ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲା: ୪ ବର୍ଷ ପରେ ଚାର୍ଜଫ୍ରେମ, ୨୪ରେ ସାକ୍ଷ୍ୟ ପ୍ରମାଣ ପାଇଁ ଧାର୍ଯ୍ୟ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବୁଧବାର ସ୍ଥାନୀୟ ଏଡିଜେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେବା ପରେ ଚାର୍ଜଫ୍ରେମ କରାଯାଇଥିଲା। ଅଦାଲତ ପକ୍ଷରୁ ଆସନ୍ତା ୨୪ ତାରିଖ ଦିନ ସାକ୍ଷ୍ୟ ପ୍ରମାଣ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି।

ବହୁଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାରେ ପୂର୍ବରୁ ପୁଲିସ/ କ୍ରାଇମବ୍ରାଞ୍ଚ ଶତାଧିକ ଫର୍ଦର ଏକ ଚାର୍ଜସିଟ ଦାଖଲ କରିଥିଲା। ଘଟଣାର ୪ ବର୍ଷ ପରେ ଗତ ବୁଧବାର କୋର୍ଟରେ ଚାର୍ଜଫ୍ରେମ ହୋଇଛି। ଏହି ମାମଲାରେ ଆଉପିସି ଧାରା ୩୦୨, ୩୦୭, ୨୦୧ ଏବଂ ଏକ୍ସପ୍ଲୋସିଭ ଆକ୍ଟ ୩, ୪ ଅନୁଯାୟୀ ଚାର୍ଜଫ୍ରେମ କରାଯାଇଛି। ଏହି ମାମଲାର ସାକ୍ଷ୍ୟ ପ୍ରମାଣ ଗ୍ରହଣ ପାଇଁ ଆସନ୍ତା ୨୪ତାରିଖକୁ ଧାର୍ଯ୍ୟ ହୋଇଛି ବୋଲି ସରକାରୀ ଓକିଲ ଆଶିଷ ଚନ୍ଦନ ସୂଚନା ଦେଇଛନ୍ତି। ଅପରପକ୍ଷରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ର ଏକ କପି ପ୍ରଦାନ ପାଇଁ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଆବେଦନ କରିଥିଲେ। ସେତେବେଳେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ। ପରେ ଏହାକୁ ନେଇ ପୁଣି କୋର୍ଟରେ ଆବେଦନ ହେବାରୁ ସିଡି ଏକ ବନ୍ଦ ଲଫାପାରେ ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ସିଡିକୁ ପୁଞ୍ଜିଲାଲ ଗ୍ରହଣ କରି କିଛିଦିନ ରଖିବା ପରେ ପୁଣି କୋର୍ଟକୁ ଫେରାଇ ଦେଇଥିବା ନେଇ ମଧ୍ୟ ସରକାରୀ ଓକିଲ ଶ୍ରୀ ଚନ୍ଦନ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ବ୍ରହ୍ମପୁରା ନିବାସୀ ରବୀନ୍ଦ୍ର ସାହୁଙ୍କ ଘରକୁ ଏକ ପାର୍ସଲ୍ ଆସିଥିଲା। ବିବାହ ଉପହାର ଭାବି ଶ୍ରୀ ସାହୁଙ୍କ ନବବିବାହିତ ପୁଅ ସୌମ୍ୟଶେଖର ତାହା ଖୋଲିଥିଲେ। ଖୋଲିବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟ ଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ସୌମ୍ୟ ଶେଖରଙ୍କ ପତ୍ନୀ ରୀମାରାଣୀ ଗୁରୁତର ହୋଇ ଅନେକ ଦିନ ଚିକିତ୍ସିତ ହୋଇଥିଲେ।

ସମ୍ବନ୍ଧିତ ଖବର