ଆନ୍ଧ୍ରକୁ ଭାସିଗଲେ ଓଡ଼ିଶା ମାଛ

ରାୟଗଡା: ରାୟଗଡ଼ା ଜିଲ୍ଲା ମତ୍ସ୍ୟ ବିଭାଗର ଦୂରଦୃଷ୍ଟି ଅଭାବରୁ ଲାଭ ପାଇଲା ଆନ୍ଧ୍ର। ମାଛ ଉତ୍ପାଦନରେ ଶ୍ରୀକାକୁଲମ ଜିଲ୍ଲା କେବଳ ଶୀର୍ଷ ସ୍ଥାନ ଅଧିକାର କରିନାହିଁ, ଓଡ଼ିଶାରୁ ଭାସି ଯାଇଥିବା ମାଛକୁ ପୁଣି ଓଡ଼ିଶାରେ ବିକ୍ରି କରିଛି। ଏଥିଯୋଗୁଁ ରାୟଗଡ଼ା ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରତି ସଂକଟ ସୃଷ୍ଟି ହୋଇଛି। ଅନ୍ୟପଟେ ଚଳିତବର୍ଷ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଯାଆଁଳ ଛଡ଼ା ଯାଇନାହିଁ।

୨୦୨୧-୨୨ ବର୍ଷରେ ରାଜ୍ୟ ମତ୍ସ୍ୟ ବିଭାଗର ଅସ୍ତରଙ୍ଗ, କୌଶଲ୍ୟାଗଙ୍ଗ ଏବଂ ଭଞ୍ଜନଗର ସ୍ଥିତ ଯାଆଁଳ ଉତ୍ପାଦନ କେନ୍ଦ୍ରରୁ ରାୟଗଡ଼ା ଜିଲ୍ଲା ମତ୍ସ୍ୟ ବିଭାଗ ୧୯ଲକ୍ଷ ଯାଆଁଳ କିଣିଥିଲା। ସେଥିରୁ ୬ଲକ୍ଷ ଯାଆଁଳ ଗୁଡ଼ାରୀ ବଡନାଳ ସମେତ ଅନ୍ୟାନ୍ୟ ନାଳ ଓ ନଦୀରେ ଛଡ଼ାଗଲା। ସେହିପରି ବଂଶଧାରା ନଦୀରେ ୧୩ଲକ୍ଷ ଯାଆଁଳ ବିଭାଗ ଛାଡ଼ିଥିଲା। କିନ୍ତୁ ଅଣମୌସୁମୀ ସମୟରେ ଯାଆଁଳ ଛାଡ଼ିବାରୁ ବଂଶଧାରା ନଦୀରେ ପର୍ଯ୍ୟାପ୍ତ ପାଣି ନଥିଲା। ଯାଆଁଳ ବଢ଼ିବା ପାଇଁ ପାଣି ଯଥେଷ୍ଟ ନହେବାରୁ ତଳମୁହାଁ ହୋଇଥିଲେ। ପ୍ରାୟ ୨୯କିଲୋମିଟର ଦୂର ତଥା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ନେରେଡି ବ୍ୟାରେଜ୍‌କୁ ଚାଲି ଯାଇଥିଲେ। ଯାହାଫଳରେ ୨୯ କିଲୋମିଟର ପରିଧି ମଧ୍ୟରେ ଥିବା ଓଡ଼ିଶାର ପ୍ରାୟ ୨୧ଟି ଗାଁର ଗ୍ରାମବାସୀ ବଂଶଧାରା ନଦୀରୁ ମଧୁର ଜଳ ମାଛ ପାଇବାରୁ ବଞ୍ଚିତ ହୋଇଥିଲେ। ଓଡ଼ିଶାରୁ ଭାସି ଯାଇଥିବା ଯାଆଁଳ ଯୋଗୁଁ ୨୦୨୧-୨୨ ବର୍ଷରେ ଶ୍ରୀକାକୁଲମ ଜିଲ୍ଲା ୨୬ହଜାର ଟନ୍‌ ମାଛ ଉତ୍ପାଦନ କରି ନିଜ ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଥିଲା। ‌କେବଳ ନେରେଡି ବ୍ୟାରେଜ୍‌ରୁ ୮ହଜାର ଟନ୍‌ରୁ ଅଧିକ ମାଛ ପାଇଥିବା ଶ୍ରୀକାକୁଲମ ଜିଲ୍ଲା ମତ୍ସ୍ୟ ନିର୍ଦ୍ଦେଶକ ଭି.ଭି କୃଷ୍ଣମୂର୍ତ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ ରାୟଗଡ଼ା ଜିଲ୍ଲାରେ ସେହିବର୍ଷ ମାତ୍ର ୬୮୦ ଟନ୍‌ ମାଛ ଉତ୍ପାଦନ କରିଥିଲା ବେଳେ ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ମାତ୍ର ୨୪୩ ଟନ୍‌ ମାଛ ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା।

ଜିଲ୍ଲାରେ ଅନେକ ‌ପୋଖରୀ ରହିଛି। ଏହାବ୍ୟତୀତ ସିଲଟଗୁଡା, ବିଷ୍ଣୁଗୁଡା ଭଳି ଅନେକ ବଡ଼ ଆଡ଼ିବନ୍ଧ ଓ ନାଳ ରହିଥିଲେ ସୁଦ୍ଧା ୧୩ଲକ୍ଷ ଯାଆଁଳ ଆନ୍ଧ୍ର ସୀମାରେ ନେଇ ଛାଡ଼ିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି। ଏ ସଂପର୍କରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଚୂଳକାନ୍ତି ତାଜନଙ୍କୁ ଯୋଗାଯୋଗ କରିବାରୁ ସରକାରୀ ମତ୍ସ୍ୟ ଚାଷ ଓ ମାଛ ବଂଶର ବୃଦ୍ଧି ନିମନ୍ତେ ନଦୀ ତଥା ନାଳ ଗୁଡ଼ିକରେ ଯାଆଁଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ବଂଶଧାରା ନଦୀରେ ୧୩ଲକ୍ଷ ଯାଆଁଳ ବିଭାଗ ଛାଡ଼ିଥିଲା। ନଦୀରେ ପାଣିର ଅଭାବ ଯୋଗୁଁ କିମ୍ବା ପ୍ରାକୃତିକ ପରିବେଶ କାରଣ ଯୋଗୁଁ ମାଛ ଯାଆଁଳ ଗୁଡ଼ିକ ସୀମାବର୍ତ୍ତୀ ଅଞ୍ଚଳକୁ ଚାଲି ଯାଇଥିଲେ। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାଛ ଯାଆଁଳା ଛଡାଯାଇନାହିଁ। ବିଭାଗକୁ ଏ ନେଇ ପଚାରିବାରୁ ଡିସେମ୍ବର ମାସରେ ଛଡାଯିବ ବୋଲି କୁହାଯାଇଛି। ଯାହା ଦ୍ବନ୍ଦ୍ବ ସୃ୍ଷ୍ଟି କରୁଛି, କାରଣ ଆଉ କିଛି ଦିନ ପରେ ଡିସେମ୍ବର ମାସ ସରିଯିବ। ବିଭାଗ କେବେ ଯାଆଁଳ ଛାଡ଼ିବ ବୋଲି ପ୍ରଶ୍ନ ଉଠିଛି। ଓଡ଼ିଶା ସରକାର ନିଜସ୍ବ ଖର୍ଚ୍ଚରେ ମାଛ ଯାଆଁଳା ନଦୀରେ ଛାଡୁଥିବା ବେଳେ ପଡୋଶୀ ଆନ୍ଧ୍ର ଏହାର ଲାଭ ଉଠାଉଥିବାରୁ ବିଭାଗ ଏହାର ପୁନର୍ବାର ତର୍ଜମା କରୁ ବୋଲି ମତ୍ସ୍ୟଜୀବୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର