ନାଗରିକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚିବ: ପ୍ରଧାନ ବିଚାରପତି

ଡିଜିଟାଇଜେସନ୍‌, ପେପରଲେସ୍‌ କୋର୍ଟ ଓ ଇ-ଇନିସିଏଟିଭ୍ ସଂପର୍କିତ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

କଟକ : ‌ସବୁ ଲୋକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଲୋକମାନଙ୍କୁ ସୁଲଭ, ସୁଗମ, ସ୍ବଚ୍ଛ, ଉତ୍ତରଦାୟୀ ଓ କମ୍ ଖର୍ଚ୍ଚରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଦାନ କରିବା ହେଉଛି ଇ-କୋର୍ଟ ପ୍ରକଳ୍ପର ଲକ୍ଷ୍ୟ। ପୂର୍ବରୁ ରହିଥିବା ବ୍ୟବସ୍ଥାରେ ପରିବର୍ତ୍ତନ କରି ଲୋକମାନଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା କିପରି ପହଞ୍ଚି ପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଉପ‌ନିବେଶ ସମୟର ମଡେଲ୍‌ରେ ଥିବା ନ୍ୟାୟ ପ୍ରଶାସନରେ ନାଗିରକଙ୍କୁ କୋର୍ଟରେ ପହଞ୍ଚିବାକୁ ପଡୁଥିଲା। ଏବେ ଏପରି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ କୋର୍ଟ ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦ୍ବାରା ଏହା ସମ୍ଭବ ହୋଇପାରିଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍‌ ୱାଇ. ଚନ୍ଦ୍ରଚୂଡ କହିଛନ୍ତି।

ଓଡ଼ିଶା ଜୁଡିସିଆଲ୍‌ ଏକାଡେମିରେ ଓଡ଼ିଶା ହାଇକୋର୍ଟ ଅନୁକୂଲ୍ୟରେ ଆୟୋଜିତ ଡିଜିଟାଇଜେସନ୍‌, ପେପରଲେସ୍‌ କୋର୍ଟ ଓ ଇ-ଇନିସିଏଟିଭ୍ ସଂପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ପ୍ରଧାନ ବିଚାରପତି କହିଥିଲେ ଯେ ଇ-କୋର୍ଟ ପ୍ରକଳ୍ପ ପାଇଁ ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ୭୨୧୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଓଡ଼ିଶାରେ ୨୦ଟି ଜିଲ୍ଲାରେ ଭର୍ଚୁଆଲ୍‌ କ୍ୟାବିନ୍ ପ୍ରତିଷ୍ଠା ଦ୍ବାରା ବିଭିନ୍ନ ଜିଲ୍ଲାର ଆଇନଜୀବୀ ଓ ମହକିଲମାନେ ଦୂରରେ ରହି ହାଇକୋର୍ଟରେ ନିଜ ମାମଲା ପରିଚାଳନା କରି ପାରୁଛନ୍ତି। କରେନା ମହାମାରୀ ସଂକ୍ରମଣ ସମୟରେ ବିଭିନ୍ନ ହାଇକୋର୍ଟରେ କରାଯାଇଥିବା ଭର୍ଚୁଆଲ ଶୁଣାଣି ବ୍ୟବସ୍ଥା ଏବେ ଅବ୍ୟବହୃତ ହୋଇ ପଡ଼ି ରହିଛି ବୋଲି କେତେକ ଅଭିଯୋଗ କରୁଛନ୍ତି। କରୋନା ସଂକ୍ରମଣ ସମୟରେ ଭର୍ଚୁଆଲ ଶୁଣାଣି ବ୍ୟବସ୍ଥା ଆବଶ୍ୟକତା ଓ ବାଧ୍ୟବାଧକତା ଥିଲା। କିନ୍ତୁ ପ୍ରଯୁକ୍ତି ବିଦ୍ୟା କେବଳ କରୋନା ସ୍ଥିତିରେ ସୀମିତ ରହିନାହିଁ। ଏହି ସବୁ ଭିତ୍ତିଭୂମି ଲୋକଙ୍କ ଅର୍ଥରେ ନିର୍ମାଣ କରାଯାଇଥିବା ବେଳେ ଲୋକଙ୍କ ସେବାରେ ଲାଗିବା ଉଚିତ। ଭର୍ଚୁଆଲ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ ରଖିବା ସହିତ ହାଇବ୍ରିଡ୍‌ ଶୁଣାଣି ଜାରି ରଖିବା ଉପରେ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଛନ୍ତି।

ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ସହିତ କୋର୍ଟରେ ମାମଲା ଶୁଣାଣିର ଲାଇଭ୍‌ ଷ୍ଟ୍ରିମିଂ କରାଯାଉଛି। ବହୁ ସମୟରେ ସାମାଜିକ ଗଣମାଧ୍ୟମରେ କୋର୍ଟରେ ଶୁଣାଣି ସମୟର ଘଟଣାକୁ କଦର୍ଥ କରି ପ୍ରଦର୍ଶନ କରାଯାଉଛି। ଏହି ପ୍ରସଂଗରେ ନିୟନ୍ତ୍ରଣ ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଥିଲେ। ଏବେ ସୋସିଆଲ୍‌ ମିଡିଆର ଯୁଗରେ ବିଚାରପତିମାନେ ନିଜକୁ ପ୍ରଶିକ୍ଷିତ କରିବା ଆବଶ୍ୟକ। ସୁପ୍ରିମକୋର୍ଟଙ୍କ ୩୪ ହଜାର ରାୟର ଡିଜିଟାଇଜେସନ୍‌ କରାଯାଇଛି ଓ ମାଗଣାରେ ଏହା ସମସ୍ତଙ୍କ ପାଇଁ ଇଏସ୍‌ସିଆର ମାଧ୍ୟମରେ ଉପଲବ୍ଧ ବୋଲି ପ୍ରଧାନ ବିଚାରପତି କହିଥିଲେ। ସାରା ଦେଶରେ ୪୪୦୦ ଇ-ସେବା କେନ୍ଦ୍ର ୩୯୪ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯିବ।

ଏହି ଅବସରରେ ପ୍ରଧାନ ବିଚାରପତି ‘ନ୍ୟୁଟ୍ରାଲ୍‌ ସାଇଟେସନ୍ ଫର୍‌ ଦି ଇଣ୍ଡିଆନ ଜୁଡିସିଆରିକୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ୍‌ ଉଦ୍‌ବୋଧନ ଦେଇ କହିଥିଲେ ଯେ ପ୍ରତିବର୍ଷ ଏଭଳି ସମ୍ମିଳନୀ କରାଯିବାର ଆବଶ୍ୟକତା ରହିଛି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କ ନେତୃତରେ ଓଡ଼ିଶା ହାଇକୋର୍ଟରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ସ୍ବାଗତ ଭାଷଣ ଦେଇ କହିଥିଲେ ଯେ କେତେକ ହାଇକୋର୍ଟ ପାଇଁ ରାଜ୍ୟ ସରକାରଙ୍କ ଆବଶ୍ୟକ ସହଯୋଗ ମିଳି ପାରୁ ନ ଥିବା ବେଳେ ଓଡିଶା ସରକାର କିନ୍ତୁ ନ୍ୟାୟିକ ଭିତ୍ତିଭୂମି ପାଇଁ ସବୁବେଳେ ସହଯୋଗ ଯୋଗାଇ ଆସୁଛନ୍ତି। ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଆର୍ଥିକ ସହଯୋଗ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଜାତୀୟ ଆକ୍ସନ୍‌ ପ୍ଲାନ୍‌ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ହାଇକୋର୍ଟର ବିଚାରପତି ତଥା ଆଇଟି ଓ ଏଆଇ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଧନ୍ୟବାଦ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିପିନ ସାଂଘି, ହମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଟି.ଏସ୍‌. ଚୌହାନ, ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତି ଓ ବିଚାରବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ମୁଁ ଓଡ଼ିଶାର ଜ୍ବାଇଁ ବୋଲି ଗର୍ବର ସହିତ କହୁଛି: ପ୍ରଧାନ ବିଚାରପତି

ଭାରତର ପ୍ରଧାନ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ଼ ଓଡ଼ିଶାର ଜ୍ବାଇଁ। ଆଜି ଓଡ଼ିଶା ଜୁଡିସିଆଲ୍‌ ଏକାଡେମି ଠାରେ ଡିଜିଟାଇଜେସନ୍‌, ପେପରଲେସ୍‌ କୋର୍ଟ ଓ ଇ-ଇନିସିଏଟିଭ୍ ସଂପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନ ବିଚାରପତି କହିଥିଲେ ଯେ ସେ ବହୁଥର ଭୁବନେଶ୍ବର ଓ କଟକ ଆସିଛନ୍ତି। ମୁଁ ଓଡ଼ିଶାର ଜ୍ବାଇଁ ବୋଲି ଗର୍ବର ସହିତ କହୁଛି। ମୋ ପତ୍ନୀ ଜଣେ ଓଡ଼ିଆ ବୋଲି ପ୍ରଧାନ ବିଚାରପତି କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ଼ଙ୍କ ପତ୍ନୀ ହେଉଛନ୍ତି କଳ୍ପନା ଦାସ।

ସମ୍ବନ୍ଧିତ ଖବର