ଆଜିଠୁ ନିୟମିତ ଚାଲିଲା ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍, ସମ୍ବଲପୁର ଓ ରାଉରକେଲା ଦେଇ ଯିବ

ଭୁବନେଶ୍ବର: ତେଜସ୍ କୋଚ ସହିତ ସମ୍ବଲପୁର ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଛି। ଉନ୍ନତ ପ୍ରଯୁକ୍ତିରେ ନିର୍ମିତ ଏହି ଟ୍ରେନରେ ସୁଖଦ ଯାତ୍ରା ଅଭିଜ୍ଞତାର ସହ ଆଧୁନିକ ସୁବିଧା ଯୋଗାଇ ଦିଆଯାଇଛି । ଆଜି ଭୁବନେଶ୍ୱର ରେଳଷ୍ଟେସନରୁ ଏହାର ନିୟମିତ ସେବା ଆରମ୍ଭ ହୋଇଛି | ଶନିବାରଠାରୁ ସମ୍ବଲପୁର ମାର୍ଗ ଦେଇ ରାଜଧାନୀ ଏକ୍ସପ୍ରେସ୍ ପ୍ରଥମ ତେଜସ୍ ରେକ୍ ସହିତ ଏହାର ନିୟମିତ ଚଳାଚଳ ଆରମ୍ଭ କରିଛି | ଅନ୍ୟ ମାର୍ଗ ଦେଇ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନମାନଙ୍କରେ ଖୁବ ଶୀଘ୍ର ପର୍ଯ୍ୟାୟ କ୍ରମେ ତେଜସ ରେକ୍ ଲଗାଯିବ ବୋଲି ସୂଚନା ରହିଛି।

ଅଗଷ୍ଟ ୧୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ ରାଜଧାନୀ ଟ୍ରେନର ଉଦ୍‌ଘାଟନୀ ଚଳାଚଳକୁ ଶୁଭାରମ୍ଭ କରିଥିଲେ ଯାହାକି ଏକ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିଥିଲା | ତେଜସ୍ ରେକ୍ ଲାଗିବା ପରେ ରାଜଧାନୀ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୨୦୦ କିମି ବେଗରେ ଚାଲିବ । ଏଥିରେ ଟ୍ରେନରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ସୁବିଧା ରହିଛି ।

ଏହି ଟ୍ରେନର ନିୟମିତ ସେବା ଆଜିଠାରୁ କେବଳ ସମ୍ବଲପୁର ସିଟି ଏବଂ ରାଉରକେଲା ମାର୍ଗ ଦେଇ ଆରମ୍ଭ ହୋଇଛି | ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଏହି ଟ୍ରେନକୁ ଯାଞ୍ଚ କରିଥିଲେ |

ସମ୍ବନ୍ଧିତ ଖବର