ଓଡିଶା ପାଣିରେ ଆନ୍ଧ୍ର ଚାଷୀ ହସୁଛି, ଓଡିଶା ଚାଷୀ ଜଳକା

ରାୟଗଡା: ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଚାଷ ଏବଂ ଚାଷୀଙ୍କ ଉନ୍ନତି ନିମନ୍ତେ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଥାନ୍ତି। କିନ୍ତୁ ଏସବୁ ଅର୍ଥ ଏବେ ପାଣିରେ ପଡିଥିବା ନେଇ ଖୋଦ ଚାଷୀ କହିଛନ୍ତି। ଚାଷୀଙ୍କ ପାଇଁ ରାଜ୍ୟ ସରକାର ଯୋଜନା ପ୍ରଣୟନ କରଛନ୍ତି କିନ୍ତୁ ବିଭାଗୀୟ ଉଦାସୀନତା ଓ ଖାମଖିଆଲି ଯୋଗୁଁ ତାହା ଚାଷୀଙ୍କ କାମରେ ଲାଗୁ ନାହିଁ। ଘଟଣାକ୍ରମରେ ବୋହିଯାଉଥିବା ନାଳ ଓ ନଦୀ ଉପରେ ଚାଷୀମାନଙ୍କ ପାଇଁ ଆଡିବନ୍ଧ ନିର୍ମାଣ କରି ଚାଷ କାର୍ଯ୍ୟରେ ପାଣି ଯୋଗାଇବା ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଚାଷୀଙ୍କୁ ଭେଳିକି ଦେଖାଇଛନ୍ତି ବିଭାଗୀୟ ଅଧିକାରୀମାନେ। ମାଳ ମାଳ ଆଡିବନ୍ଧ କରି ମଧ୍ୟ ଚାଷୀଙ୍କ ଜମିକୁ ପାଣି ମାଡ଼ିପାରୁ ନାହିଁ। ଅନ୍ୟଦିଗରେ ଆନ୍ଧ୍ର-ସୀମାନ୍ତରେ ଓଡିଶା ମାଟିରେ ଆନ୍ଧ୍ର ସରକାର ଆଡିବନ୍ଧ ବାନ୍ଧି ଆନ୍ଧ୍ରପ୍ରଦେଶ ଚାଷୀଙ୍କୁ ଉପକୃତ କରାଉଛି। ପୁଣି ଓଡ଼ିଶାର ପାଣିକୁ କେନାଲ କରି ଶୋଷି ନେଉଛି ଆନ୍ଧ୍ର ସରକାର ଏବଂ ଉପକୃତ କରାଉଛି ନିଜ ଅଞ୍ଚଳର ଚାଷୀଙ୍କୁ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗଲୋଡି ଗ୍ରାମ ପଞ୍ଚୟତର କୁଣ୍ଡମ ଗ୍ରାମରେ। ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଦୁଇଟି ଆଡିବନ୍ଧ କଥା। କୁଣ୍ଡମ ଗ୍ରାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଆଡିବନ୍ଧ ନିର୍ମାଣ କରାଯାଇଥିଲା। ଲକ୍ଷ୍ୟ ଥିଲା କୁଣ୍ଡମ, ଗୌଡ଼କୁଣ୍ଡମ ଏବଂ ଖୀଜିଲିଙ୍ଗ ଭଳି ତିନୋଟି ଗ୍ରାମର ୬୦୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିକୁ ପାଣି ମାଡିବ ଏବଂ ଜିଲ୍ଲାର ଚାଷୀକୁଳ ଉପକୃତ ହେବେ। ମାତ୍ର ଏଠାରେ ସବୁ ଲକ୍ଷ୍ୟ,ଆଶା ଓ କଳ୍ପନାଜଳ୍ପନା ଧୂଳିସାତ ହୋଇଛି।

ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିବା ସଦୃଶ୍ୟ ହୋଇଛି। ନିର୍ମାଣ ହୋଇଥିବା ଆଡିବନ୍ଧରୁ ଚାଷୀମାନଙ୍କର ଜମିକୁ ଟୋପାଏ ପାଣି ମିଳିପାରିଲାନି। ଅନ୍ୟପକ୍ଷରେ ଓଡିଶା ସୀମାନ୍ତ ଖୀଜିଲିଙ୍ଗଠାରେ ଓଡିଶା ଜାଗାରେ ଆନ୍ଧ୍ର ସରକାର ଏକ ଚେକ ଡ୍ୟାମ ନିର୍ମାଣ କରି କେନାଲ ସାହାଯ୍ୟରେ ସବୁ ପାଣି ଶୋଷି ନେଇ ପଡୋଶୀ ଆନ୍ଧ୍ର ଗ୍ରାମ ଲାଡାର ଚାଷୀଙ୍କୁ ଯୋଗାଇ ଦେଉଛି। ଯାହାଫଳରେ ଲାଡା ଅଞ୍ଚଳରେ ଚାଷୀମାନେ ନିଜର ୧୦୦୦ ହେକ୍ଟର ଜମିରେ ବର୍ଷକୁ ତିନୋଟି ଫସଲ ସହିତ ବିଭିନ୍ନ ପନିପରିବା ଚାଷ କରି ଖୁସିରେ ରହୁଥିବା ନେଇ କହିଛନ୍ତି ଆନ୍ଧ୍ରପ୍ରଦେଶ ଚାଷୀ ସାଲପୁ କିଲାକା ଓ ଗଜେନ୍ଦ୍ର ଟିମିକା। ଏଠାରେ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି କେତେ ଦରଦ ଓ ବିଭାଗର କାର୍ଯ୍ୟପ୍ରଣାଳୀ ଚାଷୀଙ୍କ ପାଇଁ କେତେ ଉପକୃତ ହେଉଛି। ପ୍ରକାଶ ଥାଉକି ଚାଷୀଙ୍କ ସ୍ୱାର୍ଥକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୁଣ୍ଡମ ଗ୍ରାମରେ ପ୍ରଥମେ ଏକ ଚେକଡ୍ୟାମ ନିର୍ମାଣ କରିଥିଲେ। କିନ୍ତୁ ତାହାର ରକ୍ଷଣାବେକ୍ଷଣା ଓ ନିମ୍ନମାନର କାମ ଯୋଗୁଁ ବେଶି ଦିନ ରହିଲା ନାହିଁ ଏବଂ ତାହା ଭାଙ୍ଗିଗଲା। ଏହି ଚେକଡ୍ୟାମ ଭାଙ୍ଗି ଯିବା ପରେ ୩୦୦ ମିଟର ଉପରକୁ ଆଉ ଏକ ଚେକଡ୍ୟାମ ନିର୍ମାଣ କରିଥିଲା ବିଭାଗ।

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ପୁଣି ଚେକଡ୍ୟାମ ନିର୍ମାଣ ହେଲା କିନ୍ତୁ ଏହାଦ୍ବାରା ମଧ୍ୟ ଚାଷୀଙ୍କୁ କୌଣସି ସୁଫଳ ମିଳିଲା ନାହିଁ। କାରଣ ଉକ୍ତ ଅଞ୍ଚଳର ଚାଷୀ ଡ୍ୟାମ ନିର୍ମାଣ ସମୟରେ ହିଁ ଅଧିକାରୀଙ୍କୁ ମନା କରିଥିଲେ ଯେ ଉକ୍ତ ସ୍ଥାନରେ ଡ୍ୟାମ ନିର୍ମାଣ ନକରନ୍ତୁ। କାରଣ ଉକ୍ତ ସ୍ଥାନଟି ଜମିଠାରୁ ବହୁତ ଖାଲୁଆ ରହିଛି। ତେଣୁ ସେଠାରେ ଚେକଡ୍ୟାମ ନିର୍ମାଣ ହେଲେ ଜମିକୁ ପାଣି ମାଡିବ ନାହିଁ। ଅଭିଯୋଗ ପରେ ମଧ୍ୟ ବିଭlଗୀୟ ଅଧିକାରୀମାନେ ଠିକାଦାରଙ୍କ ସ୍ୱାର୍ଥକୁ ଆଖିରେ ରଖି ଡ୍ୟାମ ନିର୍ମାଣ କରିଥିଲେ। ଯାହା ଏବେ ଲକ୍ଷାଧିକ ଟଂକା ପାଣିରେ ପଡିବା ନେଇ କହିଛନ୍ତି ସ୍ଥାନୀୟ ଅଂଚଳର ଚାଷୀ ପିମାନା ପୁଆଲା ଓ ରାଉତ ପୁଆଲା। ବାରମ୍ବାର ଓଡିଶା ସୀମାନ୍ତ ଅଞ୍ଚଳରେ ପଶି ଆନ୍ଧ୍ର ସରକାର ସବୁକିଛି ଲୁଟି ନେଉଥବା ସମୟରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କିପରି ନିରବ ଦ୍ରଷ୍ଟା ସାଜିଛନ୍ତି ଓ ଏନେଇ ନଜର ପଡୁନାହିଁ ତାହା ତଦନ୍ତ ସାପେକ୍ଷ। ଆଜି ନିଜ ମାଟିରେ ଚାଷୀ ଅବହେଳିତ ହେଉଥିବାବେଳେ ସେହି ପାଣି ପାଇ ଆନ୍ଧ୍ର ଚାଷୀ ହସୁଛି। ଏନେଇ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କିନ୍ତୁ ଆନ୍ଧ୍ର ତରଫରୁ ଓଡିଶାରେ ଚେକଡ୍ୟାମ ନିର୍ମାଣ ନେଇ ଜାଣିନଥିବା କହିବା ସହ ଏନେଇ ତଦନ୍ତ କରାଯିବ ବୋଲି କହିଥିଲେ। ତେବେ ଦୁଇ ଦୁଇଟି ଆଡିବନ୍ଧ ନିର୍ମାଣ ହୋଇ ଚାଷୀଙ୍କ କାମରେ ଲାଗୁନଥିବା ଉତ୍ତରରେ ମଧ୍ୟ ତଦନ୍ତ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର