ଆରମ୍ଭରୁ ଝୁଣ୍ଟିଲା ଶିକ୍ଷକ ବଦଳି ପ୍ରକ୍ରିୟା ! ପଞ୍ଜୀକରଣରେ ଯାବତୀୟ ତ୍ରୁଟି, ନାକଚ ହେବା ଭୟରେ ଅମଙ୍ଗ ଶିକ୍ଷକଶିକ୍ଷୟିତ୍ରୀ

ରାଉରକେଲା: ଅନ୍‌ଲାଇନ୍‌ରେ ଶିକ୍ଷକ/ଶିକ୍ଷୟିତ୍ରୀ ବଦଳି ନେଇ ଯେଉଁ ଆଶଙ୍କା କରାଯାଉଥିଲା; ଆଜି ତାହା ହିଁ ଘଟିଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଯାବତୀୟ ତ୍ରୁଟି ଦେଖିବାକୁ ମିଳିଛି। ପ୍ରକ୍ରିୟା ଆରମ୍ଭରୁ ବୈଷୟିକ ସମସ୍ୟା ଦେଖାଦେଲାଣି। ଏଣୁ ଆବେଦନ ପାଇଁ ନିର୍ଦ୍ଧାରିତ ଅବଧି ଶେଷ ହେବା ପୂର୍ବରୁ ବଦଳି ପାଇଁ ଆବେଦନ କରିପାରିବେ ନା ନାହିଁ, ସେ ଚିନ୍ତା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଘାରିଛି। ଅପରପକ୍ଷରେ ଏହି ପ୍ରକ୍ରିୟାର ତଦାରଖ ପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରାୟ ଘଣ୍ଟାଏ ଧରି ଏହି ଆଭାସୀ ପ୍ରଶିକ୍ଷଣ ଶିବିର ଚାଲିଥିଲା।
ଗତ ଅକ୍ଟୋବର ୨୭ ତାରିଖରୁ ବାର୍ଷିକ ଶିକ୍ଷକଶିକ୍ଷୟିତ୍ରୀ ବଦଳି ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ‘ଅନଲାଇନ୍‌ ଟିଚର୍‌ ଟ୍ରାନ୍ସଫର୍‌ ପୋର୍ଟାଲ’ ମାଧ୍ୟମରେ ଇଚ୍ଛୁକ ଶିକ୍ଷକଶିକ୍ଷୟିତ୍ରୀ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ୱେବସାଇଟ୍‌ରେ ବୈଷୟିକ ସମସ୍ୟା ଯୋଗୁଁ ଏହା ନିର୍ଦ୍ଧାରିତ ସମୟରେ ନ ହୋଇ ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଥିଲା। କିନ୍ତୁ ଦ୍ବିତୀୟଥର ମଧ୍ୟ ଭିନ୍ନ ଭିନ୍ନ ସମସ୍ୟା ଉପୁଜିଲାଣି। ସଂପ୍ରତି ବଦଳି ପାଇଁ ଇଚ୍ଛୁକ ଶିକ୍ଷକଶିକ୍ଷୟିତ୍ରୀ ପ୍ରଥମେ ପଞ୍ଜୀକରଣ କରୁଛନ୍ତି। ଏଥିପାଇଁ ନିଜ ନିଜ ସବିଶେଷ ତଥ୍ୟ, ଆନୁସଙ୍ଗିକ ଡକ୍ୟୁମେଣ୍ଟ୍‌, ଯଥା-ଜନ୍ମ ତାରିଖ, ଚାକିରିରେ ଯୋଗଦେଇଥିବା ତାରିଖ, ରେଗୁଲାର ଶିକ୍ଷକର ମାନ୍ୟତା ପାଇଥିବା ବର୍ଷ, ଆଧାର କାଡ, ପାନ୍‌ କାର୍ଡ, ଇ-ମେଲ୍‌ ଆଇଡି ଆଦି ଦାଖଲ କରିବାକୁ ପଡ଼ିଥାଏ। ଏବେ କିନ୍ତୁ ଜଣେ ଡକ୍ୟୁମେଣ୍ଟ୍‌ ଅପଲୋଡ୍‌ କଲେ ଅନ୍ୟ ଜଣଙ୍କର ଡକ୍ୟୁମେଣ୍ଟ୍‌ ପ୍ରଦର୍ଶିତ ହେଉଛି। ଯଦ୍ବାରା ପଞ୍ଜୀକରଣ କଲେ ନାକଚ ହେବାର ଆଶଙ୍କା କରି ବହୁ ଶିକ୍ଷକଶିକ୍ଷୟିତ୍ରୀ ପଞ୍ଜୀକରଣ ପାଇଁ ପଛଘୁଞ୍ଚା ଦେଉଛନ୍ତି।
ପ୍ରମୁଖ ସମସ୍ୟା ହେଉଛି, ଏଯାଏ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପ୍ରୋଫାଇଲ୍‌ ଅପଡେଟ୍‌ ହୋଇନି। ଫଳରେ ଶିକ୍ଷକମାନେ ପୁରୁଣା ପ୍ରୋଫାଇଲ୍‌ରେ ପଞ୍ଜୀକରଣ କରିବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି। ପ୍ରକ୍ରିୟା ଆରମ୍ଭରୁ ଏହି ଦୁଇ ପ୍ରମୁଖ ସମସ୍ୟା ଉଭା ହୋଇଥିବାରୁ ଯଥାଶୀଘ୍ର ଏହାର ସମାଧାନ ଅବଶ୍ୟମ୍ଭାବୀ ହୋଇପଡ଼ିଛି। ଅନ୍ୟଥା ଗତବର୍ଷ ଭଳି ଏଥର ମଧ୍ୟ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ବଦଳି ପ୍ରକ୍ରିୟାରେ ସାମିଲହେବାରୁ ବଞ୍ଚିତ ହେବା ଜଳଜଳ ହୋଇ ଦିଶୁଛି।
ସମ୍ବନ୍ଧିତ ଖବର