ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: ‘ସଚେତନତା ପାଇଁ ଗଣମାଧ୍ୟମ ସହଯୋଗ କରୁ’

ଭୁବନେଶ୍ବର : ‘ଜଳବାୟୁ ଅସଙ୍ଗତି’ ଶୀର୍ଷକ ଦ୍ବିତୀୟ ଅଧିବେଶନର ଆଲୋଚନାଚକ୍ରରେ ଶ୍ରୀ ଘୋଷ କହିଲେ, ପ୍ରକୃତି ସହ ଜୀବନ ଜିଇଁବା ବେଳେ ଆମେ ତା’ର ପରିବର୍ତ୍ତନ ସମ୍ପର୍କରେ ଅବଗତ ହୋଇ ଚାଲୁ। ମୋ କ୍ଷେତ୍ରରେ ମଧ୍ୟ ସେୟା ଘଟିଛି। ତେଣୁ ମୁଁ ଏହାକୁ ମୋ ଉପନ୍ୟାସରେ ସ୍ଥାନ ଦେବା ଆରମ୍ଭ କରିଥିଲି। ଅଧିକାଂଶ ସମୟ ସୁନ୍ଦରବନରେ ଅତିବାହିତ କରିଥିବା‌ରୁ ମୁଁ ପୃଥିବୀର ବିଭିନ୍ନ ପରିବର୍ତ୍ତନ ଦେଖିଛି। ଦ୍ବୀପଗୁଡ଼ିକ ଲୁପ୍ତ ହୋଇଯାଉଛି, ସମୁଦ୍ରର ଜଳପତ୍ତନ ସହ ଲୁଣିଜଳ ବୃଦ୍ଧି ପାଉଛି, ଜଙ୍ଗଲ ନଷ୍ଟ ହେଉଛି; ଏସବୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ପ୍ରାୟ ପ୍ରତିବର୍ଷ ୨ରୁ ୩ଥର ଭାରତର ବିଭିନ୍ନ ସ୍ଥାନରେ ବାତ୍ୟା ହେଉଛି। ଏଣୁ ଏସବୁ ପରିବର୍ତ୍ତନକାରୀ ବିନାଶକୁ ଲେଖାରେ ଉତ୍ତାରି ଭବିଷ୍ୟତ ପିଢ଼ିକୁ ସଚେତନ କରିବାକୁ ମୁଁ ଚେଷ୍ଟା କରୁଛି।

ବିଭିନ୍ନ ଜଳବାୟୁ ସ୍ଥିତିକୁ ନେଇ ବହୁ ପ୍ରାଚୀନ କାଳରୁ ଗପ, କବିତା, ନାଟକ ଆଦି ଲେଖା ହେଉଛି। ବାତ୍ୟା, ବନ୍ୟା, ‌ତୋଫାନ, ବର୍ଷା, ଖରା ଓ ଶୀତ ଭଳି ବିଭିନ୍ନ ସ୍ଥିତିକୁ ନେଇ ଆମ ସାହିତ୍ୟ ଭଣ୍ଡାର ରୁଦ୍ଧିମନ୍ତ ହୋଇଛି। ବାତ୍ୟା, ବନ୍ୟା, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲୀ ଜୀବନ ସୁରକ୍ଷା ଆଦିକୁ ନେଇ ବହୁ ଉପନ୍ୟାସ, ଲେଖା ପ୍ରକାଶିତ ହୋଉଛି। ଏସବୁକୁ ଉପସ୍ଥାପନ କରିବାର ଉପାୟ ବଦଳାଇଲେ ହେବ ନାହିଁ, ଏବେ ଆମେ ମିଳିମିଶି ଏନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ବିଶେଷକରି ଭିଜୁଆଲ୍‌ ପ୍ଲାଟଫର୍ମ ସହ ଆମକୁ ମିଶି କାମ କରିବାକୁ ପଡ଼ିବ। ଟିଭି, ସାମାଜିକ ଗଣମାଧ୍ୟମ ଆଦି ସହ ମିଶି ଜଳବାୟୁ ଅସାମଞ୍ଜସ୍ୟ ଓ ପରିବର୍ତ୍ତନ ସମ୍ପର୍କିତ କଣ୍ଟେଣ୍ଟ୍‌ ଦେଖାଇଲେ, ଲୋକମାନେ ଏନେଇ ଅଧିକ ବୁଝିପାରିବେ ଓ ସଚେତନ ହୋଇପାରିବେ।

ବିଶ୍ବ ତାପାୟନ କଥା ଉଠିଲେ, ଆମେ କେତେ ଗାଡ଼ି ଚଳାଉଛେ, ‌କେତେ ମାତ୍ରାରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କରୁଛେ, ଆଦିକୁ ନେଇ ପ୍ରଶ୍ନ ଉଠେ। ଏଥିପାଇଁ ଆମେ ଶିଳ୍ପ କାରଖାନା ଓ ଅନୁଷ୍ଠାନଗୁଡ଼ିକୁ ବି ଦୋଷ ଦେଉ। କିନ୍ତୁ ସୈନ୍ୟ ସମରାଭ୍ୟାସ ଦ୍ବାରା କେତେ ସବୁଜ ଗ୍ୟାସ୍‌ ନିର୍ଗତ ହେଉଛି, ସେ ନେଇ ଆମେ ଆଲୋଚନା କରୁନାହେଁ କିମ୍ବା ଏ ସଂପର୍କରେ ପ୍ରଶ୍ନ ପଚାରିବା ପାଇଁ ବି ଅନୁମତି ନାହିଁ। ରେକର୍ଡ କହୁଛି, ବିଶ୍ବର ୨୫% ସବୁଜ ଗ୍ୟାସ୍‌ ନିର୍ଗତ କେବଳ ଆମେରିକାର ସେନା ସମରାଭ୍ୟାସ ଦ୍ବାରା ହିଁ ହେଉଛି। କିନ୍ତୁ ଏନେଇ ତଥ୍ୟ ମାଗିବାର ଅଧିକାର ଆମର ନାହିଁ। ଏଣୁ ଏସବୁକୁ ନ ବଦଳାଇବା ପର୍ଯ୍ୟନ୍ତ ବିଶ୍ବ ତାପ‌ାୟନ ସମ୍ପର୍କ‌ରେ ଆଲୋଚନା କରି କିଛି ଲାଭ ନାହିଁ ବୋଲି ଶ୍ରୀ ଘୋଷ କହିଥିଲେ। ଅଧିବେଶନକୁ ସାମ୍ବାଦିକ ସମ୍ପଦ ପଟ୍ଟନାୟକ ପରିଚାଳନା କରିଥିଲେ। ସେ କହିଥିଲେ, ଜଳବାୟୁ ପରିବର୍ତ୍ତନର କାରଣ ଓ ଏହାର ଉପଚାର ସମ୍ପର୍କ‌ରେ ଲୋକଙ୍କୁ ସଚେତନ କରିବାକୁ କୌଣସି ଦାଣ୍ଡି ଯାତ୍ରାର ଆବଶ୍ୟକତା ନାହିଁ। ଏଥିପାଇଁ କେବଳ ଗଣମାଧ୍ୟମର ସହଯୋଗର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର