫଳପ୍ରଦ ହୋଇପାରୁ ନାହିଁ। ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ପୁରୁଷମାନେ ଆନ୍ତରିକତା ଦେଖାଉ ନାହିଁ। ଏଣୁ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ ସମ୍ପୂର୍ଣ୍ଣ ଧିମେଇ ଯାଇଛି। ଗଞ୍ଜାମ ସମେତ ରାଜ୍ୟର ଅଧିକା˚ଶ ଜିଲ୍ଲାରେ ଏହି ଯୋଜନାର ଫଳ ନୈରାଶ୍ୟଜନକ ରହିଛି। ପ୍ରତିବର୍ଷ ଏହି ଯୋଜନାକୁ ସଫଳ କରିବା ପାଇଁ ଟାର୍ଗେଟ ଧାର୍ଯ୍ୟ କରାଯାଉଛି। ଟାର୍ଗେଟ ହାସଲ ହେବା ତ ଦୂର କଥା, ଗଞ୍ଜାମ ଜିଲ୍ଲାରେ ୧୦ ପ୍ରତିଶତ ମଧ୍ୟ ପୂରଣ ହେଉ ନାହିଁ। ପରିବାର ନିୟୋଜନ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ଧାର୍ଯ୍ୟ ଟାର୍ଗେଟ ମଧ୍ୟ ହାସଲ ହୋଇପାରୁ ନାହିଁ। ତଥାପି ମହିଳା ବନ୍ଧ୍ୟାକରଣ ସଂଖ୍ୟା ସନ୍ତୋଷଜନକ ରହିଛି। ମହିଳାମାନେ ଧୀରେ ଧୀରେ ସଚେତନ ହୋଇ ଅସ୍ତ୍ରୋପଚାର ପାଇଁ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସେଭଳି ଆଗ୍ରହ ଦେଖାଯାଉ ନାହିଁ।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ପରିବାର ନିୟୋଜନ ଯୋଜନାରେ ଜିଲ୍ଲାରେ ୧୪ହଜାର ୫୦୫ଜଣ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହି ବର୍ଷ ୮ହଜାର ୪୯୮ଜଣ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଛି। ସେହିପରି ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଜିଲ୍ଲାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୨ହଜାର ୭୨ ଟାର୍ଗେଟ ରଖାଯାଇଥିଲା। କିନ୍ତୁ ସେହିବର୍ଷ ମାତ୍ର ୧୯୦ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ କରୋନା ଯୋଗୁଁ ଅସ୍ତ୍ରୋପଚାର ବାଧାପ୍ରାପ୍ତ ହୋଇଥିଲା। ତଥାପି ମହିଳା ବନ୍ଧ୍ୟାକରଣ ପାଇଁ ଧାର୍ଯ୍ୟ ଟାର୍ଗେଟ ୧୪ହଜାର ୭୧୩ରୁ ୬ହଜାର ୩୯୯ଜଣଙ୍କ ଅସ୍ତ୍ରୋପଚାର କରାଯାଇଛି। ସେହିପରି ୨୦୨୧-୨୨ରେ ୮ହଜାର ୧୬୭ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ୨୦୨୨-୧୩ ଅକ୍ଟୋବର ସୁଦ୍ଧା ୩ହଜାର ୯୬୧ଜଣ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

ପୁରୁଷ ବନ୍ଧ୍ୟାକରଣ ତାଲିକା

ବର୍ଷ                   ଟାର୍ଗେଟ              ହାସଲ
୨୦୧୯-୨୦      ୨୦୭୨              ୧୯୦
୨୦୨୦-୨୧      ୨୧୦୨              ୨୮
୨୦୨୧-୨୨      ୨୧୦୨              ୫୧
୨୦୨୨-୨୩      ୨୧୦୨              ୩୫(ଅକ୍ଟୋବର ସୁଦ୍ଧା)

ସମ୍ବନ୍ଧିତ ଖବର