ଜଗନ୍ନାଥସାଗରକୂଳରୁ ୪୩ ପରିବାର ସ୍ଥାନାନ୍ତରକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଲା, ଜମି ଖୋଜା ଜାରି

ବିଜୁ ଆଦର୍ଶ କଲୋନି ନିର୍ମାଣ ପରେ ହେବ ସ୍ଥାନାନ୍ତର: ଇଓ 

ଜୟପୁର: ଜଗନ୍ନାଥ ସାଗରର ଚତୁଃପାର୍ଶ୍ବ ଜବରଦଖଲ ଉଛେଦ କରିବାକୁ ୨ବର୍ଷ ତଳେ ଏନଜିଟି (ଜାତୀୟ ସବୁଜ୍ ଟ୍ରିବ୍ୟୁନାଲନ) ନିର୍ଦେଶ ଦେଇଥିଲେ। ୨ବର୍ଷ ପରେ କୋର୍ଟର ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି ଜୟପୁର ପୌରପାଳିକା । ସାଗର ପାର୍ଶ୍ବ ତଥା ଚନ୍ଦନବାଡ଼ ହାଇସ୍କୁଲ ସମ୍ମୁଖରେ ରହୁଥିବା ୪୩ଜଣ ବସ୍ତି ବାସିନ୍ଦାଙ୍କୁ ସେମାନଙ୍କୁ ଥଇଥାନ ସ୍ବରୁପ ଜମି ଦେବା ପାଇଁ ଜମି ଖୋଜା ଅଭିଯାନ ଜାରୀ ରହିଛି।  ଡଙ୍ଗାଗୁଡା, କୁନ୍ଦାରୀଗୁଡା, ଜୟନଗର , ଗୋଡ଼ିଆଧୋବା ସାହି ଆଦି ଅଂଚଳରେ ଥିବା ପୌରପାଳିକା ଓ ରାଜସ୍ବ ବିଭାଗ ଜମି ଗୁଡିକୁ ତଦାରଖ ପୌରପ୍ରଶାସନ ଓ ତହସିଲ ପକ୍ଷରୁ କରାଯାଇଥିଲା। କୁନ୍ଦାରୀଗୁଡା ପାର୍ଶ୍ବରେ କରିବାକୁ ଏକରକମର ଯୋଜନା ହୋଇଥିଲା। ତେବେ ଏତେ ବଡ ଜମି ପୌରପାଳିକା ନିକଟରେ ଆଉ ନାହିଁ। ଯଦି ସେଠାରେ ଏମାନଙ୍କୁ ସ୍ଥାନାନ୍ତର କରି ବିଜୁ ଆଦର୍ଶ କଲୋନୀ ନିର୍ମାଣ କରାଗଲେ ପରବର୍ତ୍ତୀ ସମୟରେ ପୌରପାଳିକାର ଆଗାମୀ ଦିନରେ କରାଯିବାକୁ ଥିବା ବିଭିନ୍ନ ପ୍ରକଳ୍ପ କରିବାକୁ ଆଉ ସହର ମଧ୍ୟରେ ଜମି ନଥିବ। ତେଣୁ ପୌରପାଳିକା ପକ୍ଷରୁ କଣ କରଯିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି।

ଗତ ୩୦ବର୍ଷ ଧରି  ଜଗନ୍ନାଥସାଗର ପାର୍ଶ୍ବ ପରିତ୍ୟକ୍ତ ସ୍ଥାନକୁ ସୁଧାରି ବସ୍ତି କରି ରହୁଛୁ। ଏଠାକୁ ଯୁବକ ଓ ଯୁବତୀ ବସୟରେ ଥିବା ବେଳେ ଆମ ବାପା, ଅଜାଙ୍କ ସହ ଏଠାକୁ ଆସିଥିଲୁ।  ସହରରେ ଦିନ ମଜୁରିଆ, କୁଲି, ବାସନକୁସନ୍ ମଝାମଝି କରି ଅଭାବ ଅସୁବିଧା ମଧ୍ୟରେ ଝାଟି ମାଟି ଘର ଖଣ୍ଡିକ କରି ରହୁଛୁ। ଉଷା ଡ୍ରୋନ ସର୍ଭେରେ ବି ଆମେ ଘର ଗୁଡିକ ସର୍ଭେ କରାଯାଇଛି।  ଜବରଦଖଲ ପାଉଣା ବି ତହସିଲରେ ଦାଖଲ କରୁଛୁ। ପୌରପାଳିକା ଓପ୍ରଶାସନକୁ ଉଛେଦ ପାଇଁ ସହରରେ ଏତେ ସବୁ ବସ୍ତି ଥିବା ବେଳେ କେବଳ ଆମ ବସ୍ତିହିଁ ଦିଶିଲା କି ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା ପାର୍ବତୀ ଭତରା, ରୋଜୀ ସତନାମୀ , ରିନା ନାୟକ, ରଇଲା ନାୟକ, ମଙ୍ଗଳି ବାଢ଼େମ, ସାମୁଳା ମୁଦୁଲି ,ଭୀମ ନାୟକ, ଭଗବାନ ନାୟକ, ମିଟୁ ପାତ୍ର, । ଏହି ବସ୍ତିରେ ୨୦ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ସ୍ଥାପନ କରାଯାଇଥିବା ମା’ମାଣିକେଶ୍ବରୀଙ୍କ ପୀଠକୁ କୌଣସି ପରିସ୍ଥିତିରେ ଏଠାରୁ ଉଛେଦ କରିବାକୁ  ଦିଆଯିବ ନାହିଁ ବୋଲି କହିଛନ୍ତି ବସ୍ତି ବାସିନ୍ଦା। ସହରର ଅତି ନିକଟରେ ଆମକୁ ପକ୍କାଘର ସହ ସମସ୍ତ ମୌଳିକ ଆବଶ୍ୟକତା ପୁରଣ କରିଲେ ଯାଇକି ଆମେ ସ୍ଥାନାନ୍ତର ହେବକୁ ନଚେତ୍ କରିବୁ ନାହିଁ ବୋଲି ଏମାନେ କହିଛନ୍ତି।

ଏମାନଙ୍କୁ ଉତ୍ତମ ସ୍ଥାନରେ ସବୁ ରକମର ମୌଳିକ ସୁବିଧା ଉପଲବ୍ଧ କରି କଲୋନୀ ନିର୍ମାଣ କରାଯିବ। ଏହା ପରେ ହିଁ ଏମାନଙ୍କୁ ସ୍ଥାନାନ୍ତର କରାଯିବା ପାଇଁ  ପୌରପାଳିକା ଓପ୍ରଶାସନର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି  ।

ସହର ମଧ୍ୟରେ ଏବଂ ସହର ପାର୍ଶ୍ବରେ ସେମାନଙ୍କୁ ଏକାସ୍ଥାନରେ ଦୁରଦୃଷ୍ଟି ରଖି ବଂଶ ବୃଦ୍ଧି ଆଦିକୁ ଧ୍ୟାନରେ ରଖି ଜମି ଖୋଜା ଚାଳିଛି।  ମାଗଣାରେ ଗୋଟିଏ ପରିବାରକୁ ୩୨୩ ବର୍ଗ ସ୍କ୍ବୟରଫୁଟର ଜମି ଦିଆଯିବ। ଏଭଳି ୪୩ପରିବାରକୁ ଜମି ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ନିର୍ମାଣ ପାଇଁ ୨ଲକ୍ଷ ସହାୟତା ପ୍ରଦାନ କରାଯିବ। ପାର୍କ, ରାସ୍ତା, ଡ୍ରେନ, ଷ୍ଟ୍ରିଟ ଲାଇଟ, ପାନୀୟ ଜଳ, ଆଦି ଥିବା ବିଜୁ ଆଦର୍ଶ କଲୋନୀ ନିର୍ମାଣ ପରେ ସ୍ଥାନାନ୍ତର  କରାଯିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ।

 

 

ସମ୍ବନ୍ଧିତ ଖବର