ଜନ୍ମପୀଠରେ ନେତାଜୀ ଜୟନ୍ତୀ ଉତ୍ସବ

କଟକ: ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ୍ ହିନ୍ଦ୍‌ ଫୌଜର ସ୍ରଷ୍ଟା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଆଜି ଓଡିଆବଜାରସ୍ଥିତ ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟ-ଜାନକୀନାଥ ଭବନରେ ପାଳିତ ହୋଇଯାଇଛି। ଉତ୍ସବରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କଟକ ମେୟର୍‌ ସୁବାସ ଚନ୍ଦ୍ର ସିଂହ, ଜିଲ୍ଲାପାଳ ନରହରି ସେଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ବିଭାଗର ଯୁଗ୍ମ ଶାସନ ସଚିବ ଅତସୀ ଦାଶ, ଉପ-ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଓଡ଼ିଶା ଲଳିତ କଳା ଏକାଡେମି ସଚିବ ପଞ୍ଚାନନ ସାମଲ, ନେତାଜୀଙ୍କ ଅଣନାତି ସୁପ୍ରିୟ ବୋଷ ଓ ଚିତ୍ତପ୍ରିୟ ବୋଷ ପ୍ରମୁଖ ଉପସ୍ଥିତ ରହି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆଜି ଜନ୍ମସ୍ଥାନ ସଂଗହାଳୟ ପରିସରରେ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳେ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ସାହିତ୍ୟିକ ସ୍ବରାଜ ମିଶ୍ର, ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ୍‌ ମହାନ୍ତି, ‘ସମ୍ବାଦ’ର ପ୍ରକାଶକ ତଥା ଚିଫ୍‌ ଅପେରଟିଙ୍ଗ ଅଫିସର୍‌ କମଳାକାନ୍ତ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜନ୍ମପୀଠରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହରରେ ଶୋଭାଯାତ୍ରା ଓ ପ୍ରଭାତଫେରି କରାଯାଇଥିଲା। ଏହି ଅବସରରେ ନେତାଜୀ ସଂଗ୍ରହାଳୟ ପରିସରରେ ଲଳିତ କଳା ଏକାଡେମି ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନେତାଜୀଙ୍କ ଜୀବନର ପ୍ରମୁଖ ଘଟଣାବଳୀକୁ ନେଇ ମୃଣ୍ମୟ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ପ୍ରଦର୍ଶନୀରେ ୧୮ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ଉତ୍ତରୀୟ, ମାନପତ୍ର ଓ ୧୫ ହଜାର ଲେଖାଏ ଟଙ୍କାର ଚେକ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର