ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ

କଟକ: କଟକ ଏସସିବିରେ ଶନିବାର ଦିନ ଆଉ ଜଣେ ଆହତଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ୩୩ ବର୍ଷୀୟ ସୋହିମ୍ ମନସୁର୍। ତାଙ୍କର ଘର ବିହାର ରାଜ୍ୟରେ। ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ପରେ ସେ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଅବସ୍ଥା ଶୋଚନୀୟ ହୋଇଥିବା ହେତୁ ତାଙ୍କୁ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ସୋହିମ ଆହତ ହେବା ପରେ ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଯାହା ଫଳରେ ତାଙ୍କର କିଡନି ଖରାପ ହୋଇଯାଇଥିଲା। ଏହାପରେ ଡାଇଲେସିସ କରାଯାଉଥିଲା। ହେଲେ ଏହାପରେ ଗତକାଲି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା, ଯାହା ଫଳରେ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୪୬ ଜଣ ଚିକିତ୍ସିତ ହେଉଥିବା ବେଳେ ୧୩ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତିନିଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ଦେଇଛନ୍ତି ଏସସିବି ଅଧକ୍ଷ ସୁଧାଂଶୁ ଶେଖର ମିଶ୍ର। ତେବେ ଗତ କିଛିଦିନ ମଧ୍ୟରେ ଏସସିବି ବଡ଼ ମେଡିକାଲରେ ମୃତ୍ୟ ସଂଖ୍ୟା ୩ରେ ପହଞ୍ଚିଛି। ଏଣେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୯୧ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ନାବାଳକଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଥିଲା। ମୃତକ ହେଲେ, ବିହାରର ବାସିନ୍ଦା ପ୍ରକାଶ ରାମ(୧୭)। ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୦ରେ ପହଞ୍ଚିଥିଲା। ଏହାପୂର୍ବରୁ ଗତ ୧୩ ତାରିଖରେ ବିହାରର ବିଜୟ ପାଶୱାନଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

 

 

ସମ୍ବନ୍ଧିତ ଖବର