ଫକୀରମୋହନ ଭେଷଜ ମହାବିଦ୍ୟାଳୟ ହାସପାତାଳ: ସପ୍ତାହେ ହେଲା ଏମ୍‌ଆରଆଇ ମେସିନ୍‌ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବାଲେଶ୍ବର: ବାଲେଶ୍ବର ସ୍ଥିତ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ହାସପାତାଳରେ ଏମ୍‌ଆରଆଇ ସେବା ଗତ ସପ୍ତାହେ ହେଲା ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇପଡ଼ିଛି। ଫଳରେ ଏମ୍‌ଆର୍‌ଆଇ କରିବାକୁ ଆସୁଥିବା ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ବଡ଼ ଡାକ୍ତରଖାନାରେ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏମ୍‌ଆର୍‌ଆଇ ସେବା ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣା ଯୋଗାଇ ଦିଆଯାଇଥାଏ। ପ୍ରତିଦିନ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ସମେତ ପଶ୍ଚିମବଙ୍ଗରୁ ଫକୀରମୋହନ ଭେଷଜ ମହାବିଦ୍ୟାଳୟକୁ ଏହି ସେବା ପାଇବା ପାଇଁ ଅନେକ ରୋଗୀ ଆସିଥାନ୍ତି। ମାତ୍ର ସରକାରୀ ବ୍ୟବସ୍ଥା ଦୃଷ୍ଟିରୁ ମାତ୍ର ଦିନକୁ ୩୦ରୁ ୩୫ ଜଣ ରୋଗୀଙ୍କୁ ଏହି ସେବା ଯୋଗାଇ ଦିଆଯାଇଥାଏ। ଗତ ଶନିବାର ଅର୍ଥାତ୍‌ ୫ ତାରିଖରେ ଏହି ମେସିନ୍‌ କୌଣସି କାରଣରୁ ଅଚଳାବସ୍ଥାକୁ ଚାଲିଗଲା। ସେବେଠାରୁ ଏହା ସେମିତି ସ୍ଥିତିରେ ରହିଛି। ସେହିପରି ସପ୍ତାହେ ହେଲା ଏମ୍‌ଆରଇ ସେବା ବନ୍ଦ ଥିବାରୁ ସେବା ପାଇବା ପାଇଁ ରୋଗୀଙ୍କ ପଞ୍ଜୀକରଣ ସଂଖ୍ୟା ବଢ଼ି ଚାଲିଛି। ପାଖାପାଖି ୨୦୦ରୁ ଅଧିକ ରୋଗୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଏମ୍‌ଆର୍‌ଆଇ ପାଇଁ ଡାକ୍ତରଖାନାରେ ଅନ୍ୟ ବିକଳ୍ପ ବ୍ୟବସ୍ଥା ଉପଲବ୍ଧ ନଥିବାରୁ ସାଧାରଣ ଗରିବ ରୋଗୀମାନେ ବାଧ୍ୟ ହୋଇ ମେସିନ୍‌ ଠିକ୍‌ ହେବା ଯାଏ ଅପେକ୍ଷା କରି ବସିଥିବା ଦେଖାଯାଇଛି। ସେପଟେ ଏମ୍‌ଆର୍‌ଆଇ ରିପୋର୍ଟ ନିହାତି ଜରୁରୀ ଥିବା ରୋଗୀମାନେ ଡାକ୍ତରଖାନା ବାହାରକୁ ଯାଇ ଘରୋଇ ଏମ୍‌ଆର୍‌ଆଇ ସେବା କେନ୍ଦ୍ରରେ ଭିଡ଼ ଜମାଇବା ସହ ସେଠାରେ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଥିବା କହିଛନ୍ତି।

ଏନେଇ ଏମ୍‌ଆର୍‌ଆଇ ସେବା କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ପଚାରିବାରୁ ମେସିନ୍‌କୁ ସଜାଡ଼ିବା ଲାଗି ଇଞ୍ଜିନିୟରଙ୍କୁ ଓଡ଼ିଶା ବାହାରୁ ଡକାଯାଇଛି। ଗତକାଲି ମେସିନ୍‌କୁ କିଛିମାତ୍ରାରେ ସଜଡ଼ା ଯାଇଥିଲା। ତେବେ ଖୁବ୍‌ଶୀଘ୍ର ଠିକ୍‌ ହୋଇ ଲୋକଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ସେମାନେ ଆଶା ଦେଇଛନ୍ତି।

ସମ୍ବନ୍ଧିତ ଖବର