ହୀରାକୁଦ ବନ୍ଧର ମରାମତି ଓ ଗେଟ୍ ଆଧୁନିକୀକରଣ ପାଇଁ ୬୦୦ କୋଟି

ସମ୍ବଲପୁର : ହୀରାକୁଦ ବନ୍ଧର ମରାମତି ଓ ଗେଟ୍‌ ଗୁଡ଼ିକର ଆଧୁନିକୀକରଣ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ୬୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ସଂସଦରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ସାଂସଦମାନେ ହୀରାକୁଦ ବନ୍ଧର ସ୍ଥିତି ନେଇ ଚିନ୍ତା ପ୍ରକଟ କରିବା ପରେ ତା’ର ଉତ୍ତରରେ ମନ୍ତ୍ରୀ ଏହି ଘୋଷଣା କରିଥିଲେ। ସଂସଦରେ ଡ୍ୟାମ ସୁରକ୍ଷା ବିଲ ୨୦୧୯ ଆଲୋଚନାରେ ଭାଗ ନେଇ ଶ୍ରୀ ପୂଜାରୀ ହୀରାକୁଦ ନଦୀବନ୍ଧର ବିଭିନ୍ନ ସମସ୍ୟା ଓ ସେଗୁଡିକର ଶୀଘ୍ର ତଥା ସ୍ଥାୟୀ ପ୍ରତିକାର ଦାବି କରିଥିଲେ। ଶ୍ରୀ ପୂଜାରୀ କହିଥିଲେ, ହୀରାକୁଦ ନଦୀବନ୍ଧ ନିର୍ମାଣ ର ୭୦ ବର୍ଷ ପରେ ବି ବିସ୍ଥାପିତ ହୋଇଥିବା ପରିବାରଙ୍କୁ ଉଚିତ ନ୍ୟାୟ ଓ କ୍ଷତିପୂରଣ ମିଳି ନାହିଁ। ଠିକ ସମୟରେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବନ୍ଧଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଅସୁରକ୍ଷିତ ଓ ଯେକୌଣସି ସମୟରେ ଭୁଶୁଡି ପଡିବାର ଆଶଂକା ଦେଖା ଦେଲାଣି। ହୀରାକୁଦ ଜଳଭଣ୍ଡାରର ଚତୁଃପାର୍ଶ୍ବରେ ଗଢି ଉଠିଥିବା ସମସ୍ତ ଛୋଟ ବଡ଼ କଳକାରଖାନା ଜଳଭଣ୍ଡାରରୁ ଜଳ ନେଉଛନ୍ତି। କାରଖାନା ଗୁଡିକରୁ ନିଷ୍କାସିତ ଦୂଷିତପାଣି ଓ ବର୍ଜ୍ୟବସ୍ତୁ ପୁଣି ଆସି ଜଳଭଣ୍ଡାରରେ ମିଶୁଛି। ଫଳରେ କାରଖାନାର ରାସାୟନିକ ମିଶା ପାଣି ଯୋଗୁଁ ନଦୀ ପାଣି ବିଷାକ୍ତ ହୋଇଗଲାଣି। ହୀରାକୁଦ ଜଳଭଣ୍ଡାର ବର୍ତ୍ତମାନ ୩୫%ରୁ ଅଧିକ ପଟୁ ମାଟିରେ ଭର୍ତ୍ତି ହୋଇଯିବାରୁ ଜଳଧାରଣ କ୍ଷମତା ଦିନକୁ ଦିନ ହ୍ରାସ ପାଉଛି। ତା’ଛଡ଼ା ବନ୍ଧ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହେଉଛି। ଏଣୁ ମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ଓ ରାଜ୍ୟ ସରକାରଙ୍କୁ ଏହି ସମସ୍ତ ସମସ୍ୟାର ତ୍ବରିତ ଓ ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ପୂଜାରୀ ଦାବି କରିଥିଲେ।

ବିଲ୍‌ ଆଲୋଚନାର ଉତ୍ତର ଦେବା ବେଳେ ମନ୍ତ୍ରୀ ହୀରାକୁଦ ନଦୀବନ୍ଧର ପୁନରୁଦ୍ଧାର, ମରାମତି ଓ ପୁରୁଣା ଗେଟ ଗୁଡିକର ମରାମତି ପାଇଁ ୬୦୦ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଥିବା ଶ୍ରୀ ପୂଜାରୀଙ୍କ ପକ୍ଷରୁ ବିଜେପିର କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର