ଆଇଏଲ୍‌ଏସ୍‌ ବିନା ବିମାନବନ୍ଦର ଦିବା ସ୍ବପ୍ନ: ୭ ମାସରେ ୧୮ ଦିନ ବାତିଲ

ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅଣଦେଖା

ରାଉରକେଲା: ରାଉରକେଲା ବିମାନବନ୍ଦରରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ପାଣିପାଗ ବିଗିଡ଼ିଲେ ବିମାନସେବା ଅଘୋଷିତ ବନ୍ଦ ହୋଇଯାଉଛି। ଗତ ଜାନୁଆରି ୭ରୁ ରାଉରକେଲା-ଭୁବନେଶ୍ବର ବିମାନସେବା ଆରମ୍ଭ ହୋଇଥିଲା। ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ମୋଟ୍‌ ୧୮ ଦିନ ଅଘୋଷିତ ବାତିଲ ହୋଇସାରିଲାଣି। ପୂର୍ବରୁ ପାଖାପାଖି ୯୦ ପ୍ରତିଶତ ସିଟ୍‌ ସଂରକ୍ଷିତ ରହୁଥିବାବେଳେ ଏବେ ଏଥିରେ ହ୍ରାସ ଘଟି ୪୦/୫୦ ପ୍ରତିଶତରେ ପହଞ୍ଚିଛି।

ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) କର୍ତ୍ତୃପକ୍ଷ କାଳବିଳମ୍ବ ନକରି ଏଠାରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା ପାଇଁ ଦାବି ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବିମାନବନ୍ଦରର ସତ୍ତ୍ବାଧିକାରୀ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପକ୍ଷରୁ ଗତ ମାର୍ଚ୍ଚ ୨୫ରେ ଆଇଏଲ୍‌ଏସ୍‌ ସ୍ଥାପନ, ଅନ୍ୟ ସହରକୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ୪ରେ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଚିଠିରେ ଉଲ୍ଲେଖ କରିଥିଲେ, ୨ସି ମାନ୍ୟତାପ୍ରାପ୍ତ ରାଉରକେଲା ବିମାନ ବନ୍ଦରରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା ନ ଥିବାରୁ ରାତ୍ରିକାଳୀନ ବିମାନ ଅବତରଣ ସମ୍ଭବ ହେଉନି। ପାଣିପାଗ ଖରାପ ହେଲେ ବିମାନ ସେବା ବାତିଲ ହେଉଛି। ଏଣୁ ଆଇଏଲ୍‌ଏସ୍‌ ସ୍ଥାପନ ପାଇଁ ଯଥାଶୀଘ୍ର ମାଷ୍ଟର ପ୍ଲାନ୍‌, ଜମି ଆବଶ୍ୟକତା, ପ୍ରସ୍ତାବିତ ଲ୍ୟାଣ୍ଡିଂ ଓ ସହାୟତା ସମ୍ପର୍କିତ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉ। ଏହାସହ କ୍ୟାଟେଗୋରି-୧ ଆଇଏଲ୍ଏସ୍ ରାତ୍ରି ଅବତରଣ ସୁବିଧା, ଆଇଏଏଲ୍‌ ସମେତ ଏହାର ପ୍ରସ୍ତାବିତ ବ୍ୟୟ ଅଟକଳ ଦାଖଲ କରିବାକୁ ନିବେଦନ କରିଥିଲେ। ରାଜ୍ୟ ସରକାରଙ୍କ ହସ୍ତକ୍ଷେପକୁ ପ୍ରାୟ ୪୦ ଦିନ ବିତିଲାଣି। କିନ୍ତୁ ଏଯାଏ ଏଏଆଇ ସାମାନ୍ୟତମ ପଦକ୍ଷେପ ବି ନେଇନି।

ବିଶେଷଜ୍ଞ ମତରେ ଆଇଏଲ୍‌ଏସ୍‌ ସ୍ଥାପନ ପାଇଁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ହେବ। ସ୍ଥାପନ ହେବାକୁ ୮-୧୨ ମାସ ଲାଗିବ। ଏଣୁ ଆଇଏଲ୍‌ଏସ୍‌ ସ୍ଥାପନ ନ ହେବା ଯାଏ ଏଠାରେ ରିକ୍ବାୟାର୍ଡ‌୍ ନାଭିଗେସନ ପର୍‌ଫର୍ମାନ୍ସ (ଆର୍‌ଏନ୍‌ପି) ବ୍ୟବସ୍ଥାକରି ବିମାନ ସେବାକୁ ଅବ୍ୟାହତ ରଖିବାକୁ ଦାବି ହେଉଛି। ବିମାନ ବନ୍ଦରର ମାଲିକାନା ସ୍ବତ୍ବ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପାଖରେ ରହିଛି। ମାଲିକାନା ସ୍ବତ୍ବ ଏଏଆଇ ପାଖରେ ନଥିବାରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନବନ୍ଦର ପାଇଁ ପ୍ରୟାସ କରାଯାଉନଥିବା ଅଭିଯୋଗ ହୁଏ। ଏଭଳି ସ୍ଥିତିରେ ସହରବାସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ମାଲିକାନା ସ୍ବତ୍ବ ହସ୍ତାନ୍ତର କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର