ସଫେଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ମାଲବାହୀ ଟ୍ରକ୍‌

ଘୁ.ଉଦୟଗିରି: ସ୍ଥାନୀୟ ବଜାରସ୍ଥିତ ଭଞ୍ଜମାର୍କେଟ ସମ୍ମୁଖରେ ଏକ ମାଲବାହୀ ଗାଡ଼ି (ଓଆର ୦୭ ଏଲ ୭୨୧୮) ମାଡ଼ିଯିବାରୁ ଏନଏସିର ସଫେଇ କର୍ମଚାରୀ ଶରତ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ବ୍ରହ୍ମପୁରରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ୍‌ ଭଞ୍ଜ ମାର୍କେଟ ସମ୍ମୁଖରେ ଶଙ୍ଖସାହି ନିବାସୀ ଶରତ ଚନ୍ଦ୍ର ନାୟକଙ୍କ ଉପରେ ଚଢ଼ି ଯାଇଥିଲା। ଚକାତଳେ ପଡ଼ି ଛଟପଟ ହେଉଥିବା ଅବସ୍ଥା ଦେଖି ତାଙ୍କୁ ଡ୍ରାଇଭର ବଞ୍ଚାଇବାକୁ ଚେଷ୍ଟା କରି ଚକ ତଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାହାର କରିଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଶରତ ନାୟକଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ସ୍ଥଳରେ ପରିବାର ଲୋକ ଏବଂ ଶଙ୍ଖସାହି ବାସିନ୍ଦା ପହଞ୍ଚି ଟ୍ରକ୍‌ ମାଲିକଙ୍କୁ ଡାକିବା ସହ କ୍ଷତିପୂରଣ ଦାବି ସହ ରାସ୍ତାରୋକ କରିଥିଲେ। ପରିବାର ବର୍ଗ ଓ ସାହି ବାସିନ୍ଦାଙ୍କ ରାସ୍ତାରୋକକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଆଇଆଇସି ଭଗବାନ ପୂଜାରୀ ଓ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ରହି ପରିବାର ଲୋକଙ୍କୁ  ବୁଝାଶୁଝା କରୁଥିବା ବେଳେ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶି ସେଠାରେ ପହଁଚି ପରିବାର ଲୋକଙ୍କୁ ଆଇନ ଅନୁଯାୟୀ ଉଚିତ ନ୍ୟାୟ ମିଳିବ ବୋଲି ଆଶ୍ୱସନା ଦେଇଥିଲେ।ମୃତକଙ୍କ ଶବ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ଟ୍ରକ୍‌ ମାଲିକଙ୍କ ସହ ଆଲୋଚନା କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସ୍ଥାନୀୟ ସହରର ଅଣ ଓସାରିଆ ରାସ୍ତା ସାଙ୍ଗକୁ ଟ୍ରାଫିକ ସମସ୍ୟା ସହ ସହରର ବାଏ ପାସ ରାସ୍ତା ନଥିବା ଯୋଗୁଁ ସହରରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ସହରରେ ସ୍ବତନ୍ତ ପରିବା ବଜାର ନଥିବା ହେତୁ ପରିବା ଚାଷୀ ଏବଂ ପରିବା ବ୍ୟବସାୟୀ ଭଂଜମାର୍କେଟ ସମ୍ମୁଖରେ ରାସ୍ତା କଡରେ ବସି ପରିବା ବିକ୍ରି କରୁଥିବା ଯୋଗୁଁ ଉକ୍ତ ସ୍ଥାନରେ ପ୍ରତ୍ୟକ କ୍ଷଣ ବିପଦ ରହିବା ସହ ଦୁର୍ଘଟଣା ଆଶଙ୍କା ରହିଥାଏ।ଏଣୁ ସହରର ଟ୍ରାଫିକ ସମସ୍ୟା ସମାଧାନ ସହ ଦୁର୍ଘଟଣା କମେଇବା ନିମନ୍ତେ ତୁରନ୍ତ ସହରର ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ କରିବା ସହ ବାଇପାସ ରାସ୍ତା ନିର୍ମାଣ ଏବଂ ସ୍ବତନ୍ତ ପରିବା ବଜାର ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର