କାରଖାନା ପାଇଁ ଜମି ହରାଇ ଏବେ ରାସ୍ତାରେ: ମେସ୍କୋ କର୍ମଚାରୀ ଏବେ ଚା ବାଲା, ଉଠା ଦୋକାନୀ

ଦାନଗଦୀ,(ପ୍ରଦୀପ ଜେନା): କଳିଙ୍ଗନଗର ଶିଳ୍ପାଞ୍ଚଳରେ କାରଖାନା ପ୍ରତିଷ୍ଠା ପାଇଁ ଦିନେ ବେଘର ହୋଇଥିଲେ। ଆଜି ସେହି କାରଖାନା ସେମାନଙ୍କୁ ବରୋଜଗାର କରି ରାସ୍ତାରେ ବସାଇ ଦେଇଛି। ପରିବାର ଚଳାଇବାକୁ ଶତାଧିକ ବିସ୍ଥାପିତ ପରିବାର ଆଜି ଜୀବିକା ଖୋଜୁଛନ୍ତି। କିଏ ରାସ୍ତାକଡ଼ରେ ପରିବା ବିକୁଛନ୍ତି ତ କିଏ ଚା ବିକୁଛନ୍ତି।

ମାନପୁର ନୀଳପଦା ଗ୍ରାମର ଆନନ୍ଦ ସାହୁ ୧୯୯୬ ମସିହାରୁ ମେସ୍କୋରେ ପମ୍ପ ଅପରେଟର ଭାବେ ଚାକିରି କରି ମାସକୁ ୩୫ ହଜାର ଟଙ୍କା ଦରମା ପାଉଥିଲେ। କାରଖାନା ବନ୍ଦ ହେବା ପରେ ଦାନଗଦୀଠାରେ ଏକ ଚା ଦୋକାନ କରି ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରୁଛନ୍ତି ମାତ୍ର। ପିଲାଙ୍କ ପାଠପଢ଼ାରେ ବହୁ ଅସୁବିଧା ହେଉଛି ବୋଲି କହିଛନ୍ତି। ସେହିପରି ବାଉରିବନ୍ଧୁ ସାହୁ ସିଆରିଆ ନୀଳପଦାରୁ ବିସ୍ଥାପିତ ହୋଇ ୧୯୯୬ରେ ମେସ୍କୋରେ ଲୋକୋ ଅପରେଟର ଭାବେ ଚାକିରି କରିଥିଲେ। ତାଙ୍କୁ ୪୦ ହଜାର ଟଙ୍କା ବେତନ ମିଳୁଥିଲା। ବେଶ୍‌ ସୁରୁଖୁରୁରେ ତାଙ୍କ ପରିବାର ଚଳିଯାଉଥିଲା। କାରଖାନା ବନ୍ଦ ହେବାର କିଛିଦିନ ପରେ ଅର୍ଥାଭାବ ଆରମ୍ଭ ହୋଇଥିଲା। ଶେଷରେ ଘର ଚଳାଇବାକୁ ସେ ଏବେ ଦାନଗଦୀ ଛକରେ ଏକ ଠେଲାରେ ବରା, ସିଙ୍ଗଡ଼ା ଦୋକାନ କରିଛନ୍ତି। ଏତିକି ରୋଜଗାରରେ ପିଲାଛୁଆଙ୍କୁ ପାଠ ପଢ଼ାଇବା ବହୁ କଷ୍ଟ ହେଉଛି ବୋଲି କୁହନ୍ତି ବାଉରିବନ୍ଧୁ। ନୀଳପଦାର ବାବୁଲି ସାହୁ କଂପାନି ପାଇଁ ଭିଟାମାଟି ହରାଇଥିଲେ। କାରଖାନାରେ ଫାୟାରମ୍ୟାନ ଭାବେ ଚାକିରି କରିଥିଲେ। ମାସକୁ ୪୦ ହଜାର ଟଙ୍କା ଦରମା ମିଳୁଥିଲା। ଏବେ କାରଖାନା ବନ୍ଦ ପରେ ପରିବା ବିକି ନିଜର ପରିବାରକୁ ବହୁ କଷ୍ଟରେ ଚଳାଉଛନ୍ତି।

ସୂଚନାଯୋଗ୍ୟ ଯେ ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ପ୍ରଥମେ କାରଖାନା ସ୍ଥାପନ କରିଥିଲା ମେସ୍କୋ ଷ୍ଟିଲ। ସ୍ବର୍ଗତ ବିଜୁ ପଟ୍ଟନାୟକ କାରଖାନା ସ୍ଥାପନ ପାଇଁ ୧୯୯୨ରେ ସ୍ୱରାଜ ପଲଙ୍କୁ ଆଣି ଯଖପୁରାଠାରେ ଏକ କଦମ୍ବ ଗଛ ଲଗାଇ ମୂଳଦୁଆ ପକାଇଥିଲେ। ପ୍ରଥମେ କାରଖାନା ଥାପିଥିବା ମେସ୍କୋ ୨୦୧୯ ଫେବ୍ରୁଆରି ମାସରୁ ବନ୍ଦ ହୋଇଯାଇଛି। ତା ସହିତ ବହୁ ପରିବାର ଜୀବିକା ବି ବୁଡ଼ିଯାଇଛି। କାରଖାନା ପାଇଁ ସିଆରିଆ, ମାନପୁର ନୀଳପଦାରୁ ୧୫୨ ପରିବାର ବିସ୍ଥାପିତ ହୋଇଥିଲେ। ଏମାନଙ୍କୁ ଭିଟାମାଟି ବଦଳରେ ମିଳିଥିଲା କିଛି ଟଙ୍କା ଏବଂ ପରିବାରର ଜଣକୁ ​ସ୍ବଳ୍ପ ବେତନର ଚାକିରି। ସଂପ୍ରତି ସେମାନେ ତ୍ରିଜଙ୍ଗା ବିସ୍ଥାପିତ କଲୋନିରେ ବସବାସ କରୁଛନ୍ତି। କାରଖାନା ବନ୍ଦ ପରେ ଅଧିକାଂଶ ପରିବାର ନିଜର ପରିବାର ଚଳାଇବା ପାଇଁ ଚା ଦୋକାନ, ପରିବା ବେପାର ଓ ଜଳଖିଆ ଦୋକାନ କରିଛନ୍ତି। ଅନ୍ୟପଟେ ମେସ୍କୋ ଷ୍ଟିଲ ମାଲିକ କାରଖାନା ବନ୍ଦ ପରେ ନିଜର ରେଲୱେ ସାଇଡିଂକୁ ବିଭିନ୍ନ କମ୍ପାନିକୁ ଭଡ଼ାରେ ଲଗାଇ କୋଟିକୋଟି ଟଙ୍କା ପାଉଛନ୍ତି। ବିସ୍ଥାପିତ ଓ କର୍ମଚାରୀମାନେ ବାରମ୍ବାର ଆନ୍ଦୋଳନ କଲା ପରେ କାରଖାନା ମାଲିକ ଦୁଇ/ତିନି ମାସ ୩ ରୁ ୪ ହଜାର ଟଙ୍କା କର୍ମଚାରୀଙ୍କୁ ତିନିରୁ ଚାରିମାସ ପର୍ଯ୍ୟନ୍ତ ଦେଲେ। ପରେ ଏହା ବି ବନ୍ଦ ହୋଇଗଲା। ୩ ବର୍ଷରୁ ଊର୍ଦ୍ଧ୍ବ ହେବ କାରଖାନା ବନ୍ଦ ହୋଇଥିଲେ ବି ଏହାକୁ ଚଳାଇବା ଦିଗରେ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ।

ସମ୍ବନ୍ଧିତ ଖବର