ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା: ହତ୍ୟା ଦଫା ହଟାଇଲେ ହାଇକୋର୍ଟ

ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳଙ୍କୁ ଆଶ୍ବସ୍ତି

କଟକ : ବହୁଚର୍ଚ୍ଚିତ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି ମିଳିଛି। ପିଏ(ବ୍ୟକ୍ତିଗତ ସହାୟକ) ଦେବନାରାୟଣ ପଣ୍ଡାଙ୍କୁ ହତ୍ୟା ଅଭିଯୋଗରେ ନିମ୍ନ ଅଦାଲତ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୫୦୬, ୨୦୧, ୨୦୪, ୧୨୦-ବି, ୩୪ରେ କଗ୍ନିଜାନ୍ସ ଗ୍ରହଣ କରିଥିବା ବେଳେ ହାଇକୋର୍ଟ ଏହା ଏକ ହତ୍ୟାକାଣ୍ଡ ନୁହେଁ ବୋଲି ମତ ଦେଇଛନ୍ତି। ମାଲକାନଗିରି ଏସ୍‌ଡିଜେଏମ୍‌ ଅଦାଲତ ଦଫା ୩୦୨, ୫୦୬, ୨୦୧, ୨୦୪ରେ କଗନିଜାନ୍ସ ଗ୍ରହଣ କରି ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହିସବୁ ଦଫା ବଦଳରେ ଆଇପିସିର ଦଫା ୩୦୬ (ଆତ୍ମହତ୍ୟା ପାଇଁ ବାଧ୍ୟ କରିବା), ୧୦୨-ବି (ଅପରାଧିକ ଷଡ଼୍‌ଯନ୍ତ୍ର) ଓ ୩୪ (ସମାନ ଉଦ୍ଦେଶ୍ୟ)ରେ ନିମ୍ନ ଅଦାଲତରେ ମାମଲା ଚାଲିପାରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଅଗ୍ରୱାଲଙ୍କ ଆବେଦନ ସହିତ ଭି.ଭେଣୁ ଓରଫ ଭେଲିସେଟି ବେଣୁ, ପ୍ରକାଶଚନ୍ଦ୍ର ସ୍ବାଇଁ ଓ ଭଗବାନ ପାଣିଗ୍ରାହୀଙ୍କ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ୮ ମାସ ଭିତରେ ମାମଲାର ଶୁଣାଣି ଶେଷ କରିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ ଡିସେମ୍ବର ୨୭ରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ନିଖୋଜ ହେବା ଓ ପରଦିନ ସତୀଗୁଡ଼ା ଡ୍ୟାମ ନିକଟରୁ ତାଙ୍କର ମୃତଦେହ ମିଳିଥିଲା। ଦେବନାରାୟଣ ଆତ୍ମହତ୍ୟା କରିଥିବା ପୁଲିସ କହିଥିଲା। କିନ୍ତୁ ଦେବନାରାୟଣଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତରେ ଅସନ୍ତୋଷବ୍ୟକ୍ତ କରି ସେ ଏସଡିଜେଏମଙ୍କ ଅଦାଲତରେ ଶ୍ରୀ ଅଗ୍ରୱାଲ ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ। ଏହି ପିଟିସନକୁ ବିଚାର ପାଇଁ ଗ୍ରହଣ କରି ମାଲକାନାଗିରି ଏସ୍‌ଡିଜେଏମ ଅଦାଲତ ଆଇପିସିର ଦଫା ୩୦୨ ଓ ଅନ୍ୟା ଦଫାରେ କଗ୍‌ନିଜାନ୍ସ ଗ୍ରହଣ କରିବା ସହିତ ଶ୍ରୀ ଅଗ୍ରୱାଲ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଥିଲେ। ୨୦୨୨, ଡିସେମ୍ବର ୧୯ର କଗନିଜାନ୍ସ ନିର୍ଦ୍ଦେଶକୁ ବିରୋଧ କରି ଶ୍ରୀ ଅଗ୍ରୱାଲ ଓ ଅନ୍ୟମାନେ ପୃଥକ୍‌ ମାମଲା ହାଇକୋର୍ଟରେ ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ଆଶିଷ ମିଶ୍ର ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର