୨୬ ଓ ୨୭ରେ ଝଡ଼ବର୍ଷା, ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ୩ ଦିନର ବ୍ୟବଧାନ ପରେ ପୁଣିଥରେ ଓଡ଼ିଶା ଉପରେ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହେବ। ୨୬ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ଆରମ୍ଭ ହୋଇଯିବ।

ଏଣୁ ଏନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌ଆର୍‌ସି) ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ୨୬ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ମଧ୍ୟରେ ରହିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ୨୭ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିବ। ସମଗ୍ର ଉପକୂଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୪୦କିମି ରହିବ।

ଏଣୁ ବର୍ଷା ଓ ପବନକୁ ନେଇ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ଏସ୍‌ଆର୍‌ସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୟେଲୋୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ସତର୍କ ନଜର ରଖିବା, ଲୋକମାନେ ବର୍ଷା, ପବନ ଓ ବଜ୍ରପାତ ସମୟ‌ରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା, ତଳୁଆ ଓ ସହରାଞ୍ଚଳରେ ଲୋକଙ୍କୁ ଜଳବନ୍ଦୀ ପରିସ୍ଥିତିରୁ ରକ୍ଷା କରିବାକୁ ଜଳ ନିଷ୍କାସନର ବ୍ୟବସ୍ଥା କରିବା, ବର୍ଷା ପରିମାଣକୁ ସଙ୍ଗେ ସଙ୍ଗେ ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇବା, ବିଜୁଳି, ଘଡ଼ଘଡ଼ି, ବଜ୍ରପାତ ଓ ଝଡ଼ପବନ ସମ୍ବନ୍ଧୀୟ କ୍ଷୟକ୍ଷତି ସମ୍ପର୍କରେ ସଙ୍ଗେସଙ୍ଗେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ୨୬ ଓ ୨୭ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୬ରୁ ବର୍ଷା କମିବ ଓ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର