ତେଜୁଛି ପ୍ରତିବାଦର ସ୍ବର: ‘ଷ୍ଟାଣ୍ଡ ୱିଥ୍ ସୌମ୍ୟ ପଟ୍ଟନାୟକ’ ସମର୍ଥନରେ ଛାତ୍ରସମାଜ

ଭୁବନେଶ୍ବର: ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲୁର ଚଢ଼ାଉ ପରେ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଗତକାଲି ବିଭିନ୍ନ ସଂଗଠନ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଆଜି ମଧ୍ୟ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ, ସାମାଜିକ ସଂଗଠନ ଓ ଛାତ୍ରସମାଜ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଯେଉଁ ପ୍ରଚେଷ୍ଟା ଚାଲିଛି ତାହାକୁ ଦୃଢ଼ ନିନ୍ଦା କରାଯାଇଛି। ଏହାସହ ବିଭିନ୍ନ ସ୍ଥାନରେ ଲୋକମାନେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି।

ବାଣୀବିହାର ଛାତ୍ରସମାଜ ଆଜି ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି। ବାଣୀବିହାର ପରିସରରେ ଥିବା ମହାତ୍ମା ଗାନ୍ଧୀ ପାର୍କ ନିକଟରୁ ଲିଫଲେଟ୍‌ ଓ ପୋଷ୍ଟର ମାରିବା ଆରମ୍ଭ କରିବା ସହିତ ବାଣୀବିହାର ‌ଫାଟକ ସମ୍ମୁଖରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏକାଧିକ ଲିଫଲେଟ୍ ଜରିଆରେ ସେମାନେ ରାଜ୍ୟରେ ଯେଉଁ ଢଙ୍ଗରେ ଅନ୍ଧାରୀ ଶାସନ ଚାଲିଛି ତାହାର ସମାଲୋଚନା କରିଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଯେଉଁ ଉଦ୍ୟମ ଚାଲିଛି ଏହାର ସେମାନେ ନିନ୍ଦା କରିଛନ୍ତି। ଏହାସହ ଶ୍ରୀ ପଟ୍ଟନାୟକଙ୍କ ଫଟୋ ସହିତ ଷ୍ଟାଣ୍ଡ ୱିଥ୍ ସୌମ୍ୟ ପଟ୍ଟନାୟକ ଲିଫଲେଟ୍‌କୁ ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। ଗୋଟିଏ ଲିଫଲେଟ୍‌ରେ ଜାଗିଲେଣି ଆଜି ଓଡ଼ିଶା ମାଟିର ପୁଅ ଏକଚ୍ଛତ୍ରବାଦୀଙ୍କ ଛାତିରେ ଭୟ.. ଲେଖାଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଏକ ଲିଫଲେଟ୍‌ରେ ତାମିଲ କରୁଛି ଅନ୍ଧାରୀ ଶାସନ.. ତଳକୁ ଖସୁଛି ଓଡ଼ିଆ ମାନ..। ଅନ୍ୟ ଏକ ଲିଫଲେଟ୍‌ରେ ଚାଲିବନି ଆଉ ହିଟଲରୀ ଶାସନ.. ଜାଗି ଉଠିଲାଣି ଓଡ଼ିଆ ପ୍ରାଣ ଲେଖିଥିବା ନଜରକୁ ଆସିଛି। ଏହି ବିକ୍ଷୋଭରେ ମନୋଜ ବିଶ୍ବାଳ, ପ୍ରୀତିମାନ ନାୟକ, ରବିନାରାୟଣ ନାୟକ, ଲେଲିନ କୁମାର ଜେନା, ପ‌ାର୍ଥସାରଥି ଜେନା, ରାଜେଶ ଦାସ, ରଶ୍ମିରଂଜନ ଜାଲି, ‌ସୌମ୍ୟରଂଜନ ବରାଳ, ସୁଧାଂଶୁ ଶେଖର ନାୟକ, ଆଶୁତୋଷ ମହାନ୍ତି, ଓମ ସୁନ୍ଦର ଜେନା ଓ ପାପାଲି ଶତପଥୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର