ଶପଥ କରାଇଲେ ନବୀନ-‘ଦୁର୍ନୀତିକୁ ନା କର’: ଗାଁରୁ ସହର ସବୁଠି ସଚେତନ କରାଯିବ

୧୦ ମାସରେ ବନ୍ଧା ହୋଇଛନ୍ତି ୧୧୧

ଭୁବନେଶ୍ବର: ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ପ୍ରଥମେ ଡିଜିଟାଲ୍‌ ଜାଲିଆତିକୁ ଚିହ୍ନଟ କର। ଚିହ୍ନଟ କରିବା ପାଇଁ କ୍ଷମତାକୁ ମଜ୍‌ଭୁତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ‘ଦୁର୍ନୀତିକୁ ନା କୁହ; ଜାତି ପ୍ରତି ପ୍ରତିଶ୍ରୁତି ଦିଅ’ ବାର୍ତ୍ତା ଦେଇଛନ୍ତି। ଏଥିପାଇଁ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ; ସରକାରୀସ୍ତରରୁ ଆରମ୍ଭ କରି ବେସରକାରୀ ଅନୁ‌ଷ୍ଠାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଦୁର୍ନୀତି ବିରୋଧରେ ସ୍ବର ଉଠାଇବାକୁ ଆହ୍ବାନ ଦେଇଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ସେହିପିର ବାଲେଶ୍ବର ଓ ରାଉରକେଲାର ଦୁଇଟି ନୂତନ ବିଲ୍‌ଡିଂଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆମ ଓଡ଼ିଶା, ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ଭିକେ‌ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଉପସ୍ଥିତ ଥିଲେ।

ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ କେ ଜେଠୱା ସ୍ବାଗତ ଭାଷଣ ଦେଇ କହିଥିଲେ ଯେ, ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ଓଡ଼ିଶା ଭିଜିଲାନ୍ସ ୩୬୪ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ୪୮୬ ଜଣଙ୍କ ବିରୋଧରେ ୧୯୮ ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ୮୭ ମାମଲାରେ ୧୧୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛି। ୨୭ ଜଣ ସରକାରୀ କର୍ମଚାରୀଙ୍କୁ ସେବାରୁ ବରଖାସ୍ତ କରାଯାଇଛି ଏବଂ ଦୋଷୀସାବ୍ୟସ୍ତ ହୋଇଥିବା ୧୪ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ୍‌ ବନ୍ଦ ହୋଇଛି। ଏହି ଅବସରରେ କଟକକୁ ଶ୍ରେଷ୍ଠ ଡିଭିଜନ ଭାବେ ଆଇପିଏସ୍‌ ଏଲ୍‌ ଦିବ୍ୟା ଭି, ନବରଙ୍ଗପୁରକୁ ଶ୍ରେଷ୍ଠ ୟୁନିଟ୍‌ ଭାବେ ଡିଏସ୍‌ପି ଜୟଶ୍ରୀ ପ୍ରଧାନ, ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ କୋରାପୁଟ୍‌ ଡିଭିଜନ୍‌ର ପୂର୍ବତନ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ, ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଧିକାରୀ ଭାବେ କଟକ ଡିଭିଜନର ଆଇଆଇସି ଭାଗ୍ୟଲତା ପ୍ରଧାନ ଏବଂ ଶ୍ରେଷ୍ଠ ସରକାରୀ ଓକିଲ ଭାବେ ସୁନ୍ଦରଗଡ଼ର ଗୌର ମୋହନ ଦାସଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆଇଜି ଭିଜିଲାନ୍ସ ସଞ୍ଜୟ କୁମାର କୌଶଲ ଧନ୍ୟବାଦ ଦେଇଥିଲେ।

୯୪ କୋଟିରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠାବ
ନଗଦ ୫ କୋଟି, ୮.୧ କେଜି ସୁନା ଜବତ
୧୧୫ ଦୋଷୀ ସାବ୍ୟସ୍ତ, ୨୭ଙ୍କୁ ବାଧ୍ୟତାମୂଳକ ଅବସର
ଆଗରେ ରାଜଧାନୀ, ଗଞ୍ଜାମ, ବାଲେଶ୍ବର

ଭୁବନେଶ୍ବର: କିଏ ବିଲ୍‌ ପାଇଁ ତ କିଏ ସାର୍ଟିଫିକେଟ୍‌ ପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। ସରକାରୀ ଯୋଜନାରେ ଘର ଖଣ୍ଡିଏ ହେଉ କି ଭତ୍ତା କି ରାସକାର୍ଡ ପାଇଁ ବିନା ଲାଞ୍ଚରେ ଫାଇଲ୍‌ ଆଗକୁ ଯାଇନି। ଖାଲି ଏତିକି ନୁହେଁ, ଥାନାରେ ଅଭିଯୋଗ ପରେ ବି ପୁଲିସ ଶୁଣିନି। ଟଙ୍କା ଦେଲେ ଦୋଷୀ ନିର୍ଦ୍ଦୋଷ ଓ ନିର୍ଦ୍ଦୋଷ ଦୋଷୀ ପାଲଟି ଯାଉଛି। ସରକାରୀସ୍ତରରେ ଏଭଳି ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଛାଟ ବାଜିଛି। ଆଜି ରାଜ୍ୟ ଭିଜିଲାନ୍ସ ବିଭାଗ ଏ ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି।

ଚଳିତବର୍ଷ ଜାନୁଆରି ପହିଲାରୁ ଏପର୍ଯ୍ୟନ୍ତ ୧୦ମାସ ମଧ୍ୟରେ ୩୬୫ ଜଣଙ୍କ ବିରୋଧରେ ଭିଜିଲାନ୍ସକୁ ଅଭିଯୋଗ ଆସିଛି। ତାଲିକାରେ ୩୮ଜଣ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ନାମ ରହିଥିବା ବେଳେ ୩୭ଜଣ ଦ୍ବିତୀୟ ଶ୍ରେଣୀ, ୧୬୧ଜଣ ତୃତୀୟ ଶ୍ରେଣୀ, ୭୫ଜଣ ଚତୁର୍ଥ ଶ୍ରେଣୀ, ୫୫ଜଣ ବେସରକାରୀ ଲୋକଙ୍କ ନାମ ରହିଛି। ତେବେ ଭିଜିଲାନ୍ସ ପକ୍ଷରୁ ୨୦୨ଟି ମାମଲାରେ ୧୧୧ରୁ ଊର୍ଦ୍ଧ୍ବ ଦୁର୍ନୀତିଖୋର କର୍ମଚାରୀଙ୍କୁ ଗିରଫ କରାଯାଇଛି। ୬୧ଟି ଆୟବହିର୍ଭୂତ ମାମଲା ରୁଜୁ ହୋଇଥିବା ବେଳେ ୭୫ଟି ଲାଞ୍ଚ କାରବାର ମାମଲା ରୁଜୁ ହୋଇଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ବାବୁଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ଅଛନ୍ତି। ୧୦୧ଜଣ ପୁରୁଷ ଥିବା‌ ବେଳେ ୧୦ଜଣ ମହିଳା କର୍ମଚାରୀ ସାମିଲ ଅଛନ୍ତି। ସର୍ବାଧିକ ରାଜଧାନୀ(ଖୋର୍ଦ୍ଧା)ରୁ ୧୦ଟି ମାମଲାରେ ଦୁର୍ନୀତିଖୋରଙ୍କୁ ଗିରଫ କରାଯାଇଥିବା ବେଳେ ପଛକୁ ଗଞ୍ଜାମ ଓ ବାଲେଶ୍ବରରୁ ୭ଟି ଲେଖାଏଁ ମାମଲାରେ ମୟୂରଭଂଜ ଜିଲ୍ଲାରେ ୬ଟି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ୪୮୬ ମାମଲାରୁ ୧୯୮ ମାମଲାରେ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଯେଉଁଥିରେ ଗ୍ରୁପ୍‌ ଏ-୪୨ଜଣ, ଗ୍ରୁପ ବି- ୩୧ଜଣ ସାମିଲ୍‌ ଅଛନ୍ତି। ୮୭ ମାମଲାରେ ୧୧୫ ଜଣ ଦୋଷୀସାବ୍ୟସ୍ତ ହୋଇଛନ୍ତି। ୨୭ଜଣଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଯେଉଁଥିରେ ୪ଜଣ ଗ୍ରୁପ-ବି ଓ ୨୨ଜଣ ଗ୍ରୁପ-ସି କର୍ମଚାରୀ ଅଛନ୍ତି। ୧୫ଜଣ ଅବସରପ୍ରାପ୍ତଙ୍କ ପେନ୍‌ସନ ବନ୍ଦ କରାଯାଇଛି। ଯଦି ହିସାବକୁ ନିଆଯାଏ, ପ୍ରତି ମାସରେ ଭିଜିଲାନ୍ସ ୧୦ଜଣରୁ ଅଧିକ ଦୁର୍ନୀତିଖୋରଙ୍କୁ ବାନ୍ଧୁଛି। ଏହି କର୍ମଚାରୀ ଓ ଅଧିକାରୀଙ୍କଠାରୁ କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଏମିତି ୧୧୧ଲାଞ୍ଚଖୋରଙ୍କଠାରୁ ୯୪କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ନଗଦ ପାଖାପାଖି ୫ କୋଟି ଟଙ୍କା ଏବଂ ୮.୧କେଜି ସୁନା ମଧ୍ୟ ଜବତ ହୋଇଛି। ଗତ ଜୁନ୍‌୨୩ରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩.୦୨କୋଟି ନଗଦ ଟଙ୍କା, ମାର୍ଚ୍ଚ ୩ରେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ କୋଟିଏ ୬୪ଲକ୍ଷ ନଗଦ ଟଙ୍କା ଓ ୬୫୦ଗ୍ରାମ ସୁନା ଏବଂ ମାର୍ଚ୍ଚ ୩୧ରେ ଜଗତସିଂହପୁର ଜିଲ୍ଲା ସିଟି ଓ ଜିଏସ୍‌ଟିର ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ୧.୧୩୫ କେଜି ସୁନା ଜବତ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର