ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି: ସୁନାବେଶରେ ଦର୍ଶନ ଦେଲେ ମହାବାହୁ

ପୁରୀ:‌ ଆଜି ପବିତ୍ର ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ତଥା ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁ ସୁବର୍ଣ୍ଣ ଅଳଙ୍କାର ପରିଧାନ କରି ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ରାଜ ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ଏହି ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ବି ପୌଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ବିଧି ଅନୁଯାୟୀ, ଗତରାତିରେ ଚନ୍ଦନଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଆଗ ଧୋପଖାଳ ହୋଇ ଅଧିବାସ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ ଧୂପ ସମୟରେ ପୁରୋହିତ ଓ ବ୍ରାହ୍ମଣମାନେ ହୋମ କାର୍ଯ୍ୟ ସଂପାଦନ କରିଥିଲେ। ସକାଳ ଧୂପ ସରିବା ପରେ ମହାପ୍ରଭୁଙ୍କ ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଶ୍ରୀମନ୍ଦିର ଭିତରେ ପାଣି ପଡ଼ି ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଗତକାଲି ଅଧିବାସ ହୋଇଥିବା ଘିଅ, ଶୀତଳଭୋଗ ଆଦି ଆସିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଶୁଦ୍ଧ ସୁଆର ସେବକ, ପଢ଼ିଆରୀ ସେବକ, ପୂଜାପଣ୍ଡା, ଦେଉଳ ପୁରୋହିତ ପ୍ରମୁଖ ପୂଜାକାର୍ଯ୍ୟ, ଭୋଗଲାଗି ନୀତି ସଂପାଦନ କରିଥିଲେ। ପଶୁପାଳକ ସେବକମାନେ ମଇଲମ କରି ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି କରିବା ପରେ ପୂଜାପଣ୍ଡା, ପତି, ମୁଦିରସ୍ତ ସେବକମାନେ ଚନ୍ଦନ ସର୍ବାଙ୍ଗ ନୀତି ସଂପାଦନ କରିଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କୁ ସାତପାହାଚଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡ଼ୁ ସେବକମାନେ ମହାଲକ୍ଷ୍ମୀ ବିଜେ ହୋଇଥିବା ବିମାନକୁ ଜଗମୋହନକୁ ନେବା ପରେ ମହାଲକ୍ଷ୍ମୀ ଜଗମୋହନ ‌ଖଟ ଉପରେ ବିଜେ କରାଇଥିଲେ। ପରେ ମାଜଣା ହୋଇ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମହାପ୍ରଭୁଙ୍କ ଅଭିଷେକ ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ପୁଷ୍ୟାଭିଷେକ ନୀତି ଶେଷ ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବାହୁଡ଼ା ବିଜେ କରିଥିଲେ। ମହାଲକ୍ଷ୍ମୀଙ୍କ ବାହୁଡ଼ା ବିଜେ ପରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥିଲେ। ସୂଚନାଯୋଗ୍ୟ, ପୁଷ୍ୟାଭିଷେକ ଉତ୍ସବ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ଭିତରେ ଅନ୍ୟତମ। ବର୍ଷକ ମଧ୍ୟରେ ମହାପ୍ରଭୁ ୫ଥର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏ ମଧ୍ୟରେ ପୌଷ ପୂର୍ଣ୍ଣିମା ସୁନାବେଶ ଅନ୍ୟତମ।

ସମ୍ବନ୍ଧିତ ଖବର