ସମସ୍ତଙ୍କ ଆଗରେ ବ୍ୟବସ୍ଥାବଳୀକୁ ଦଳିଚକଟି ଦେଲେ: ଶ୍ରୀଜିଉଙ୍କ ଆଗରୁ ଉଠିଲେନି ସେବକ

ଶ୍ରୀମୁଖ ଦର୍ଶନ କରିପାରିଲେନି ଭକ୍ତ, ରଥ ଉପରେ ଶହ ଶହ ଚଢ଼ିଲେ, ଠେକେରା ବାଡ଼ରେ ବସିଲେ

ପୁରୀ: ରଥଯାତ୍ରା ଭକ୍ତଙ୍କର। ବର୍ଷକର ଅପେକ୍ଷା ପରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଠୁଳ ହୋଇଥିଲେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ ପାଇଁ। ଡହ ଡହ ଖରାକୁ ବି ଖାତିର କରିନଥିଲେ। କିନ୍ତୁ ସେବକଙ୍କ ବିଶୃଙ୍ଖଳା ପାଇଁ ଭକ୍ତମାନେ ଏହି ସୌଭାଗ୍ୟରୁ ବଞ୍ଚିତ ହୋଇଛନ୍ତି। ଶ୍ରୀଜିଉଙ୍କ ଆଗରେ ସେବକମାନେ ଛିଡ଼ା ହୋଇ ରହିବାରୁ ଶ୍ରୀମୁଖ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି। ସେପଟେ ଯେଉଁଠି ସୀମିତ ସଂଖ୍ୟକ ସେବକ ରଥ ଉପରେ ରହିବା କଥା, ସେଠି ପ୍ରତି ରଥରେ ଶହ ଶହ ସେବକ ଚଢ଼ି ରଥଯାତ୍ରା ବ୍ୟବସ୍ଥାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଭକ୍ତ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେବକଙ୍କ ଏଭଳି ଆଚରଣ ବିରୋଧରେ ଭକ୍ତମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏସବୁ କଥା ପୂରା ସରକାର ସାମ୍ନାରେ ଘଟିଲା। ରଥଯାତ୍ରା ଦାୟିତ୍ବରେ ଥିବା ଓ ବ୍ୟବସ୍ଥାବଳୀ ନିଷ୍ପତ୍ତି ନେଇଥିବା ସବୁ ଅଧିକାରୀ ଉପସ୍ଥିତ ଥିଲେ। ହେଲେ କେହି କିଛି ବି କାର୍ଯ୍ୟାନୁଷ୍ଠାନ ନେଲେନି। ଏପରିକି ତାଗିଦ୍ କରି ସେବକଙ୍କୁ ଓହ୍ଲାଇବା ପାଇଁ ମଧ୍ୟ ଉଦ୍ୟମ ମଧ୍ୟ କରାଗଲା ନାହିଁ।

ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥାବଳୀ କରିଛି। ଛତିଶାନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ବି ଏଥିରେ ସହମତି ଜଣାଇବା ପରେ ବ୍ୟବସ୍ଥାବଳୀ ଚୂଡ଼ାନ୍ତ ହୋଇଛି। ବ୍ୟବସ୍ଥାବଳୀ ଅନୁଯାୟୀ, ଛେରାପହଁରା ପରେ ରଥ ସଂପୃକ୍ତ ସେବକ ଓ କତ୍ତର୍ବ୍ୟରତ କର୍ମଚାରୀଙ୍କୁ ମିଶାଇ ବଳଭଦ୍ରଙ୍କ ରଥରେ ୬୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୫୦ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୭୦ଜଣ ମଧ୍ୟରେ ରହିବେ। ତିନି ରଥର ଠେକେରା ବାଡ଼ରେ କୌଣସି ସେବକ ବସି ପାରିବେନି କି ଠିଆ ହୋଇପାରିବେନି। ତଳକୁ ଫୁଲ, ତୁଳସୀ ପକାଇ ପାରିବେନି। ସେହିଭଳି ଛେରାପହଁରା ପୂର୍ବରୁ ଘଣ୍ଟୁଆଙ୍କୁ ରଥ ଉପରକୁ ଚଢ଼ାଇବାରେ ବାରଣ କରାଯାଇଛି। ପ୍ରତି ରଥରେ ସମାନ ସଂଖ୍ୟକ ପୁରୀ ଓ ଭଟିମୁଣ୍ଡା ଘଣ୍ଟୁଆ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ତାଳଧ୍ବଜ ରଥରେ ୧୪ଜଣ, ଦେବଦଳନ ରଥରେ ୧୨ଜଣ ଓ ନନ୍ଦିଘୋଷ ରଥରେ ୧୬ଜଣ ଘଣ୍ଟୁଆ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ନିୟମକୁ ମାଡ଼ି ମକଚି ଦିଆଯାଇଛି। ଘଣ୍ଟୁଆଙ୍କ ସଂଖ୍ୟା ସୀମିତ ଥିଲେ ବି ଶତାଧିକ ସଂଖ୍ୟକ ଅନ୍ୟ ସେବକ ଆଜି ରଥ ଉପରେ ଚଢ଼ି ବିଶୃଙ୍ଖଳା କରିଛନ୍ତି। ଠେଲାପେଲା ହୋଇ ଶତାଧିକ ସଂଖ୍ୟକ ସେବକ ରଥ ଉପରେ ବସିଛନ୍ତି।

ରଥର ଠେକେରା ବାଡ଼ରେ ବସି ତୁଳସୀ, ଫୁଲ ଭକ୍ତଙ୍କ ଉପରକୁ ପକାଇଛନ୍ତି। ରଥ ଉପରକୁ ନଡ଼ିଆ ବି ଫିଙ୍ଗାଯାଇଛି। ସେବକମାନେ ରଥରେ ନଡ଼ିଆ ବାଡ଼େଇ ଭକ୍ତଙ୍କ ଉପରକୁ ବି ଫିଙ୍ଗିଛନ୍ତି। ଯେଉଁଥିପାଇଁ ଦର୍ଶନରେ ବିଶୃଙ୍ଖଳା ଦେଖାଦେଇଛି। ସେପଟେ ରଥଯାତ୍ରା ପୂର୍ବରୁ ଗଜପତିଙ୍କ ସହ ଅନ୍ୟମାନେ ବାରମ୍ବାର ନିବେଦନ କରିଥିଲେ, ଠାକୁର ରଥଯାତ୍ରାରେ ଯିବା ସମୟରେ ଆଗରେ କେହି ସେବକ ବସିବେନି। ଯେଉଁମାନେ ରଥ ଉପରକୁ ଚଢ଼ିବାର ପ୍ରାଧିକୃତ ସେବକ ବା ବ୍ୟକ୍ତି, ସେମାନେ କେବଳ ରଥ ଉପରେ ଚଢ଼ିବେ ଓ ରଥଯାତ୍ରାରେ କୌଣସି ପରିସ୍ଥିତିରେ ବିଶୃଙ୍ଖଳା କରିବେନି। ଯଦି କେହି ବିଶୃଙ୍ଖଳା କରିବେ, କଠୋର କାର୍ଯ୍ୟାନୁଷ୍ଠାନ ହେବ। ସ୍ନାନଯାତ୍ରାରେ ବିଶୃଙ୍ଖଳା ଘଟିଥିଲା। ରଥଯାତ୍ରାରେ ସେଭଳି ପୁନରାବୃତ୍ତି ନ ଘଟୁ ବୋଲି ନିବେଦନ କରିଥିଲେ। କିନ୍ତୁ କେହି ବି ଏହି ନିୟମକୁ ମାନିନାହାନ୍ତି। ଶ୍ରୀଜିଉଙ୍କ ଆଗରେ ଅଢ଼ୁଆଳ କରି ବସିବାରୁ ଭକ୍ତମାନେ ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି

କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ
ରଥଯାତ୍ରାରେ କର୍ଡନ ଭିତରେ ପଶିବା ବାରଣ କରାଯାଇଥିଲା। ରଥ ସ୍ପର୍ଶ କରିବାରେ ବି ବାରଣ କରାଯାଇଥିଲା। କିନ୍ତୁ ଏହାକୁ ଖୋଲା ଉଲ୍ଲଂଘନ କରାଯାଇଛି। ଶତାଧିକ ଅଣସେବାୟତ ଆଜି ରଥ କର୍ଡନ ଭିତରେ ପଶି ରଥକୁ ସ୍ପର୍ଶ କରିଛନ୍ତି। ରଥ ତଳେ ବସିଛନ୍ତି। ସେଲ୍‌ଫି ନେଇଛନ୍ତି। ଯେଉଁଥିରୁ ଅଧିକାଂଶ ଅଣଓଡ଼ିଆ ବି ଥିବା ଦେଖିବାକୁ ମିଳିଛି। ଏଥିରୁ ସିଂହଭାଗ ଭକ୍ତ ପଶ୍ଚିମବଙ୍ଗର ଥିଲେ। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଯେଉଁଠି ସାମ୍ବାଦିକଙ୍କ ପାଇଁ ରିପୋର୍ଟିଂ ବେଳେ ରଥ କର୍ଡନ ପାସ ବାଧ୍ୟତାମୂଳକ କରାଯାଇଛି, ସେଠି କେଉଁ ପରିସ୍ଥିତିରେ ବିନା କର୍ଡନ ପାସରେ ଅନ୍ୟମାନଙ୍କୁ ରଥ ପାଖକୁ ଯିବାକୁ ଅନୁମତି ଦିଆଗଲା, ତାହା ସନ୍ଦେହ ସୃଷ୍ଟି କରିଛି। ସେବାୟତମାନେ କର୍ଡନ ନିୟମ ଭାଙ୍ଗି ଏଭଳି ଅଣଓଡ଼ିଆ ଓ ବିନା ପାସଧାରୀଙ୍କୁ କର୍ଡନ ଭିତରେ ଭର୍ତ୍ତି କରି ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର