ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି: ଝାଡ଼ଖଣ୍ଡରୁ ଆସିଲା ସ୍ବତନ୍ତ୍ର ଚୌକି ଓ ଖଟ

ରାଇରଙ୍ଗପୁର : ଆସନ୍ତା ୪ ତାରିଖରେ ଭାରତର ମହାମହିମ୍ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତାଙ୍କ ଗାଁ ପାହାଡ଼ପୁରଠାରୁ ଆରମ୍ଭ କରି ବାରିପଦା ସମେତ ସାରା ମୟୂରଭଞ୍ଜ ଚଳଚଞ୍ଚଳ ହୋଇଉଠିଛି। ଯୁଦ୍ଧକାଳୀନ ଭିତ୍ତିରେ ପକ୍କା ରାସ୍ତା, ବିଦ୍ୟୁତ ମରାମତି, ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ପ୍ରଭୃତି କାର୍ଯ୍ୟ ଚାଲିଛି।

ସୂଚନା ଅନୁସାରେ, ୪ ତାରିଖରେ ମହାମହିମଙ୍କ ରାତ୍ରିଯାପନ ନିମନ୍ତେ ଝାଡ଼ଖଣ୍ତ ଟାଟାନଗରରୁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିବା ଖଟ, ବିଛଣା ଓ ଅନ୍ୟାନ୍ୟ ଆସବାବପତ୍ର ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଅଣାଯାଇଛି। ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରତିଷ୍ଠିତ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟର କର୍ମଚାରୀ ମୁନା ପ୍ରତିହାରୀଙ୍କ ତତ୍ତ୍ବାବଧାନରେ ଶାଗୁଆନ ଓ ପିଆଶାଳରେ ନିର୍ମିତ ସ୍ବତନ୍ତ୍ର ଚୌକି ମଧ୍ୟ ତିଆରି ସରିଛି। ବାଦାମପାହାଡ଼ର ବିଶିଷ୍ଟ କାରିଗର ଅର୍ବନ ବିନ୍ଧାଣୀ ଓ ଦିଲ୍ଲୀପ ଲୋହାର ଏହାକୁ ନିର୍ମାଣ କରିଛନ୍ତି। ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଏହି ଚୌକିକୁ ରଖାଯାଇଥିବା ବେଳେ ବିଦ୍ୟାଳୟକୁ ମଧ୍ୟ ଚକାଚକ୍ କରାଯାଇଛି। ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବା ପାଇଁ ଅଞ୍ଚଳବାସୀ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ସେଥିପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଉପଖଣ୍ଡ ପ୍ରଶାସନ ତତ୍ପର ହୋଇଉଠିଛି।

ସମ୍ବନ୍ଧିତ ଖବର