ମହିଳାଙ୍କୁ ନିର୍ଯାତନା ଦେଉଛନ୍ତି ମାଓବାଦୀ

ଖସି ପଳା‌ଇଲା ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ ମୁରଲୀ

ନବରଙ୍ଗପୁର : ମାଓବାଦୀ ଶିବିରରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ମାଓବାଦୀଙ୍କ ଜବତ ସାମଗ୍ରୀ ତାହାର ଏକ ବଡ଼ ପ୍ରମାଣ। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ନବରଙ୍ଗପୁର ଏସ୍‌ପି ଏସ୍‌.ସୁଶ୍ରୀ। ମାଓବାଦୀଙ୍କ ବଡ଼ ହିଂସାକାଣ୍ଡକୁ ଯବାନମାନେ ରୋକିବାରେ ସଫଳ ହୋଇଥିବା ଏବଂ ଜବତ ସାମଗ୍ରୀ ସମ୍ପର୍କରେ ସୂଚନା ଦେବା ଅବସରରେ ଏସ୍‌ପି ଏହା କହିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁସାରେ, ମୈନପୁର-ନୌପଡ଼ା ଡିଭିଜନ୍‌ର ଉଦନ୍ତି ଏଲ୍‌ଜିଏସ୍‌ର ଏହି କ୍ୟାମ୍ପ ସ୍ଥାପନ କରି ବଡ଼ ଯୋଜନା କରୁଥିଲା। ଅଧଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟ ପରେ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ ମୁରଲୀ, ଏସ୍‌ସିଏମ୍‌ କାର୍ତ୍ତିକ, ଏସ୍‌ସିଏମ୍‌ ଗୁଡୁ, ଏସିଏମ୍ ଆକାଶ, ଏସିଏମ୍‌ ନନ୍ଦଲାଲ ସମେତ ପ୍ରାୟ ୨୫ଜଣ ମାଓବାଦୀ ଖସି ପଳାଇଥିଲେ। କ୍ୟାମ୍ପ୍‌ରେ ପ୍ରାୟ ୫ଜଣ ମହିଳା ମାଓବାଦୀ ରହିଥିଲେ। ଜବତ ସାମଗ୍ରୀରେ ଦୁଇଟି ବନ୍ଧୁକ, ମାଦକ ଦ୍ରବ୍ୟ, ଲିଫଲେଟ୍, ବ୍ୟାନର, କୋଡେକ୍ସ ତାର, ଡିଟୋନେଟର, ସୋଲାର ପ୍ଲେଟ୍, ବ୍ୟାଟେରି, ଦୁଇଟି ଟାଙ୍ଗିଆ ବ୍ୟତୀତ ଅବ୍ୟବହୃତ କଣ୍ଡମ, ଗର୍ଭ ପରୀକ୍ଷା କିଟ୍, ଚାଦର, ରୋଷେଇ ସାମଗ୍ରୀ ରହିଛି। ଏଥିରୁ ଆଶଙ୍କା କରାଯାଉଛି ହିଂସା ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀ ଜମା ହୋଇଥିଲେ। କଣ୍ଡୋମ ଏବଂ ଗର୍ଭ ପରୀକ୍ଷା କିଟ୍‌ ମିଳିଥିବାରୁ ମହିଳା ମାଓବାଦୀଙ୍କୁ ‌‌‌ଶିବିରରେ ଯୌନ ନିର୍ଯାତନା ଦିଆଯାଉଥିବା ଅନୁମାନ କରାଯାଉଛି।

ସେପଟେ , ମାଓ ସଂଗଠନରେ ଛତିଶଗଡ଼ ପଟୁ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଥିବାରୁ ମିଲିସିଆ ମଧ୍ୟ ସକ୍ରିୟ ହୋଇ ଯାଇଛନ୍ତି। ଏଥିପାଇଁ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ସମନ୍ବୟ ରକ୍ଷା କରି ପରିସ୍ଥିତିର ଅନୁଧ୍ୟାନ କରାଯାଉଛି। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ନିୟମିତ କମ୍ବିଂ ଅପରେସନ୍ ଚାଲୁରହିଛି ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର