ଦଶପଲ୍ଲା: ଗାଁ ମୁଣ୍ତରେ କୋଠଘର। ତାହାରି ମଧ୍ୟରେ ରହିଛି ୫ଟି ଝୁମୁକାଲଗା ଠେଙ୍ଗା। କାନ୍ଥରେ ବଡବଡ ଅକ୍ଷରରେ ଟଙ୍ଗାଯାଇଛି ତାଲିକା। ସକାଳ ହେବାକ୍ଷଣି ଘରର କାମଧନ୍ଧା ଶେଷ ହେଉ କି ନହେଉ ତାଲିକା ମୁତାବକ ନିର୍ଦ୍ଧାରିତ ସମୟରେ ବାହାରି ପଡ଼ିଥାନ୍ତି ୫ଟି ପରିବାରର ୫ ଜଣ ସଦସ୍ୟ। ତାହାରି ମଧ୍ୟରେ ୩ ଜଣ ମହିଳା ସାଙ୍ଗକୁ ୨ ଜଣ ପୁରୁଷ ରହିଥାନ୍ତି। କୋଠଘରୁ ଝୁମୁକାଲଗା ଠେଙ୍ଗା ସାଙ୍ଗକୁ ମୁଣ୍ତରେ ଝାମ୍ପି ଓ ଟାଙ୍ଗିଆ ଧରି ବାହାରିଯାଆନ୍ତି ଜଙ୍ଗଲକୁ। ଠେଙ୍ଗାର ଝୁମୁରୁ ଝୁମୁରୁ ଶବ୍ଦ ଏକାଧାରାରେ ସମସ୍ତଙ୍କୁ ଜଙ୍ଗଲକୁ ବାଟ କଢ଼ାଇ ନେବାସହ ଏକାଠି କରିବାରେ ସହାୟକ ହୋଇଥାଏ। ଦୀର୍ଘ ୫ ବର୍ଷ ଧରି ଏଭଳି ୨୧ଟି ପରିବାର ଶହଶହ ଏକର ଜଙ୍ଗଲକୁ ସୁରକ୍ଷା ଯୋଗାଇବା ପାଇଁ ପଣ କରିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୁଲୁରୁକୁମ୍ପା ପଞ୍ଚାୟତର ବଣପାହାଡ଼ଘେରା ଉପରଡିକିରି ଗ୍ରାମରେ।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାମରେ ସମୁଦାୟ ୨୧ ପରିବାର ବସବାସ କରି ଆସୁଛନ୍ତି। ସେମାନଙ୍କ ମଧ୍ୟରେ ୧୮ଟି ଆଦିବାସୀ ପରିବାର ରହିଥିବା ବେଳେ ୩ଟି ଓବିସି ପରିବାର ରହିଛନ୍ତି। ସରକାରଙ୍କ ଜଙ୍ଗଲ ସୁରକ୍ଷା ଆଇନ ସମ୍ପର୍କରେ ଗ୍ରାମବାସୀ ଅବଗତ ହେବା ପରେ ଜଙ୍ଗଲର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ୨୦୧୯ ମସିହାରେ ମା’ ଶୁଳିଆଶୁଣୀ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଓ ଅଧିକାର କମିଟି ଗଠନ କରିଛନ୍ତି। ଗ୍ରାମ ଚତୁର୍ପାର୍ଶ୍ବରେ ଥିବା ହଳଦିଆ ପାହାଡ଼, ଶୁଳିଆ ପାହାଡ଼ ଏବଂ ଆରକାଡବା ପାହାଡ଼ର ସୁରକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ। ଏସବୁ ପାହାଡ଼ର ପାରମ୍ପରିକ ସୀମା ତଥା ଚାମକି ପାହାଡ଼, ଠେସରା, ପଇରାମ, କୁମ୍ଭି, ଶୁଆଖାଇ, ତଡ଼ାଖାଲ, ଘାଟି ପାହାଡ଼, ଅର୍ଜୁନ ତଇଲା, ଅରିଆ ବନ୍ଦର, ଗୁଞ୍ଜିଆମ୍ବ, ଟାଙ୍ଗେରୀ, ରୁଚୁରୁଚିଆ ଟାଙ୍ଗେରୀ, ଡିମିରି ଝୋଲା, ଚଣ୍ତିଗାଣ୍ତ, ପିଡ଼ିଆଖୋଲ ଏବଂ ଚିହିଁରା ପାହାଡ଼କୁ ଚିହ୍ନଟ କରାଯାଇ ଖମ୍ବ ପୋତାଯାଇଛି। ଏସବୁ ସରହଦ ମଧ୍ୟରେ ବାହାର ଲୋକଙ୍କ ପ୍ରବେଶ ସାଙ୍ଗକୁ ଅବାଧ ଗଛକଟା ଉପରେ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ଯେଭଳି ଅବାଧ ପ୍ରବେଶ ନ କରନ୍ତି ଦୈନିକ ପାଳିରେ ଥିବା ବ୍ୟକ୍ତିମାନେ ଏହା ଉପରେ ଦୃଷ୍ଟି ଦିଅନ୍ତି। ସକାଳ ୬ଟାରୁ ୧୨ ଟା ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଏମାନେ ଜଙ୍ଗଲ ଜଗିଥାନ୍ତି। ଜଙ୍ଗଲକୁ ମାଫିଆ ଦାଉରୁ ରକ୍ଷା କରିବା ସହ ଜଙ୍ଗଲରେ କିଭଳି ନିଆଁ ନ ଲାଗିବ ଏବଂ ପଶୁପକ୍ଷୀଙ୍କ ସୁରକ୍ଷା ହୋଇପାରିବ ସେ ଉପରେ ଦୃଷ୍ଟି ଦିଆଯାଇଥାଏ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ତଡ଼ାଖଲା ଜଙ୍ଗଲରେ ପ୍ରବଳ ମୟୂର ଦେଖାଯାନ୍ତି। ଧାନ ଅମଳ ସମୟ ହୋଇଗଲେ ପଲପଲ ମୟୂର ଧାନ ବିଲକୁ ଆସିବା ସହ ଗାଁକୁ ମଧ୍ୟ ଆସିଥାନ୍ତି। ହେଲେ ସେମାନଙ୍କର ଯେଭଳି କୌଣସି କ୍ଷତି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଥାଏ। ସେହିଭଳି ଗ୍ରାମର କୌଣସି ବ୍ୟକ୍ତି ଘର ନିର୍ମାଣ କିମ୍ବା କୌଣସି କାର୍ଯ୍ୟ ପାଇଁ ବାଉଁଶ କିମ୍ବା କାଠ ଆବଶ୍ୟକ କରେ ସେଥିପାଇଁ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼କଥା ହେଉଛି, ଦିନକୁଦିନ ଔଷଧୀୟ ବୃକ୍ଷ ଲୋପ ପାଇବାକୁ ଯାଉଥିବା ବେଳେ ଏହି ଜଙ୍ଗଲ ସୁରକ୍ଷା ଦ୍ବାରା ଜଙ୍ଗଲରେ ଏବେ ଶହଶହ ସଂଖ୍ୟାରେ ଔଷଧୀୟ ବୃକ୍ଷ ମଧ୍ୟ ସୁରକ୍ଷିତ ଭାବେ ରହି ଆସିଥିବା ନୀଳାମ୍ବର ମଳିକ କହିଛନ୍ତି। ତେବେ କୌଣସି ସରକାରୀ ସହାୟତା ପ୍ରତି ଲୋଭ ନଥିବା ବେଳେ ଭବିଷ୍ୟତରେ ଖାଲି ଯେ ଆମର ନୁହେଁ ସମାଜ ପାଇଁ ଏହି ଜଙ୍ଗଲ ଉପକାର ସାଜିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।