ଆବସ ଗୃହକୁ ଅଧାକରି ଛାଡିଦେଲା ଠିକାଦାର, ନିଜ ଟଙ୍କାରେ ଆଜବେଷ୍ଟସ୍‌ ପକାଇ ପୂରା କଲେ ହିତାଧିକାରୀ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ଦଣ୍ଡାବାଡି ପଞ୍ଚାୟତରେ କିପରି ଆବାସ ଯୋଜନାରେ ଦୁର୍ନୀତି ହୋଇଛି ସେନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇସାରିଛି। ଏବେ ପୁଣି ସେହି ପଞ୍ଚାୟତର ଗାଡଦିଗୁମ୍ମା ଗ୍ରାମରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଠିକାଦାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ କରିଦେବାର ପ୍ରତିଶ୍ରୁତି ଦେଇ ପରେ ଓହରିଯାଇ ଗୃହକୁ ସମାପ୍ତ କରୁନାହାନ୍ତି। ଏନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।

୨୦୧୭-୧୮ ମସିହାରେ ଗାଡଦିଗୁମ୍ମା ଗ୍ରାମର ସାନୁ ପାଙ୍ଗି ଓ ବୈଦ ପାଙ୍ଗିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ତେବେ ସ୍ଥାନୀୟ ଅଂଚଳର ଜଣେ ଠିକାଦାର ଏହି ଦୁଇ ଗରିବ ଆଦିବାସୀଙ୍କୁ ଫୁସୁଲାଇ ଗୃହ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗୃହକୁ ଅର୍ଦ୍ଧନର୍ମିତ କରି ଛାଡି ଦେଇ ଆଉ ଏହାକୁ ସମାପ୍ତ କରିବାର ନାମ ନେଲେ ନାହିଁ। ହିତାଧିକାରୀମାନେ ବାରମ୍ବାର ଏନେଇ ଠିକାଦାରଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ସେ ଟାଳଟୁଳ ନୀତି ଅବଲମ୍ବନ କରି ଏହାକୁ ଟାଳି ଚାଲିଲେ। ଏଣୁ ଦୁଇ ଗ୍ରାମବାସୀ ଅନ୍ୟ ଜଣକ ଘରେ ଭଡାରେ ରହି ଘର ସମାପ୍ତ ହେବାର ସ୍ବପ୍ନ ଦେଖି ଚାଲିଲେ।

ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାରେ ଠିକାଦାର ଜଣକ ଘର ସମାପ୍ତ କଲେ ନହିଁ। ବାଧ୍ୟ ହୋଇ ଦୁଇ ହିତାଧିକାରୀ ନିଜର ମଜୁରୀ ଟଙ୍କାରେ ଅର୍ଦ୍ଧନିର୍ମିତ ଗୃହରେ ଆଜବେଷ୍ଟସ ପକାଇ ମୁଣ୍ଡ ଗୁଞ୍ଜିଛନ୍ତି। ଦୁଇ ହିତାଧିକାରୀ ବାରମ୍ବାର ଏନେଇ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଥିଲେ। ଅନ୍ୟଦିଗରେ ଠିକାଦାର ଜଣକ ଦୁଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତା ନେଇ ନିଜେ ସମସ୍ତ ଟଂକାକୁ ଆତ୍ମସାତ କରିଥିବା ହାତିଧିକାରୀମାନେ ଅଭିଯୋଗ କରିଛନ୍ତି।

ଏବେ ପ୍ରଶ୍ନ ଉଠିଛି ଯେ ଗୃହ ସମାପ୍ତ ନହେବା ପୂର୍ବରୁ କିପରି ବ୍ଲକ ପ୍ରଶାସନ ସମସ୍ତ ଟଙ୍କା ପ୍ରଦାନ କଲେ। ପୁଣି ହିତାଧିକାରୀ କିପରି ଏହି ଦୁଇ ହାତିଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନିଜ ପାଖରେ ରଖି ସମସ୍ତ ଟଂକା ଉଠାଇ ଏବେ ଟାଳଟୁଳ ନୀତି କରୁଛନ୍ତି, ତାହାକୁ ଗ୍ରାମବାସୀ ନିନ୍ଦା କରିଛନ୍ତି। ତୁରନ୍ତ ଏଦିଗରେ ଉଚିତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିତାଧିକାରୀ ସମେତ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର